ମାଟ୍ରିକ୍‌ ପରୀକ୍ଷା ପ୍ରସ୍ତୁତି: ସ୍କ୍ଵାଡ୍‌ରେ ରହିବେ ଅଧ୍ୟାପକ!

ଭୁବନେଶ୍ୱର: ଫେବ୍ରୁଆରି ୨୩ରୁ ମାଟ୍ରିକ୍‌ ପରୀକ୍ଷା। ହାତରେ ଆଉ ମାତ୍ର ୯ ଦିନ ଥିବା ବେଳେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏଥର ବ୍ୟାପକ ସଂସ୍କାର ଅଣାଯାଇଛି। ପୂର୍ବରୁ ପରୀକ୍ଷା କେନ୍ଦ୍ର ଚୟନରେ ପରିବର୍ତନ କରାଯାଇଥିବା ବେଳେ ଏବେ କପି ରୋକିବା ଲାଗି ମଧ୍ୟ କଡ଼ା ଅଭିମୁଖ୍ୟ ଗ୍ରହଣ କରାଯାଇଛି। ପ୍ରତିବର୍ଷ ପରି ଏଥର ମଧ୍ୟ ତିନିସ୍ତରୀୟ ସ୍କ୍ଵାଡ୍‌ ହେବ। ଜିଲ୍ଲା ଓ ବୋର୍ଡସ୍ତରରେ ହେବାକୁ ଥିବା ସ୍କ୍ଵାଡ୍‌ରେ ସରକାରୀ ଯୁକ୍ତ୨ ଓ ଡିଗ୍ରି କଲେଜର ଅଧ୍ୟାପକଙ୍କୁ ସାମିଲ କରିବାକୁ ସ୍ଥିର ହୋଇଛି। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଗଣଶିକ୍ଷା ବିଭାଗକୁ ପ୍ରସ୍ତାବ ପଠାଯାଇଥିବା ଜଣାପଡ଼ିଛି। ସାରା ରାଜ୍ୟରେ ପରିଷଦସ୍ତରରେ ୩୭ଟି ଓ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ) ସ୍ତରରେ ୫୮ଟି ସ୍କ୍ଵାଡ୍‌ କରିବାକୁ ନିଷ୍ପତ୍ତି ନିଆଯାଇଛି। ସ୍କ୍ଵାଡ୍‌ଗୁଡ଼ିକରେ ଜଣେ ଲେଖାଏ ଅଧ୍ୟାପକଙ୍କୁ ସାମିଲ କରାଯିବ। ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ଉଚ୍ଚଶିକ୍ଷା ବିଭାଗର ସହାୟତା ଲୋଡ଼ାଯାଇଛି। ଜିଲ୍ଲା ଅନୁଯାୟୀ ଅଧ୍ୟାପକଙ୍କୁ ଚିହ୍ନଟ କରାଯାଇ ତାଲିକା ମଧ୍ୟ ପ୍ରସ୍ତୁତ ହୋଇସାରିଛି। ଯେଉଁ କଲେଜରେ ଅଧିକ ଅଧ୍ୟାପକ ଅଛନ୍ତି ସେହି କଲେଜର ଅଧ୍ୟାପକଙ୍କୁ ସ୍କ୍ଵାଡ୍‌ରେ ସାମିଲ କରାଯିବ। ଏହି ଦୁଇସ୍ତରୀୟ ସ୍କ୍ଵାଡ୍‌ ବ୍ୟତୀତ ଗଣଶିକ୍ଷା ବିଭାଗ ସଚିବ, ନିର୍ଦେଶକ, ଉପ ନିର୍ଦେଶକମାନେ ପରୀକ୍ଷା ପରିଚାଳନାର ତଦାରଖ କରିବେ।

ବିଭାଗର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ ପୂର୍ବରୁ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ, ବୋର୍ଡ କମିଟିର ସଦସ୍ୟମାନେ ସ୍କ୍ଵାଡ୍‌ରେ ସାମିଲ ହେଉଥିଲେ। ଡିଇଓମାନେ ମଧ୍ୟ ନିଜ ସ୍ତରରେ ଏନେଇ ବ୍ୟବସ୍ଥା କରୁଥିଲେ। ଏଥର ଗଣଶିକ୍ଷା ବିଭାଗ ଅଧୀନରେ ଯୁକ୍ତ୨ କଲେଜ ରହିଥିବାରୁ ପରିବର୍ତନ କରିବାକୁ ନିଷ୍ପତ୍ତି ହୋଇଛି। ଶହେ ଜଣ ଅଧ୍ୟାପକଙ୍କ ତାଲିକା ପ୍ରସ୍ତୁତ ସରିଛି। ଏଭଳି କରାଯିବା ଦ୍ୱାରା କପି ରୋକାଯାଇ ପାରିବ। ବୁଧବାର ଅପରାହ୍ନ ସୁଦ୍ଧା ପରିଷଦକୁ ଏନେଇ ଅବଗତ କରାଯିବ। ଯଦି ନିଷ୍ପତ୍ତି ଚୂଡ଼ାନ୍ତ ହୁଏ ତେବେ ଯେଉଁ ଅଧ୍ୟାପକମାନେ ସ୍କ୍ଵାଡ୍‌ରେ ରହିବେ ସେମାନଙ୍କ ଲାଗି ପରୀକ୍ଷା ପୂର୍ବରୁ ତାଲିମ ଦିଆଯିବ। ସ୍କ୍ଵାଡ୍‌ରେ ଯିବା ସମୟରେ କିଭଳି କାର୍ଯ୍ୟ କରିବେ, କେଉଁଠିକୁ ଯିବେ, ପରୀକ୍ଷା ତଦାରଖ କରିବା ସମୟରେ ସେମାନଙ୍କ ଦାୟିତ୍ୱ ସମ୍ପର୍କରେ ଅବଗତ କରାଯିବ।ଅନ୍ୟପକ୍ଷରେ ଆସନ୍ତା ୧୫ ତାରିଖରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ସମୀକ୍ଷା ବୈଠକ କରିବେ। ଏଥିରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳ, ଏସ୍‌ପି, ଡିଇଓମାନେ ସାମିଲ ହେବେ। ବିଭାଗୀୟ ଶାସନ ସଚିବଙ୍କ ସମେତ ପରିଷଦର ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହି ତଥ୍ୟ ଉପସ୍ଥାପିତ କରିବେ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର