ପ୍ରବାସୀଙ୍କ ପାଇଁ ଚିନ୍ତା ବଢ଼ିଲା : ୩ ଚଳନ୍ତା ଟ୍ରେନ୍‌ରୁ ଚମ୍ପଟ୍ ମାରିଲେ

ବ୍ରହ୍ମପୁର/ଛତ୍ରପୁର : ଲକ୍‌ଡାଉନ୍‌ କଟକଣା କୋହଳ ପରେ ପ୍ରବାସୀ ଓଡ଼ିଆଙ୍କ ଘରବାହୁଡ଼ା ଜାରି ରହିଛି। ତେବେ କିଛି ଅମାନିଆ ପ୍ରବାସୀ ଓଡ଼ିଆଙ୍କ ଲାଗି ଆଜି ଗଞ୍ଜାମ ଜିଲ୍ଲାରେ ଅପ୍ରୀତିକର ପରିସ୍ଥିତି ଉପୁଜିଛି। ବିଭିନ୍ନ ସ୍ଥାନରେ ଆଜି ୩ଟି ଚଳନ୍ତା ଟ୍ରେନ୍‌ରୁ ଶତାଧିକ ପ୍ରବାସୀ ଓଡ଼ିଆ ଓହ୍ଲାଇ ପଡ଼ି ଚମ୍ପଟ୍ ମାରିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ସେମାନଙ୍କ ମଧ୍ୟରୁ କିଛି ପ୍ରବାସୀଙ୍କୁ ଆରପିଏଫ୍‌, ପୁଲିସ ଓ ପ୍ରଶାସନ କାବୁ କରି ସଙ୍ଗରୋଧ କେନ୍ଦ୍ରରେ ରଖିଛି। ବାକିଙ୍କୁ ଠାବ କରିବାକୁ ଉଦ୍ୟମ ଜାରି ରହିଛି। ଚେନ୍‌ ପୁଲିଂ କରି ସେମାନେ ଓହ୍ଲାଇଥିବା କୁହାଯାଉଥିବା ବେଳେ ଆରପିଏଫ୍ ଏହାକୁ ଅସ୍ବୀକାର କରିଛି।

ସୂଚନା ଅନୁଯାୟୀ, ପ୍ରବାସୀ ଓଡ଼ିଆଙ୍କୁ ନେଇ ଏକ ସ୍ବତନ୍ତ୍ର ଟ୍ରେନ୍ ହାଇଦ୍ରାବାଦରୁ ବାଲେଶ୍ବର ଯାଉଥିଲା। ଏହା ବ୍ରହ୍ମପୁର ଷ୍ଟେସନ୍ ଓ ଜଗନ୍ନାଥପୁର ଷ୍ଟେସନ୍‌ରେ ଅଟକି ନଥିଲା। କିନ୍ତୁ ଟ୍ରେନ୍‌ରେ ଗଞ୍ଜାମ ଜିଲ୍ଲାର କିଛି ପ୍ରବାସୀ ଓଡ଼ିଆ ରହିଥିବାରୁ ସେମାନେ ଓହ୍ଲାଇ ପଡ଼ିବାକୁ ଯୋଜନା କରିଥିଲେ। ଛତ୍ରପୁର ଷ୍ଟେସନରୁ ୧ କିଲୋମିଟର ଦୂର ଅର୍ଥାତ୍ ବାଲିବଗଡ଼ ଠାରେ ‌ଦିନ ପ୍ରାୟ ୨ଟା ବେଳେ ଟ୍ରେନ୍‌ର ଗତି ମନ୍ଥର ହେବାରୁ ସେଥିରୁ କିଛି ପ୍ରବାସୀ ଓଡ଼ିଆ ଜିନିଷପତ୍ର ସହ ଓହ୍ଲାଇ ପଡ଼ିଥିଲେ। ପରେ ସ୍ଥାନୀୟ ଆରପିଏଫ୍, ପୁଲିସ ଓ ପ୍ରାଶାସନିକ ଅଧିକାରୀ ପହଞ୍ଚି ସେଠାରୁ ୫୦ ଜଣଙ୍କୁ ଉଦ୍ଧାର କରି ଚିକଲିଖଣ୍ଡି ପଞ୍ଚାୟତ ଅଞ୍ଚଳରେ ଦକ୍ଷତା ବିକାଶ କେନ୍ଦ୍ରରେ ସଙ୍ଗରୋଧରେ ରଖିଛନ୍ତି। ବ୍ରହ୍ମପୁର ଓ ଜଗନ୍ନାଥପୁରରେ ଟ୍ରେନ୍ ନ ଅଟକିବାରୁ ଏହି ପ୍ରବାସୀ ଓଡ଼ିଆ ମାନେ ଚେନ୍‌ ପୁଲିଂ କରି ଓହ୍ଲାଇ ପଡ଼ିଥିବା ଚର୍ଚ୍ଚା ହେଉଛି।

ସେହିପରି ଆଉ ଏକ ଟ୍ରେନ୍‌ ପ୍ରବାସୀ ଓଡ଼ିଆଙ୍କୁ ନେଇ ହାଇଦ୍ରାବାଦ୍‌ରୁ କଟକ ଯାଉଥିଲା। ଏହି ‌ଟ୍ରେନ୍ ବି ବ୍ରହ୍ମପୁର ଓ ଜଗନ୍ନାଥପୁରରେ ନ ଅଟକିବାରୁ ଗଞ୍ଜାମ ଜିଲ୍ଲାର ପ୍ରବାସୀ ଓଡ଼ିଆମାନେ ଜଗନ୍ନାଥପୁର-ଛତ୍ରପୁର ମଧ୍ୟବର୍ତ୍ତି ନରସିଂହପୁରରେ ଓହ୍ଲାଇ ପଡ଼ି ଚମ୍ପଟ୍ ମାରିଥିଲେ। ପ୍ରଶାସନ ଖବର ପାଇ ପହଞ୍ଚି ୨୦ଜଣଙ୍କୁ ଉଦ୍ଧାର କରି ଚିକଲିଖଣ୍ଡି ପଞ୍ଚାୟତ ଅଞ୍ଚଳରେ ଦକ୍ଷତା ବିକାଶ କେନ୍ଦ୍ରରେ ସଙ୍ଗରୋଧରେ ରଖିଥିଲେ।

ସେହିପରି ଆଉ ଏକ ସ୍ବତନ୍ତ୍ର ଟ୍ରେନ୍‌ର ସିଗନାଲ ନ ଥିବାରୁ ଭେଜିପୁଟ ନିକଟ କାଳିଜାଇ ଷ୍ଟେସନ ଠାରେ ସାମୟିକ ଭ‌ାବେ ଅଟକି ଥିଲା। ଏହି ସମୟରେ ଉକ୍ତ ଟ୍ରେନ୍‌ରୁ ପ୍ରାୟ ୨୦ଜଣ ପ୍ରବାସୀ ଓଡ଼ିଆ ଓହ୍ଲାଇ ପଳାଇଥିଲେ। ସୂଚନା ପାଇ ସ୍ଥାନୀୟ ଯୁବକ ସଂଘ ଓ ଭେଜିପୁଟ ଫାଣ୍ଡି ପୁଲିସ ସେମାନଙ୍କୁ ଅଟକାଇ ପ୍ରଶାସନ ସହଯୋଗରେ ସଙ୍ଗରୋଧ କେନ୍ଦ୍ରରେ ରଖିଥିବା ଜଣାପଡ଼ିଛି।

ବ୍ରହ୍ମପୁର ଆର୍‌ପିଏଫ୍ ଇନସପେକ୍ଟର୍ ଦିଲ୍ଲୀପ କୁମାର କହିଛନ୍ତି, ୨ଟି ‌ଟ୍ରେନ୍‌ରେ ଚେନ୍ ପୁଲିଂ ହୋଇନି। କିନ୍ତୁ ଟ୍ରେନ୍‌ର ଗତି ମନ୍ଥର ହେବାରୁ ସେମାନେ ଓହ୍ଲାଇ ପଡ଼ିଥିଲେ। ସମସ୍ତଙ୍କୁ ଉଦ୍ଧାର କରି ସ୍ଥାନୀୟ ପୁଲିସ ଓ ପ୍ରଶାସନକୁ ହସ୍ତାନ୍ତର କରାଯାଇଛି। ତେବେ ଏହି ଘଟଣା ଏବେ ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି।

ସମ୍ବନ୍ଧିତ ଖବର