ରାଜ୍ୟ ସମବାୟ ବ୍ୟାଙ୍କ ସହିତ ଜିଲ୍ଲା ବ୍ୟାଙ୍କର ମିଶ୍ରଣ ଚିନ୍ତା

ଭୁବନେଶ୍ୱର : ଓଡ଼ିଶା ରାଜ୍ୟ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ସହିତ ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କଗୁଡ଼ିକର ମିଶ୍ରଣ ପାଇଁ ରାଜ୍ୟ ସରକାର ଚିନ୍ତା କରୁଛନ୍ତି। ଉଭୟ ରାଜ୍ୟ ଏବଂ ଜିଲ୍ଲା ବ୍ୟାଙ୍କ ମିଶି ଗୋଟିଏ ବ୍ୟାଙ୍କରେ ପରିଣତ ହେବ। ଏଭଳି ମିଶ୍ରଣ କେରଳ ସମେତ ୫/୬ଟି ରାଜ୍ୟରେ କରାଯାଇଛି। ଏ ନେଇ ଅନୁଧ୍ୟାନ ପାଇଁ ରାଜ୍ୟ ସରକାର ଏକ କମିଟି ଗଠନ କରିଛନ୍ତିି। ସମବାୟ ଏବଂ ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି ଯେ ରାଜ୍ୟର ୧୭ଟି ଜିଲ୍ଲାରେ ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଏବଂ ସେହି ବ୍ୟାଙ୍କର ନିଜ ନିଜ ଶାଖା ରହିଛି। ସେଥିମଧ୍ୟରୁ କିଛି ବ୍ୟାଙ୍କର ଆର୍ଥିକ ସ୍ଥିତି ଅତ୍ୟନ୍ତ ସାଂଘାତିକ। କୋଟି କୋଟି ଟଙ୍କାର ଋଣ ବା ଏନ୍‌ପିଏ ହେଲାଣି। ଫଳରେ ସେହି ବ୍ୟାଙ୍କଗୁଡ଼ିକ ବୁଡ଼ିଯିବାକୁ ବସିଛନ୍ତିି। କିଛି ବ୍ୟାଙ୍କ ଶାଖାର କର୍ମକର୍ତା ବି ଗିରଫ ହେଲେଣି। କଥା ହେଉଛି ଯେ ଜିଲ୍ଲା ସମବାୟ ବ୍ୟାଙ୍କଗୁଡ଼ିକ ବୃତ୍ତିଗତ ଭାବେ ପରିଚାଳନା କରାଯାଉନାହିଁ।

ଅନ୍ୟପକ୍ଷରେ କେରଳ, ଉତ୍ତର ପ୍ରଦେଶ ଭଳି କିଛି ରାଜ୍ୟରେ ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କଗୁଡ଼ିକୁ ରାଜ୍ୟର ମୁଖ୍ୟ ସମବାୟ ବ୍ୟାଙ୍କ ସହିତ ମିଶାଇ ଦିଆଯାଇଛି। କେରଳ ପଦ୍ଧତିରେ ଓଡ଼ିଶାରେ ଜିଲ୍ଲା ବ୍ୟାଙ୍କଗୁଡ଼ିକୁ ରାଜ୍ୟ ସମବାୟ ବ୍ୟାଙ୍କ ସହିତ ମିଶ୍ରଣ ପାଇଁ ଚିନ୍ତା କରାଯାଉଛି। ଏହା କରାଗଲେ ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କଗୁଡ଼ିକରେ ବ୍ୟାଙ୍କ ପଦ୍ଧତି ଅନୁସରଣ କରିହେବ। ତେବେ ଏ ନେଇ ଏକ ଅନୁଧ୍ୟାନ ପାଇଁ କମିଟି ଗଠିତ ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଥିଲେ।

ସମ୍ବନ୍ଧିତ ଖବର