ଏଥର ବି ଭୋଟ୍‌ରୁ ବଂଚିତ ହେବେ ଦାଦନ

କେସିଙ୍ଗା : କଳାହାଣ୍ତି ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆସନ୍ତା ୧୧ ତାରିଖରେ ଅନୁଷ୍ଠିତ ହେବ। ଏଥର ବି ଅଲୋଡ଼ା ହୋଇଛନ୍ତି ଜିଲ୍ଲାର ବିଭିନ୍ନ ଅଂଚଳକୁ ତଥା ରାଜ୍ୟ ବାହାରକୁ ପେଟ ପାଇଁ ଯାଇଥିବା ହଜାର ହଜାର ଦାଦନ ଶ୍ରମିକ। ନିର୍ବାଚନ କମିସନଠୁ ଆରମ୍ଭ କରି ସମସ୍ତ ରାଜନୈତିକ ଦଳ ସମାଜର ସବୁଠାରୁ ତଳ ସ୍ତରରେ ରହୁଥିବା ଲୋକଙ୍କ ବିକାଶ କଥା କହୁଥିଲେ ମଧ୍ୟ ଏମାନଙ୍କୁ ଆଣି ମତଦାନ କରାଇବାର କାହାର ଆନ୍ତରିକତା ନାହିଁ।

କଳାହାଣ୍ତି ଲୋକସଭା ନିର୍ବାଚନମଣ୍ତଳୀ କଳାହାଣ୍ତି ଓ ନୂଆପଡ଼ାର ସାତଗୋଟି ବିଧାନସଭା କ୍ଷେତ୍ରକୁ ନେଇ ଗଠିତ। ଏହି ନିର୍ବାଚନମଣ୍ତଳୀର ଅଧିକାଂଶ ବ୍ଲକ ଅଂଚଳ ଦାଦନପ୍ରବଣ। ନୂଆଁଖାଇ ପରଠାରୁ ଏହି ଅଂଚଳରୁ କାମ ଧନ୍ଦା ଅନ୍ବେଷଣ ପାଇଁ ଏଥର ମଧ୍ୟ ହଜାର ହଜାର ଲୋକ ଦାଦନ ଖଟିବାକୁ ଯାଇଛନ୍ତି। ଚଳିତ ନିର୍ବାଚନରେ ମତଦାନରୁ କେତେ ସଂଖ୍ୟାରେ ଏଭଳି ଦାଦନ ଶ୍ରମିକ ବଂଚିତ ହେବେ, ଯାହାର ରିପୋର୍ଟ ପ୍ରଶାସନ ପାଖରେ ନାହିଁ। କଳାହାଣ୍ତିର ସରକାରୀ ରିପୋର୍ଟ ଅନୁଯାୟୀ, ମାତ୍ର ୨୦୦୦ ଦାଦନ ଶ୍ରମିକ ପଞ୍ଜୀକୃତ ହୋଇଛନ୍ତି। ହେଲେ ପ୍ରକୃତରେ ଏହି ଦୁଇ ଜିଲ୍ଲାରୁ ହଜାର ହଜାର ଲୋକ ଦାଦନ ଖଟି ଯାଇଛନ୍ତି। କଳାହାଣ୍ତିର ଦାଦନ ସମସ୍ୟାକୁ ନେଇ ବିଭିନ୍ନ ସ୍ତରରେ ପୂର୍ବରୁ ସମୀକ୍ଷା କରି ରିପୋର୍ଟ ପ୍ରସ୍ତୁତ ମଧ୍ୟ କରାଯାଉଛି ଏବଂ ରିପୋର୍ଟ ଗୁଡ଼ିକରେ ହଜାର ହଜାର ସଂଖ୍ୟାରେ ଦାଦନ ବାହାରକୁ ଯାଉଥିବା ଦର୍ଶାଯାଇଛି। ୨୦୧୪ ନିର୍ବାଚନରେ ୭୨ ପ୍ରତିଶତ ମତଦାନ ହୋଇଥିବା ବେଳେ ୨୮ ପ୍ରତିଶତ ଲୋକ ଭୋଟ ଦେଇ ନଥିଲେ। ଯାହାର ହିସାବ କଲେ ପ୍ରାୟ ଅଢ଼େଇ ଲକ୍ଷରୁ ଅଧିକ ଲୋକ ଭୋଟ ଦେଇନଥିଲେ। ଚଳିତ ନିର୍ବାଚନରେ ୧୪ ଲକ୍ଷ ଭୋଟର ରହିଛନ୍ତି। ଏଥିରୁ ପ୍ରାୟ ଦେଢ଼ ଲକ୍ଷରୁ ଅଧିକ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇଥିବା ସାମାଜିକ କାର୍ଯ୍ୟକର୍ତା ପ୍ରକାଶ କରିଛନ୍ତି। ଏହି ପ୍ରସଙ୍ଗକୁ ୩ଟି ପ୍ରମୁଖ ଦଳରୁ ପ୍ରତିଦ୍ବନ୍ଦ୍ବିତା କରୁଥିବା ପ୍ରାର୍ଥୀମାନେ ମଧ୍ୟ ପରୋକ୍ଷରେ ସ୍ବୀକାର କରିଛନ୍ତି। କଂଗ୍ରେସ ପ୍ରାର୍ଥୀ ଭକ୍ତ ଦାସ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଭୁଲ ନୀତି ଯୋଗୁଁ ଲୋକେ ଦାଦନ ଖଟି ଯାଉଥିବା ଅଭିଯୋଗ କରିଛନ୍ତି। ବିଜେପି ପ୍ରାର୍ଥୀ ବସନ୍ତ ପଣ୍ତା ରାଜ୍ୟ ସରକାରଙ୍କ ଅବହେଳାକୁ ଦାୟୀ କରିଛନ୍ତି। ସେହିଭଳି ବିଜେଡି ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂହଦେଓ ସରକାର ଶ୍ରମିକମାନଙ୍କ ପାଇଁ ବହୁ ଯୋଜନା କରିଥିଲେ ମଧ୍ୟ ସହରୀ ଚାକଚକ୍ୟକୁ ଦେଖି ସେମାନେ ଦାଦନ ପଳାଉଛନ୍ତି ବୋଲି ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର