ଥମୁନି ଶ୍ରମିକ ଅଶାନ୍ତି : ମେସ୍କୋ ମାଲିକାଣୀଙ୍କୁ ମୁକୁଳାଇଲା ପୁଲିସ, ଶ୍ରମିକଙ୍କ ଆତ୍ମହତ୍ୟା ଉଦ୍ୟମ ପରେ ଉତ୍ତେଜନା

ଯଖପୁରା/ଦାନଗଦୀ : କଳିଙ୍ଗନଗର ଶିଳ୍ପାଞ୍ଚଳରେ ମେସ୍କୋ ପରିଚଳନାରେ ଥିବା ମୈଥାନ କଂପାନିର କର୍ମଚାରୀଙ୍କୁ ୧୧ ମାସ ହେଲା ଦରମା ମିଳିନି। ଭୋକିଲା କର୍ମଚାରୀ ତାତିଯାଇ ଗତକାଲିଠାରୁ ମେସ୍କୋ ମାଲିକାଣୀ ରୀତା ସିଂଙ୍କୁ ଅଟକ ରଖିଥିଲେ। ତେବେ ୩୮ ଘଣ୍ଟା ପରେ ପୁଲିସ ସୁରକ୍ଷା ବଳୟ ମଧ୍ୟରେ ସେ ମେସ୍କୋ ଗେ‌ଷ୍ଟ ହାଉସ୍‌ରୁ ମୁକୁଳିଛନ୍ତି। ଏଥିସହ ଗେଷ୍ଟ ହାଉସ୍‌ ସମ୍ମୁଖରେ ବସି ରହିଥିବା ୪୦ଜଣ ଶ୍ରମିକଙ୍କୁ ପୁଲିସ ଉଠାଇ ନେଇଛି। ମାତ୍ର ଏହାକୁ ନେଇ ଶ୍ରମିକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବକେୟା ଦରମା ପ୍ରଦାନରେ ଅବହେଳା ପାଇଁ ଏବେ ବି ଅଶାନ୍ତି ଲାଗି ରହିଛି।

କଳିଙ୍ଗନଗର ଶିଳ୍ପାଞ୍ଚଳ ଅନ୍ତର୍ଗତ ମୈଥାନ ଇସ୍ପାତ କାରଖାନାରେ ଦୀର୍ଘ ଏଗାର ମାସ ଧରି ଦରମା ନପାଇ ଶ୍ରମିକ ଏବଂ କର୍ମଚାରୀ ଦୟନୀୟ ଜୀବନ କାଟୁଛନ୍ତି। ମେସ୍କୋ ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ରୀତା ସିଂଙ୍କୁ ଶ୍ରମିକମାନେ ଗତକାଲିଠାରୁ ଘେରାବନ୍ଦୀ କରି ରଖିଥିଲେ। ଦରମା ଆଶା ମଉଳିବା ପରେ ଆଜି ସକାଳ ୯ଟା ବେଳେ ଜଣେ ଶ୍ରମିକ ଦେବେନ୍ଦ୍ର ଜେନା ନିଜ ଦେହରେ କିରୋସିନି ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତେବେ ସେ ଶରୀରରେ ନିଆଁ ଲଗାଇବା ପୂର୍ବରୁ ଅନ୍ୟ ଶ୍ରମିକ ଏବଂ ଯଖପୁରା ଥାନା ଏସ୍ଆଇ ତାଙ୍କୁ ଉଦ୍ଧାର କରିଥିଲେ। କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର, ଯାଜପୁର ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଚରଣ ସିଂ ମୀନା, କଳିଙ୍ଗନଗର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରାଜକିଶୋର ଦୋରା, ଦାନଗଦୀ ତହସିଲଦାର ବୁଲବୁଲ ବେହେରା, ସୁକିନ୍ଦା ବିଧାୟକ ଇଂ ପ୍ରୀତିରଞ୍ଜନ ଘଡ଼ାଇ ଏବଂ କଳିଙ୍ଗନଗର ମଜଦୁର ୟୁନିଅନର ସଭ୍ୟମାନଙ୍କୁ ନେଇ ଦୀର୍ଘ ୬ ଘଣ୍ଟା ଧରି ବୈଠକ ହୋଇଥିଲା। ମଜଦୁର ୟୁନିଅନ ପକ୍ଷରୁ ସମସ୍ତ ଶ୍ରମିକ ଏବଂ କର୍ମଚାରୀଙ୍କୁ ସମସ୍ତ ବକେୟା ଦେବାକୁ ଦାବି ହୋଇଥିଲା। ଏହା ସମୟସାପେକ୍ଷ ଓ ଏତେ ଟଙ୍କା ଦେବା ସମ୍ଭବ ନୁହେଁ ବୋଲି କାରଖାନା ମାଲିକ ରୋକଠୋକ କହିଥିଲେ। ଘଣ୍ଟା ଘଣ୍ଟା ଆଲୋଚନା ପରେ ମଧ୍ୟ କାରଖାନା ମାଲିକ ମାତ୍ର ପନ୍ଦର ଦିନର ଦରମାକୁ ତିନି କିସ୍ତିରେ ଦେବାକୁ ରାଜି ହୋଇଥିଲେ। ସମାଧାନ ହୋଇ ନ ପାରିବାରୁ ଶ୍ରମିକ ଓ କର୍ମଚାରୀମାନେ ଗେଷ୍ଟ ହାଉସ୍‌ ସମ୍ମୁଖକୁ ଅବରୋଧ କରି ବସି ରହିଥିଲେ। ରାତି ପ୍ରାୟ ୮ଟା ସମୟରେ କଳିଙ୍ଗନଗର ଅତିରିକ୍ତ ଏସ୍‌ପି ରାଜ କିଶୋର ଦୋରା, କଳିଙ୍ଗନଗର ଥାନା ଅଧିକାରୀ ରାଜେନ୍ଦ୍ର ନାରାୟଣ ପଟ୍ଟନାୟକ, ଯଖପୁରା ଥାନା ଅଧିକାରୀ ଲକ୍ଷ୍ମଣ ଦଣ୍ଡସେନା, ଯାଜପୁର ରୋଡ ଥାନା ଅଧିକାରୀ ଅନୀଲ କୁମାର ମହାନ୍ତି ଏବଂ ପୁଲିସ ଫୋର୍ସ ଆନ୍ଦୋଳନରତ ଶ୍ରମିକଙ୍କୁ ବଳପୂର୍ବକ ଉଠାଇ ନେବା ସହ କାରଖାନା ମାଲିକ‌ାଣୀ ରୀତା ସିଂଙ୍କୁ ସୁରକ୍ଷିତ ଭାବେ ବାହାରକୁ ନେଇଯାଇଥିଲେ। ପୁଲିସ କଳିଙ୍ଗନଗର ମଜଦୁର ସଂଘ ମୈଥାନ ଶାଖାର ସଭାପତି ପ୍ରଦୀପ କୁମାର ପାଳ, ସମ୍ପାଦକ ବିଜୟ ଦଳାଇଙ୍କ ସମେତ ୪୦ ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର