ମଧ୍ୟାହ୍ନଭୋଜନ ଚାଉଳ ଜବତ୍‌ ମାମଲା : ଚପାଇବା ଉଦ୍ୟମ ପଣ୍ଡ

କେନ୍ଦ୍ରାପଡ଼ା/ଡେରାବିଶ : ମଧ୍ୟାହ୍ନ ଭୋଜନ ଚାଉଳ ହଡ଼ପ ଯୋଜନା ଧରାପଡ଼ିବା ପରେ ଘଟଣାକୁ ଚପାଇ ଦେବା ଉଦ୍ୟମ ମଧ୍ୟ ପଣ୍ଡ ହୋଇଛି। କନ୍ଦ୍ରାପଡ଼ା ସଦର ଥାନା ଆଇଅେଇସି ସୁଜିତ କୁମାର ପ୍ରଧାନ ମଧ୍ୟାହ୍ଣ ଭୋଜନ ଚାଉଳ ବୋଝେଇ ଟ୍ରକ୍‌ ଡ୍ରାଇଭର୍‌ ଅରୁଣ କୁମାର ମହାପାତ୍ର ଓ ଚାଉଳ ଯୋଗାଣକାରୀ ଏଜେଣ୍ଟ୍‌ ତାରେଣୀ କୁମାର ସାହୁକୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି। ସଦର ଥାନା କେସ୍‌ ନଂ ୩୩୦/୧୭ରେ ଭାରତୀୟ ଦଣ୍ଡ ବିଧିଆଇନ୍‌ର ଅପରାଧିକ ବିଶ୍ୱାସ ଭଙ୍ଗର ଧାରା ୪୦୬ ଓ ସରକାରୀ ସମ୍ପତ୍ତି ତୋଷରପାତ ପାଇଁ ଦଫା ୪୦୬ରେ ଏହି ଦୁଇ ଜଣଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି। ଏସ୍‌ଡ଼ିଜେଏମ୍‌ଙ୍କ କୋର୍ଟରେ ଉଭୟଙ୍କ ଜାମିନ ନାମଂଜୁର ହେବାରୁ ବାରିମୂଳ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏହି ମାମଲାକୁ ଚପାଇବାକୁ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଜୋରଦାର ଉଦ୍ୟମ ହୋଇଥିବା ବେଳେ ଏହି ଚାଉଳ ଲୁଟ ମାମଲାରେ ଜଣେ ବାହୁବଳୀ ଯୁବନେତାଙ୍କ ସଂପୃକ୍ତି ଥିବା ଚର୍ଚ୍ଚା ହେଉଛି।

ଗୁରୁତ୍ୱପୂର୍ଣ୍ଣ ହେଲା ଏହି ଘଟଣା ଧରାପଡ଼ିବା ପରେ ପ୍ରଶାସନିକ କ୍ଷେତ୍ରରେ ମାମଲାକୁ ଚପାଇ ଦେବାକୁ ଜୋରଦାର ଉଦ୍ୟମ ହୋଇଥିଲା। ଜିଲ୍ଲାପାଳ ରଘୁ ଜୀଙ୍କୁ ଅନ୍ଧାରରେ ରଖି ବଦନାମରୁ ମୁକୁଳିବା ଓ ମଧ୍ୟାହ୍ଣ ଭୋଜନ ଠିକା ନେଇଥିବା କିଛି କୁଜି ନେତାଙ୍କୁ ଖସାଇବା ଉଦ୍ୟମ ଆରମ୍ଭ ହୋଇଥିଲା। ଅତି ଚତୁରତାର ସହ ନିଜେ ଜିଲ୍ଲା ଶିକ୍ଷାଧିକାରୀ, ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ, ମଧ୍ୟାହ୍ଣ ଭୋଜନ କାର୍ଯ୍ୟକ୍ରମ ସଂଯୋଜନା କରୁଥିବା ନୋଡ଼ାଲ ଅଫିସର, ଡେରାବିଶ ବ୍ଲକ୍‌ ଶିକ୍ଷାଧିକାରୀ ସଫେଇ ପରେ ସଫେଇ ଦେଇ ଚାଲିଥିଲେ ପୁଲିସକୁ। ଜିଲ୍ଲାପାଳ ରଘୁ ଜୀ ଘଟଣାର ବିଧିବଦ୍ଧ ତଦନ୍ତ କରି କୌଣସି ଅନିୟମିତତା ଥିଲେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ଶେଷକୁ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ମଧ୍ୟ ଏନେଇ କଡ଼ା ନିର୍ଦ୍ଦେଶ ଦେବା ପରେ ଆଜି ଥାନାରେ ଅଭିଯୁକ୍ତ ଦ୍ୱୟଙ୍କୁ ଗିରଫ କରାଯିବା ସହ ହଡ଼ପ କରାଯାଉଥିବା ୫୦୦ ବସ୍ତା ଚାଉଳ ସହ ଟ୍ରକ୍‌କୁ ଜବତ କରାଯାଇଛି।

ସମ୍ବନ୍ଧିତ ଖବର