ଭୁବନେଶ୍ବର-କଟକ ମଧ୍ୟରେ ଚାଲିବ ମେଟ୍ରୋ ଟ୍ରେନ୍, ରାଜ୍ୟର ଉତ୍ତରରୁ-ଦକ୍ଷିଣ ଓ ପୂର୍ବରୁ ପଶ୍ଚିମ ଭାଗକୁ ସଂଯୋଗ କରିବ ବିଜୁ ଏକ୍ସପ୍ରେସ ୱେ

ଭୁବନେଶ୍ବର: ଷୋଡଶ ବିଧାନସଭାର ପ୍ରଥମ ଅଧିବେଶନରେ ନିଜ ଅଭିଭାଷଣ ରଖିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ନିଜର ଅଭିଭାଷଣରେ ସରକାରଙ୍କ ବିକାଶର ଗୋଲାପୀ ଚିତ୍ର ଉପସ୍ଥାପିତ କରିଛନ୍ତି ରାଜ୍ୟପାଳ । ସେ କହିଛନ୍ତି, ବିଜୁ ଏକ୍ସପ୍ରେସ ୱେ ଓଡିଶାର ଉତ୍ତରରୁ ଦକ୍ଷିଣ ଏବଂ ପୂର୍ବରୁ ପଶ୍ଚିମ ଭାଗକୁ ସଂଯୋଗ କରିବ । ମେଟ୍ରୋ ରେଳ ସେବା ଦ୍ୱାରା ଐତିହ୍ୟସଂପନ୍ନ ରୌପ୍ୟ ନଗରୀ କଟକକୁ ସ୍ମାର୍ଟ ସିଟି ଭୁବନେଶ୍ୱର ସହିତ ସଂଯୋଗ କରାଯିବା ନିମନ୍ତେ ତୁରନ୍ତ ସରକାର ଉଦ୍ୟମ କରିବେ ବୋଲି ରାଜ୍ୟପାଳ କହିଛନ୍ତି ।

ପୁରୀ ଏକ ବିଶ୍ୱ ଐତିହ୍ୟ ନଗରୀ ରୂପେ ପରିଗଣିତ ହେବ । ସମସ୍ତ ପ୍ରମୁଖ ପର୍ଯ୍ୟଟନସ୍ଥଳୀଗୁଡିକୁ ରାସ୍ତା ସଂଯୋଗ ସହିତ ସମସ୍ତ ପ୍ରମୁଖ ରାସ୍ତାପାଶ୍ୱରେ ପଥପାଶ୍ୱ ଜନସୁବିଧା କେନ୍ଦ୍ର ସୃଷ୍ଟି କରାଯିବ । ପ୍ରତି ଜିଲ୍ଲାରେ ପର୍ଯ୍ୟଟନ ପରିଷଦ ଗଠନ କରାଯିବ । ପ୍ରତ୍ୟେକ ପ୍ରମୁଖ କ୍ଷେତ୍ରର ସର୍ବୋତ୍ତମ ସୁବିଧା ଥିବା ବିଶ୍ୱ ପାର୍କ ପ୍ରତିଷ୍ଠା କରାଯିବ । ସାରା ରାଜ୍ୟରେ କ୍ଷୁଦ୍ର ଓ ମଧ୍ୟ ଉଦ୍ୟୋଗ ପ୍ରତିଷ୍ଠା ନିମନ୍ତେ ଶିଳ୍ପ କରିଡର ସୃଷ୍ଟି କରାଯିବ । ଯୋଗ୍ୟ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀମାନଙ୍କୁ ରିହାତି ସୁଧ ହାରରେ ଋଣ ଯୋଗାଇଦେବା ନିମନ୍ତେ ସରକାରଙ୍କ ଦ୍ୱାରା ଏକ ଉପଯୋଗୀ ଋଣ ରିହାତି ଯୋଜନା କାର୍ଯ୍ୟକାରୀ ହେବ । ସମସ୍ତ ମହାନଗର ନିଗମ, ପୌର ପରିଷଦ ଏବଂ ବିଜ୍ଞାପିତ ଅଂଚଳ ପରିଷଦରେ ଜଳ ନିଷ୍କାସନ ବ୍ୟବସ୍ଥା ସହ ପାନୀୟ ଜଳ ଏବଂ ପରିମଳ ସୁବିଧାକୁ ସୁନିଶ୍ଚିତ କରାଯିବ । ‘ଓଡିଶା ସ୍ମାର୍ଟ ସିଟିଜ୍ ମିଶନ’ ୫ଟି ମହାନଗରକୁ ସ୍ମାର୍ଟ ସିଟି ରୂପେ ବିକଶିତ କରିବାକୁ ଉଦ୍ୟମ କରାଯିବ ବୋଲି କହିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ।

ସମ୍ବନ୍ଧିତ ଖବର