ଭୁବନେଶ୍ୱର : ସ୍କୁଲ୍ଗୁଡ଼ିକରେ ଆଉ ଚୁଲି ଓ କାଠଜାଳରେ ମଧ୍ୟାହ୍ନ ଭୋଜନ ରୋଷେଇ ହେବନି। ଗ୍ୟାସ୍ ଚୁଲାରେ ରୋଷେଇ ହେବ। ଏଥି ପାଇଁ ଯାହା ଖର୍ଚ୍ଚ ହେବ, ତାହାକୁ ସଂପୃକ୍ତ ପଞ୍ଚାୟତ ବହନ କରିବ। ଯେଉଁଠି ରୋଷେଇ ଘର ନାହିଁ, ସେଠାରେ ଘର ନିର୍ମାଣ ପାଇଁ ମଧ୍ୟ ପଞ୍ଚାୟତ ତୁରନ୍ତ ପଦକ୍ଷେପ ଗ୍ରହଣ କରିବ।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରାଥମିକ ବିଦ୍ୟାଳୟଗୁଡ଼ିକର ରକ୍ଷଣାବେକ୍ଷଣ ଦାୟିତ୍ୱ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ନେଲା ପରେ ଗଣଶିକ୍ଷା ବିଭାଗ ପକ୍ଷରୁ ଏହି ଦାୟିତ୍ୱ ଦିଆଯାଇଛି। ଏହା ବାଦ୍ ଆହୁରି ଦୁଇଟି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପଞ୍ଚାୟତକୁ ଦିଆଯାଇଛି। ସ୍କୁଲ୍ଗୁଡ଼ିକରେ ବିଦ୍ୟୁତିକରଣ କରାଯାଇ ନ ଥିବାରୁ ବହୁ ସମୟରେ ସରକାର ସମାଲୋଚିତ ହେଉଛନ୍ତି। ରାଜ୍ୟରେ ଅଧିକାଂଶ ସ୍କୁଲ୍ ଅନ୍ଧାରରେ ଅଛି। ଏହାକୁ ନଜରରେ ରଖି ସ୍କୁଲ୍ଗୁଡ଼ିକର ବିଦ୍ୟୁତିକରଣ କରିବା ପାଇଁ ପଞ୍ଚାୟତକୁ ଦାୟିତ୍ୱ ଦିଆଯାଇଛି। ସ୍କୁଲ୍ରେ ବିଦ୍ୟୁତ ସଂଯୋଗ କରିବା ସହ ଦେୟ ବି ପଞ୍ଚାୟତ ବହନ କରିବ। ଏହା ବାଦ୍ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ସଂପୃକ୍ତ ପଞ୍ଚାୟତ ଦ୍ୱାରା ପାଇଖାନା ନିର୍ମାଣ ଓ ପାନୀୟ ଜଳଯୋଗାଣର ବ୍ୟବସ୍ଥା କରାଯିବା ପାଇଁ ମଧ୍ୟ ନିଷ୍ପତ୍ତି ହୋଇଛି।
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସଂକଳ୍ପ ଅନୁସାରେ ଗ୍ରାମାଞ୍ଚଳରେ ଥିବା ସରକାରୀ ସ୍କୁଲ୍ ଗୃହଗୁଡ଼ିକର ମରାମତି ଦାୟିତ୍ୱ ପଞ୍ଚାୟତିରାଜ ଓ ପାନୀୟ ଜଳ ଏବଂ ସହରାଞ୍ଚଳରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗକୁ ପ୍ରଦାନ କରାଯାଇଛି। ସରକାରୀ ତଥା ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ଅଭିଯାନ ପାଣ୍ଠିରେ ଚାଲିଥିବା ଗ୍ରାମାଞ୍ଚଳ ମାଧ୍ୟମିକ ଓ ଉନ୍ନୀତ ମାଧ୍ୟମିକ ବିଦ୍ୟାଳୟ ଗୃହଗୁଡ଼ିକର ମରାମତି ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ ଏବଂ ସହରାଞ୍ଚଳରେ ସେହି ଗୃହଗୁଡ଼ିକର ଦାୟିତ୍ୱ ପୂର୍ତ୍ତ ବିଭାଗ ଉପରେ ନ୍ୟସ୍ତ କରାଯାଇଛି। ପଞ୍ଚାୟତିରାଜ ବିଭାଗ ଏହି ବାବଦରେ କରୁଥିବା ବ୍ୟୟ ଗ୍ରାମପଞ୍ଚାୟତ ସ୍ତରରେ ଭରଣା କରାଯିବାକୁ ନିଷ୍ପତ୍ତି ହୋଇଥିବା ବେଳେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସେହି ବ୍ୟୟ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡ଼ିକ ନିକଟରେ ଉପଲବ୍ଧ ଅନୁଦାନ ତଥା ଅର୍ଥ କମିସନ୍ ଅନୁଦାନରୁ ଭରଣା କରିବେ। ଏହି ବ୍ୟବସ୍ଥା ଫଳରେ ଏଣିକି ଓପେପା ଓ ରାମ୍ସାରୁ ନୂଆ ସ୍କୁଲ୍ ଗୃହ ନିର୍ମାଣ ପାଇଁ ମିଳୁଥିବା ପାଣ୍ଠି ସଂପୃକ୍ତ ବିଭାଗକୁ ହସ୍ତାନ୍ତର ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି।