ପୁରୀରୁ ବ୍ରହ୍ମପୁର ଗଡ଼ିବ ମେମୋ ଟ୍ରେନ୍‌

ଜଟଣୀ : ଆସନ୍ତା ରଥଯାତ୍ରା ପୂର୍ବରୁ ପୁରୀରୁ ବ୍ରହ୍ମପୁର ମଧ୍ୟରେ ମେମୋ ଟ୍ରେନ ଚଳାଚଳ କରିବ ବୋଲି ଖୋର୍ଧା ରେଳ ଡି଼ଭିଜନର ଡିଆର୍‌ଏମ୍‌ ବ୍ରଜ ମୋହନ ଅଗ୍ରୱାଲ ସୂଚନା ଦେଇଛନ୍ତି। ଫଳରେ ରଥଯାତ୍ରା ସମୟରେ ଯାତ୍ରୀମାନେ ଅଧିକ ସୁବିଧା ପାଇପାରିବେ।

ଆଜି ସ୍ଥାନୀୟ ଡିଆର୍‌ଏମ୍‌ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଅଗ୍ରୱାଲ ୨୦୧୭- ୧୮ ଆର୍ଥିକ ବର୍ଷରେ ଡିିଭିଜନର ବିଭିନ୍ନ ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇ ମେମୋ ଟ୍ରେନ୍‌ ଚଳାଚଳ ପାଇଁ ପ୍ରସ୍ତୁତି ଜୋରଦାର କରାଯାଉଛି ବୋଲି କହିଛନ୍ତି। ସେହିପରି ରେଳମନ୍ତ୍ରୀ ପିୟୁସ ଗୋଏଲଙ୍କ ଘୋଷଣା ମୁତାବକ ଖୋର୍ଧା ରୋଡ୍‌ ଡିଭିଜନରେ ଜଗୁଆଳିବିହୀନ ଫାଟକ ଉଚ୍ଛେଦ କରାଯାଇଥିବାରୁ ଏହା ପୁରସ୍କୃତ ହୋଇଛି। ଯାତ୍ରୀମାନଙ୍କ ସୁବିଧା ପାଇଁ ବିଭାଗ ପକ୍ଷରୁ ବିଶେଷ ଧ୍ୟାନ ଦିଆଯାଉଛି। ଖୋର୍ଧା ରୋଡ୍‌ ସମେତ ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ଷ୍ଟେସନରେ ଦିବ୍ୟାଙ୍ଗ ଓ ବୟସ୍କଙ୍କ ଲାଗି ଏକ୍ସାଲେଟର ବ୍ୟବସ୍ଥା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଭୁବନେଶ୍ୱର ଷ୍ଟେସନରେ ସାନିଟାରି ନାପ୍‌କିନ୍‌ ବ୍ୟବସ୍ଥା କରାଯିବା ସହ ପ୍ଲାଷ୍ଟିକ ବୋତଲର ପୁନଃପ୍ରକ୍ରିୟାକରଣ ବ୍ୟବସ୍ଥା କରାଯାଇଛି। ସେହିପରି ଖୋର୍ଧା ରୋଡ଼ ଓ ପୁରୀ ଷ୍ଟେସନରେ ମଧ୍ୟ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି ବୋଲି ସେ କହିଥିଲେ।

ଡିଆର୍‌ଏମ୍‌ଙ୍କ ସୂଚନା ମୁତାବକ, ୨୦୧୬-୧୭ ଆର୍ଥିକ ବର୍ଷରେ ଖୋର୍ଧା ଡି଼ଭିଜନ୍‌ର ଆୟ ୧୦,୨୨୪ କୋଟି ଟଙ୍କା ଥିବା ବେଳେ ୨୦୧୭-୧୮ ଆର୍ଥିକ ବର୍ଷରେ ଏହା ୧୧,୧୦୯ କୋଟିରେ ପହଞ୍ଚିଛି। ସେହିପରି ୨୦୧୬-୧୭ ଆର୍ଥିକ ବର୍ଷରେ ଖୋର୍ଧା ଡି଼ଭିଜନର ବ୍ୟୟ ୨୦୧.୪୨ କୋଟି ଟଙ୍କା ଥିବା ବେଳେ ୨୦୧୭-୧୮ ଆର୍ଥିକ ବର୍ଷରେ ୩୩୮.୨୦ କୋଟ ହୋଇଛି। ଏହି ସମ୍ମିଳନୀରେ ସିନିଅର ଡିସିଏମ୍‌ ଅଖିଳ କୁମାର ତ୍ରିପାଠୀ, ସିନିୟର ଡିଇଏନ୍‌ ଅଜୟ କୁମାର ସାମଲ, ସିନିଅର ଡିଇଇ ଏମ୍‌ ଏସ୍‌ ଏନ ମୂର୍ତ୍ତି , ସିନିଅର ଡିଭିଜିନାଲ ସିକ୍ୟୁରିଟି କମିଶନର ପି ଶଙ୍କର କୁଟ୍ଟି, ସିନିଅର ଡିଏମ୍‌ଏମ୍‌ ଏନ୍‌ ଆର୍‌ ସାହୁ ଏବଂ ସିନିଅର ଡିିଓଏମ୍‌ ହମିଦ୍‌ ହମିଦ୍‌ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର