ମେନପା ଆକ୍ରମଣ ଘଟଣା : ବିଜୟ ଉତ୍ସବ ପାଳିଲେ ମାଓବାଦୀ

ଯୋଜନାବଦ୍ଧ ଥିଲା ଆକ୍ରମଣ, ନିହତ ହୋଇଛନ୍ତି ୩ନକ୍ସଲ, ଲୁଟି ନେଇଛନ୍ତି ୧୫ରୁ ଊର୍ଦ୍ଧ୍ବ ବନ୍ଧୁକ

ମାଲକାନଗିରି : ଆକ୍ରମଣ ଯୋଜନାବଦ୍ଧ ଥିଲା। ରଣନୀତି ଅନୁଯାୟୀ ପ୍ରତିଶୋଧ ନେଇଛୁ। ପୁଲିସ ଓ ଯବାନଙ୍କ ବର୍ବରତା ବନ୍ଦ ନ ହେଲେ ଆଗକୁ ବାରମ୍ବାର ଏମିତି ହେବ। ୨୧ତାରିଖ ଦିନ ଛତିଶଗଡ଼ ସୁକମା ଜିଲ୍ଲାର ମେନପା ଜଙ୍ଗଲରେ ହୋଇଥିବା ଆକ୍ରମଣ ପରେ ଗଣମାଧ୍ୟମକୁ ଏମିତି ସୂଚନା ଦେଇଛି ନକ୍ସଲ ସଂଗଠନ। ଆଜି ମାଓବାଦୀଙ୍କ ଦକ୍ଷିଣ ବସ୍ତର ବ୍ୟୁରୋ ପକ୍ଷରୁ ପ୍ରେସ୍ ବିଜ୍ଞପ୍ତି ଜାରି କରି ଏଭଳି ତଥ୍ୟ ଦିଆଯାଇଛି।

ଘଟଣା ଦିନ ନକ୍ସଲଙ୍କ ଚକ୍ରବ୍ୟୂହରେ ଫସି ଯାଇଥିଲେ ଡିଆର୍‌ଜି ଏବଂ ଏସ୍‌ଟିଏଫ୍ ଯବାନ। ଏଥିରେ ୧୭ଯବାନ ସହିଦ ହୋଇଥିବା ବେଳେ ୧୫ରୁ ଊର୍ଦ୍ଧ୍ବ ଯବାନ ଗୁରୁତର ଆହତ ହୋଇଥିଲେ। ତେବେ ପାଲଟା ଆକ୍ରମଣରେ ୩ଜଣ ନକ୍ସଲ ନିହତ ହୋଇଥିବା ସଂଗଠନ ଆଜି ସ୍ବୀକାର କରିଛି। ସେମାନେ ହେଲେ କମ୍ରେଡ କାବାସି ଶକ୍ରୁ, ମଟାମ ରାଜେଶ ଓ କାରଟାମ ସୁକ୍କୁ। ଏମାନେ ସମସ୍ତେ ସଂଗଠନର ଆଗଧାଡ଼ିର ସଦସ୍ୟ ଥିଲେ। ଯେଉଁ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ନେଇ ଏମାନେ ସହିଦ ହୋଇଛନ୍ତି ତାହାକୁ ପୂରା କରିବାକୁ ସଂଗଠନ ନୂଆ ଲକ୍ଷ୍ୟ ଭାବେ ଗ୍ରହଣ କରିଛି। ସେହିପରି ୧୫ରୁ ଊର୍ଦ୍ଧ୍ବ ବନ୍ଧୁକ, ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର, ୟୁଜିବିଏଲ, ପୁଲିସ ବ୍ୟାଗ୍, ଖାଦ୍ୟ ସାମଗ୍ରୀ ସହ ଔଷଧ ଆଦି ଯବାନଙ୍କଠାରୁ ଜବତ କରାଯାଇଥିବା ନକ୍ସଲ ସଂଗଠନ ସ୍ପଷ୍ଟ କରିଛି।

ଏହା ବ୍ୟତୀତ ଆକ୍ରମଣ ପଛର କାରଣ ସଂଗଠନ ପକ୍ଷରୁ ଆଜି ଅବଗତ କରାଯାଇଛି। ପୁଲିସ କ୍ରାନ୍ତିକାରୀ ଆନ୍ଦୋଳନକୁ ଧ୍ବଂସ କରିବା ପାଇଁ ଯେଉଁ ଯୋଜନା କରିଛି, ସେଥିରେ ସଫଳ ହୋଇପାରିବ ନାହିଁ। ଡିଜିପି ଡିଏମ ଅବସ୍ତି ଓ ସୁରକ୍ଷା ପରାମର୍ଶଦାତା ବିଜୟ କୁମାରଙ୍କ ନେତୃତ୍ବରେ ନକ୍ସଲ ଦମନ ନେଇ ଯେଉଁ ପ୍ରକ୍ରିୟା ଚାଲିଛି ଏହି ଆକ୍ରମଣ ତାହାର ଗୋଟିଏ ଜବାବ। ଲୋକଙ୍କ ପ୍ରତି ଯବାନଙ୍କ ବର୍ବରତା ବୃଦ୍ଧି ହୋଇଥିବାରୁ ସଂଗଠନ ଏମିତି ଆକ୍ରମଣ କରିବା ପାଇଁ ବାଧ୍ୟ ହୋଇଛି। ମିଥ୍ୟା ମାମଲାରେ ଲୋକଙ୍କୁ ଧରି ପୁଲିସ ନିର୍ଯାତନା ଦେବା ସହ ମାରଧର କରୁଛି। ମହିଳାଙ୍କୁ ଅସଦାଚରଣ କରୁଛି। ଲୋକଙ୍କ ସଂପତ୍ତିକୁ ଲୁଟ କରୁଛି ବୋଲି ମାଓ ସଂଗଠନ ଅଭିଯୋଗ କରିଛି। ସେହିପରି ଏହି ଘଟଣା ସଂଗଠନ ପାଇଁ ଗୋଟିଏ ବଡ଼ ବିଜୟ ଏବଂ ସଂଗଠନ ବିଜୟ ଉତ୍ସବ ପାଳନ କରିଥିବା ସୂଚନା ଦିଆଯାଇଛି। ପୁଞ୍ଜିପତି, କର୍ପୋରେଟ ଦଲାଲଙ୍କୁ ଆମର ଜଳ, ଜଂଗଲ ଓ ଜମି ଦେବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଯେଉଁ ଯୋଜନା କରିଛନ୍ତି ତାହାକୁ କେବେ ହେଲେ ସଫଳ ହେବାକୁ ଦେବୁ ନାହିଁ। ଯଦି ଆଗାମୀ ଦିନରେ ପୁଣି କ୍ରାନ୍ତିକାରୀ ଯୁଦ୍ଧକୁ ଦମନ କରିବାକୁ ଚେଷ୍ଟା କରାଯିବ ଏବଂ ପୁଲିସ ଥାନା ଏ ଅଂଚଳରୁ ଉଠିବ ନାହିଁ; ତାହେଲେ ପୁଣି ଏଭଳି ଆକ୍ରମଣ କରାଯିବ ବୋଲି ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି।

ସମ୍ବନ୍ଧିତ ଖବର