ଇଂରାଜୀରେ ଖରାପ କରିଛନ୍ତି ମାଟ୍ରିକ ପିଲା, ୯୭୧ ହାଇସ୍କୁଲରେ ୩୫% ପିଲା ପାସ୍‌ କରିନାହାନ୍ତି

ଉଚ୍ଚ ବିଦ୍ୟାଳୟରେ ନାହାନ୍ତି ବିଷୟଭିତ୍ତିକ ଶିକ୍ଷକ

ଭୁବନେଶ୍ବର: କାହିଁକି କମିଲା ମାଟ୍ରିକ୍‌ ପାସ୍‌ହାର? ଶିକ୍ଷକ ପଢ଼ାଇଲେନି ନା ପିଲା ପଢ଼ିଲେନି? କେଉଁଠି ରହିଲା ତ୍ରୁଟି? ୨୦ ଦିନ ହେଲା କାରଣ ଖୋଜିଖୋଜି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିକାରୀ ନୟାନ୍ତ। ଜଣେ ପିଲା ପାସ୍‌ କରି ନଥିବା ୮୨ଟି ଉଚ୍ଚ ବିଦ୍ୟାଳୟକୁ କାରଣଦର୍ଶାଅ ନୋଟିସ୍‌ ଜାରି ହୋଇଛି। ସରକାରୀ ହାଇସ୍କୁଲର ପ୍ରଧାନଶିକ୍ଷକ/ପ୍ରଧାନଶିକ୍ଷୟିତ୍ରୀଙ୍କୁ କାହିଁକି ନିଲମ୍ବନ କରା ନଯିବ ବୋଲି ପ୍ରଶ୍ନ କରାଯାଇଛି। ଅନୁଦାନପ୍ରାପ୍ତ ବିଦ୍ୟାଳୟର ଅନୁଦାନ ପ୍ରତ୍ୟାହାର କରିବାକୁ ବି ଧମକ ଦିଆଗଲାଣି। ତେବେ ରେଜଲ୍ଟ ଖରାପ ଲାଗି କ’ଣ କେବଳ ବିଦ୍ୟାଳୟ କର୍ତୃପକ୍ଷ ଦାୟୀ। ନା ନିଜ ଦୋଷ ଦୁର୍ବଳତାକୁ ଲୁଚାଇବା ଲାଗି ବିଭାଗୀୟ ଅଧିକାରୀମାନେ ଅନ୍ୟ ମୁଣ୍ତରେ ଦୋଷ ଦେଇ ଖସିଯିବାକୁ ବସିଛନ୍ତି। ସରକାରଙ୍କ ଆଭିମୁଖ୍ୟକୁ ନେଇ ଶିକ୍ଷକ ମହଲରେ ଅସନ୍ତୋଷ ଦାନା ବାନ୍ଧିଥିବା ବେଳେ ଆଉ ଏକ ରୋଚକ ତଥ୍ୟ ପଦାକୁ ଆସିଛି।
ମାଟ୍ରିକ୍‌ ପରୀକ୍ଷା ଦେଇଥିବା ୫ ଲକ୍ଷ ୬୨ ହଜାର ୨୧୩ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧ ଲକ୍ଷ ୨୨ ହଜାର ୬୨ ଜଣ ‘ଏଫ୍‌’ ଗ୍ରେଡ୍‌ ଅର୍ଥାତ୍‌ ୪୦ ପ୍ରତିଶତରୁ କମ୍‌ ମାର୍କ ରଖିଛନ୍ତି। ସେମାନଙ୍କ ମଧ୍ୟରୁ ୭୩ ପ୍ରତିଶତ ପରୀକ୍ଷାର୍ଥୀ ଇ˚ରାଜୀରେ ଖରାପ ପ୍ରଦର୍ଶନ କରିଛନ୍ତି। ପ୍ରାୟ ୪୦ ହଜାର ପରୀକ୍ଷାର୍ଥୀ ୩୦ରୁ ୩୫ ମଧ୍ୟରେ ମାର୍କ ରଖି କୃତକାର୍ଯ୍ୟ ହୋଇଛନ୍ତି। ସେହିପରି ଫେଲ୍‌ ହୋଇଥିବା ୧ ଲକ୍ଷ ୬୩ ହଜାର ୯୫୪ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୬୦ ହଜାରରୁ ଅଧିକ ପରୀକ୍ଷାର୍ଥୀ ଇ˚ରାଜୀରେ ଖରାପ କରିଛନ୍ତି। ଇ˚ରାଜୀ ସହ ଗଣିତ ଓ ବିଜ୍ଞାନ ବିଷୟରେ ଖରାପ ପ୍ରଦର୍ଶନ କରିଥିବା ମଧ୍ୟ ନଜରକୁ ଆସିଛି। ଏଭଳି ତଥ୍ୟ ଜଣାପଡ଼ିବା ପରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ବି ଚିନ୍ତା ପ୍ରକଟ କରିଛନ୍ତି। ପିଲାଙ୍କ ଇ˚ରାଜୀ ଦକ୍ଷତା କିଭଳି ବୃଦ୍ଧି କରାଯିବ ସେନେଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଉଥିବା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
ଅନ୍ୟପକ୍ଷରେ ରାଜ୍ୟର ମୋଟ ପାସ୍‌ହାର(୭୦.୭୮%)ର ୫୦ ପ୍ରତିଶତରୁ କମ୍‌ ପରୀକ୍ଷା ଫଳ ଅର୍ଥାତ୍‌ ୩୬% ପାସ୍‌ହାର ଥିବା ବିଦ୍ୟାଳୟଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଅଣ୍ଟା ଭିଡ଼ିଛି ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ। ଖରାପ ଫଳ କରିଥିବା ୯୭୧ଟି ଉଚ୍ଚ ବିଦ୍ୟାଳୟର ତାଲିକା ପ୍ରସ୍ତୁତ କରାଯାଇଛି। କାହିଁକି ଖରାପ ରେଜଲ୍ଟ ହେଲା କାରଣଦର୍ଶାଇବାକୁ ନୋଟିସ୍‌ ପଠାଯାଇଛି। ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ବାର୍ଷିକ ଦରମା ବୃଦ୍ଧି ରୋକାଯିବ ବୋଲି କୁହାଯାଇଛି। ଏହାକୁ ନେଇ ଶିକ୍ଷକ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଶିକ୍ଷକ ସଙ୍ଗଠନ, ଶିକ୍ଷାବିତ୍‌ମାନେ ସିଧାସଳଖ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି।

ଓଷ୍ଟାର ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି କହିଛନ୍ତି ଯେ, ଶୂନ ରେଜଲ୍ଟ କରିଥିବା ୮୨ଟି ବିଦ୍ୟାଳୟ ମଧ୍ୟରେ ଅଧିକାଂଶ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରହିଛି। ଯେଉଁଗୁଡ଼ିକ ଉନ୍ନୀତ ହେବା ପରେ ଶିକ୍ଷକ ନିଯୁକ୍ତି ହୋଇନାହାନ୍ତି। ପ୍ରାଥମିକ ଶିକ୍ଷକ ପଢ଼ାଉଛନ୍ତି। ଅଧିକା˚ଶ ବିଦ୍ୟାଳୟରେ ବିଷୟଭିତ୍ତିକ ଶିକ୍ଷକ ନାହାନ୍ତି। ଯେଉଁଥିପାଇଁ ଇ˚ରାଜୀ ଓ ଗଣିତ ବିଷୟରେ ପିଲାମାନଙ୍କୁ ଉପଯୁକ୍ତ ଶିକ୍ଷା ମିଳୁନି। ସେମାନେ ବାରମ୍ବାର ଖରାପ ପ୍ରଦର୍ଶନ କରୁଛନ୍ତି। ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଅବସର ନେଉଥିଲେ ମଧ୍ୟ ନୂତନ ନିଯୁକ୍ତି ଦିଆଯାଇନି। ଦୁଇ ହଜାରରୁ ଅଧିକ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ନାହାନ୍ତି। ୪୦ ହଜାର ଶିକ୍ଷକ ପଦବି ଖାଲି ପଡ଼ିଛି। ପାଖରେ ପାଖରେ ବିଦ୍ୟାଳୟ ଖୋଲିବାକୁ ସରକାର ଅନୁମତି ଦେଉଛନ୍ତି। ଫଳସ୍ବରୂପ ଏଭଳି ରେଜଲ୍ଟ ହେଉଛି। ରାଜ୍ୟ ସରକାର ଶିକ୍ଷକ ନିଯୁକ୍ତି କରନ୍ତୁ, ଭିତ୍ତିଭୂମିକୁ ଭଲ ଭାବେ ଅନୁଧ୍ୟାନ କରନ୍ତୁ। ତେବେ ଗତ ୫ ବର୍ଷ ହେଲା ରେଜଲ୍ଟ ବାହାରିଲେ ତନାଘନା ହେଉଛି। ମାସେ ଦେଢ଼ ମାସ ପରେ ସମସ୍ତେ ଚୁପ୍‌ ହୋଇଯାଉଛନ୍ତି। ଯଦି ଗୁଣାତ୍ମକ ଶିକ୍ଷା ଦେବାର ଇଚ୍ଛା ଅଛି ତେବେ ଭିତ୍ତିଭୂମିକୁ ସୁଦୃଢ଼ କରନ୍ତୁ। ସବୁବେଳେ ଶିକ୍ଷକମାନଙ୍କ ମୁଣ୍ତରେ ଦୋଷ ଦେଇ ଖସିଗଲେ ଚଳିବନି। ଗଣଶିକ୍ଷା ବିଭାଗ ତଥ୍ୟ କହୁଛି ୮ ହଜାର ୮୯୦ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ଏଥର ମାଟ୍ରିକ୍‌ ପରୀକ୍ଷା ଦେଇଥିଲେ। ଯେଉଁଥିରେ ୩୩୫୬ ସରକାରୀ ଉଚ୍ଚ ବିଦ୍ୟାଳୟ, ୬୦୮ ପୂର୍ଣ୍ଣ ଅନୁଦାନପ୍ରାପ୍ତ, ୨୬୦୮ ନୂତନ ଅନୁଦାନପ୍ରାପ୍ତ, ୧୦୮୫ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ଏକଲବ୍ୟ ପରି ୨୪୬ଟି ଉଚ୍ଚ ବିଦ୍ୟାଳୟ, ୨୦୦ଟି ସ୍କୁଲ ଆଦୌ ଦରମା ପାଇ ନଥିବା ବିଦ୍ୟାଳୟ ରହିଛନ୍ତି। ଅନ୍ୟଗୁଡ଼ିକ ବେସରକାରୀ ତଥା ଘରୋଇ ବିଦ୍ୟାଳୟ।

ସମ୍ବନ୍ଧିତ ଖବର