ବଡ଼ ସହରରେ ଚାଲିବ ମେଟ୍ରୋ ଟ୍ରେନ୍‌: ଜାପାନ ରାଷ୍ଟ୍ରଦୂତ

ଭୁବନେଶ୍ବର : ଜାପାନ ଓ ଭାରତ ମଧ୍ୟରେ ସମ୍ପର୍କ ବହୁ ପୁରୁଣା। ଭାରତର କଳା ସ˚ସ୍କୃତି, ପରମ୍ପରା, ସାହିତ୍ୟ, ଐତିହ୍ୟ, ରାଜନୀତି ଆଦି ଭାରତ ସହିତ ଜାପାନର ସାମଞ୍ଜସ୍ୟ ରହିଛି। ଭାରତର କଳା ସ˚ସ୍କୃତି କ୍ଷେତ୍ରରେ ଜାପାନବାସୀ ଅନୁପ୍ରାଣିତ ହୋଇଛନ୍ତି। ଏହି ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ମଜଭୁତ କରିବା, ଭାରତ ଓ ଜାପାନ ମଧ୍ୟରେ ଆର୍ଥନୈତିକ, ବ୍ୟବସାୟିକ ଓ ସା˚ସ୍କୃତିକ ସମ୍ପର୍କ ଦୃଢ଼ କରିବା, ଉଭୟ ଦେଶର ଲୋକଙ୍କ ମଧ୍ୟରେ ଭାବ ବିନିମୟ, ସଡ଼କ ନିର୍ମାଣ, ଗମନାଗମନ ବ୍ୟବସ୍ଥା ଏବ˚ ପ୍ର‌ତ୍ୟେକ ସ୍ଥାନକୁ ସ˚ଯୋଗୀକରଣ ଜାପାନ ସରକାରଙ୍କ ଆଭିମୁଖ୍ୟ ରହିଛି। ମୁମ୍ବାଇ-ଅହମ୍ମଦାବାଦ ଦ୍ରୁତଗାମୀ ରେଳ ପ୍ରକଳ୍ପ ୨୦୧୮ ସୁଦ୍ଧା ସରିବ ବୋଲି ଜାପାନ ରାଷ୍ଟ୍ରଦୂତ କେନ୍‌ଜି ହିରାମାତ୍ସୁ କହିଛନ୍ତି।

ଉତ୍କଳ ବିଶ୍ବବିଦ୍ୟାଳୟରେ ଅନୁଷ୍ଠିତ ‘ନୂତନ ଯୁଗରେ ଭାରତ-ଜାପାନ ସମ୍ପର୍କ’ ଶୀର୍ଷକ ବକ୍ତୃତା ଦେଇ ଶ୍ରୀ ହିରାମାତ୍ସୁ କହିଲେ, ଦିଲ୍ଲୀରେ ମେଟ୍ରୋ ଟ୍ରେନ୍‌ ଚଳାଚଳର ସଫଳତା ପରେ ଭାରତର ଅନ୍ୟ ବଡ଼ ସହରରେ ଏହା ଚଳାଇବାକୁ ଯୋଜନା ରହିଛି। ବାରଣାସୀରେ ‘ଗଙ୍ଗା ଆକ୍ସନ୍‌ ପ୍ଲାନ ପ୍ରୋଜେକ୍ଟ’ ମାଧ୍ୟମରେ ବିଶୁଦ୍ଧ ଜଳ ପ୍ରକ୍ରିୟାକରଣ, ସ୍ବରେଜ୍‌ ଓ ବସ୍ତି ଅଞ୍ଚଳରେ କମ୍ୟୁନିଟି ଶୌଚାଳୟ ନିର୍ମାଣ, ‘ଯମୁନା ଆକ୍ସନ୍‌ ପ୍ଲାନ୍‌ ପ୍ରୋଜେକ୍ଟ’ ଜରିଆରେ ସ୍ବରେଜ୍‌ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ପ୍ରତିଷ୍ଠା, ପବ୍ଲିକ ଟଏଲେଟ୍‌ର ବିକାଶ, ଜାପାନର ବୈଷୟିକ ସହାୟତାରେ ଶକ୍ତି ସଞ୍ଚୟ, ଜଳସେଚନ ପାଇଁ ସୌରଶକ୍ତି ଚାଳିତ ପମ୍ପସେଟ୍‌ ପ୍ରଚଳନ ପାଇଁ ବ୍ୟବସ୍ଥା ହୋଇଛି। ‘ଆକ୍ଟ ଇଷ୍ଟ ଫୋରମ୍‌’ ମାଧ୍ୟମରେ ଉତ୍ତର-ପୂର୍ବ ଭାରତର ବିକାଶ, ବ୍ରହ୍ମପୁର ନଦୀ(ଧୁବ୍ରି/ଫୁଲବାରି)ରେ ପୋଲ ନିର୍ମାଣ, ମେଘାଳୟରେ ଜାତୀୟ ରାଜପଥ ୪୦ ଓ ୫୧ ଏବ˚ ମିଜୋରାମରେ ଜାତୀୟ ରାଜପଥ ୫୪ ନିର୍ମାଣ, ବିପର୍ଯ୍ୟୟ ଓ ଜଙ୍ଗଲ ପରିଚାଳନାରେ ଉନ୍ନତି ପାଇଁ ପଦକ୍ଷେପ ନିଆଯିବ। ଜାପାନ ବିଦେଶ ସ୍ବେଚ୍ଛାସେବୀ ସହଯୋଗ(ଜେଓସିଭି)ରେ ସ୍ବାସ୍ଥ୍ୟ, କୃଷି, ଭାଷା, ଶିକ୍ଷା, କ୍ରୀଡ଼ା ଓ ଜୀବନଜୀବିକା ଆଦିରେ ଆର୍ଥିକ ବିକାଶ ଲାଗି ୨୦୦ରୁ ଅଧିକ ଯୁବପିଢ଼ିଙ୍କୁ ଭାରତରେ ନିୟୋଜିତ କରାଯାଇଛି। ଜାପାନ ସରକାରଙ୍କ ପକ୍ଷରୁ ଭାରତର ବିକାଶ ପାଇଁ ବିଭିନ୍ନ କ୍ଷେତ୍ରରେ ପୁଞ୍ଜିନିବେଶ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ସେ କହିଥିଲେ।

ବିଶ୍ବବିଦ୍ୟାଳୟର ମାନବ ବିଜ୍ଞାନ ବିଭାଗର ଜାପାନୀ ଭାଷା ପାଇଲଟ୍‌ ପ୍ରକଳ୍ପ ପକ୍ଷରୁ ପକ୍ଷରୁ ପିଜି କାଉନ୍‌ସିଲ୍‌ ହଲ୍‌ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ। ମାନବ ବିଜ୍ଞାନ ବିଭାଗ ମୁଖ୍ୟ ପ୍ରସନ୍ନ କୁମାର ପାତ୍ର ସ୍ବାଗତ ଭାଷଣ ଦେଇଥିବାବେଳେ ପିଜି କାଉନ୍‌ସିଲ୍‌ ଅଧ୍ୟକ୍ଷ ପ୍ରଫେସର ବସନ୍ତ କୁମାର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର