ମେଣ୍ଡରାଜପୁର ବସ୍‌ ଟ୍ରାଜେଡି: ମୃତକଙ୍କ ପରିବାରକୁ ଭେଟିଲେ ୨ ମନ୍ତ୍ରୀ

ଗୋଳନ୍ଥରା : ମେଣ୍ତରାଜପୁର ଛକରେ ବିଦ୍ୟୁତ ସ˚ସ୍ପର୍ଶରେ ଆସି ବସ୍‌ରେ ବସିଥିବା ୧୦ଜଣଙ୍କ ମୃତ୍ୟୁ ଓ ୧୮ଜଣ ଆହତ ହେବା ଘଟଣା ରାଜ୍ୟବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ବିଭିନ୍ନସ୍ତରରେ ତନାଘନା ଜାରି ରହିଛି। ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା ଓ ସ୍ଥାନୀୟ ଲୋକପ୍ରତିନିଧିମାନେ ଆଜି ସନ୍ଧ୍ୟାରେ ଡଙ୍କଲପାଡ଼ୁ ଗାଁକୁ ଯାଇ ଦୁଇ ମୃତକଙ୍କ ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତି। ‌ତେବେ ମୃତକଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ, ପରିବାରବର୍ଗକୁ ଥଇଥାନ କରିବା ଓ ଜୀବିକା ଯୋଗାଇବାକୁ ଗ୍ରାମବାସୀ ଦାବି କରିଥିଲେ। କ୍ଷତିପୂରଣ ପ୍ରଦାନ ସମେତ ବିଭିନ୍ନ ଦାବି ବିଷୟରେ ମୁଖ୍ୟମନ୍ତ୍ରୀଙ୍କ ସହ ସେମାନେ ଆଲୋଚନା କରିବେ ବୋଲି ଉଭୟ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ।

ଅନ୍ୟପକ୍ଷ‌ରେ ଦୁଇ ମନ୍ତ୍ରୀ ମେଣ୍ଡରାଜପୁର ଯାଇ ଘଟଣାସ୍ଥଳରେ ଅନୁଧ୍ୟାନ କରିଥିଲେ। ବିଦ୍ୟୁତ୍ ବିଭାଗର ଅବହେଳା କାରଣରୁ ଏତେବଡ଼ ଅଘଟଣ ଘଟିଲା। ରାସ୍ତାକାମରେ କୌଣସି ଅସୁବିଧା ନାହିଁ। ବସ୍ ଚାଳକଙ୍କ ଦାୟିତ୍ବହୀନତା ବି ଅନ୍ୟତମ କାରଣ। ଏଥିପାଇଁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ଦୁଇ ମନ୍ତ୍ରୀ କହିଛନ୍ତି। ସେହିପରି ଅନେକ ଆହତଙ୍କ ଅବସ୍ଥା ଏବେ ବି ଭଲ ନଥିବାରୁ ଗାଁରେ ୨୪ ଘଣ୍ଟିଆ ଡାକ୍ତରୀ ଟିମ୍ ନିୟୋଜିତ ପାଇଁ ଦାବି କରାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ଗୋପାଳପୁର ବିଧାୟକ ଡ.ପ୍ରଦୀପ କୁମାର ପାଣିଗ୍ରାହୀ, ବ୍ରହ୍ମପୁର ପୂର୍ବତନ ବିଧାୟକ ଡା.ରମେଶଚନ୍ଦ୍ର ଚ୍ୟାଉପଟ୍ଟନାୟକ, ତ୍ରିଗୁଣାତିତ ଦେଓ, ରଂଗେଇଲୁଣ୍ଡା ବ୍ଲକ୍ ଅଧ୍ୟକ୍ଷା ସି.ଏଚ.ଉ‌ଷାରାଣୀ, ଉପାଧ୍ୟକ୍ଷ ଅଜିତ୍ ଦାସ, ଜିଲ୍ଲା ପରିଷଦ ସଭ୍ୟ ମଞ୍ଜୁଶ୍ରୀ ଦଳାଇଙ୍କ ସମେତ ଜନପ୍ରତିନିଧି ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର