ଓଡ଼ିଆ ପ୍ରବାସୀ ଶ୍ରମିକ କଲ୍ୟାଣ କମିସନ ଗଠନ କରାଯାଉ, ପ୍ରବାସୀ ଶ୍ରମିକଙ୍କ ଦକ୍ଷତା ମ୍ୟାପିଂ ହେଉ

ଭୁବନେଶ୍ବର : ରାଜ୍ୟ ବାହାରେ ଥିବା ପ୍ରାୟ ୧୦ଲକ୍ଷରୁ ଅଧିକ ପ୍ରବାସୀ ଶ୍ରମିକ ଓଡ଼ିଶା ଫେରିବାକୁ ନାମ ପଞ୍ଜୀକରଣ କରିଛନ୍ତି। ୩ଲକ୍ଷ ୩୦ହଜାରରୁ ଅଧିକ ‌ଶ୍ରମିକ ଓଡ଼ିଶା ଫେରି ସାରିଲେଣି। କିନ୍ତୁ ସମସ୍ତଙ୍କୁ ଏବେ ରୋଜଗାର ଚିନ୍ତା ଘାରିଛି। ସରକାର କେମିତି କାମ ଦେବେ, ପ୍ରବାସୀ ଶ୍ରମିକ କ’ଣ କାମ କରିବେ ତାହା ଏବେ ଚିନ୍ତାର ବିଷୟ ପାଲଟିଛି।

ଏପରି ସମୟରେ ସେଣ୍ଟର ଫର୍ ପଲିସି, ଗଭର୍ଣ୍ଣାନ୍‌ସ, ଆଡଭୋକାସି (ସିପିଜିଏ)ର ଅଧ୍ୟକ୍ଷ ତେଜେଶ୍ବର ପରିଡ଼ା ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଛନ୍ତି ଯେ, ରାଜ୍ୟ ସରକାର ଓଡ଼ିଶାକୁ ଆସୁଥିବା ସମସ୍ତ ପ୍ରବାସୀ ଶ୍ରମିକଙ୍କର ଦକ୍ଷତା ମ୍ୟାପିଂ କରନ୍ତୁ। ସେମାନେ କେଉଁଠି କ’ଣ କାମ କରୁଥିଲେ, କେଉଁ ପଦବିରେ ଥିଲେ, କେତେ ଟଙ୍କା ଦରମା ପାଉଥିଲେ, କେତେ ବର୍ଷ କାମ କରିଛନ୍ତି। ତାହାକୁ ଭିତ୍ତି କରି ସେମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରନ୍ତୁ। ଏଥିପାଇଁ ରାଜ୍ୟ ସରକାର ଓଡ଼ିଆ ପ୍ରବାସୀ ଶ୍ରମିକ କଲ୍ୟାଣ କମିସନ/ବୋର୍ଡ/ ନିଗମ ଗଠନ କରନ୍ତୁ। ଏହାଦ୍ବାରା ସମସ୍ତ ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ଦକ୍ଷତା ଅନୁଯାୟୀ କାମ କରିବାର ସୁଯୋଗ ମିଳିପାରିବ।

ଉତ୍ତର ପ୍ରଦେଶ ସରକାର ପ୍ରବାସୀ ଶ୍ରମିକ କମିସନ ଗଠନ କରି ‌ଶ୍ରମିକମାନଙ୍କୁ ‌ସେମାନଙ୍କ ଗ୍ରାମରେ ନିଯୁକ୍ତି ଦେବାକୁ ଯୋଜନା କରିଛନ୍ତି। ଏପରିକି ଏନେଇ ପୂରା ଯୋଜନା ପ୍ରସ୍ତୁତ କରିଛନ୍ତି। ସେହି ଢାଞ୍ଚାରେ ଓଡ଼ିଶାରେ କମିସନ ଗଠନ ହେଲେ ଲକ୍ଷ ଲକ୍ଷ ପ୍ରବାସୀଙ୍କୁ ସେମାନଙ୍କ ଯୋଗ୍ୟତା ଅନୁଯାୟୀ କାମ ମିଳିପାରିବ। ଏବେ ପ୍ରବାସୀ ଶ୍ରମିକମାନେ ସଙ୍ଗରୋଧ କେନ୍ଦ୍ରରେ ଥିବାରୁ ପଞ୍ଚାୟତସ୍ତରରେ ତଥ୍ୟ ସଂଗ୍ରହ କରିବାରେ ଅସୁବିଧା ହେବନି। ସେହିପରି ଯେଉଁ ପ୍ରବା‌ସୀ ଶ୍ରମିକ ଓଡ଼ିଶା ଫେରିବେ ସେମାନଙ୍କ ନାମ ପଞ୍ଜୀକରଣ ଫର୍ମରେ ସେମାନଙ୍କର ପୂର୍ବ କାମ ସମ୍ବନ୍ଧୀୟ ସବିଶେଷ ତଥ୍ୟ ସଂଗ୍ରହ କରି ରାଜ୍ୟ ସରକାର ଏକ ଡାଟାବେସ୍‌ ପ୍ରସ୍ତୁତ କରିପାରିବେ। ଏହାଦ୍ବାରା ସେମାନଙ୍କୁ ପଞ୍ଚାୟତ ସ୍ତରରେ ବି ଆବଶ୍ୟକ ସ୍ଥଳେ କାମ ଯୋଗାଇ ହେବ।

କେବଳ ଏତିକି ନୁହେଁ ଏବେ ରାଜ୍ୟ ସରକାରଙ୍କ ନୀତି ଅନୁଯାୟୀ, ଓଡ଼ିଶାରେ ଶିଳ୍ପ ସଂସ୍ଥାଗୁଡ଼ିକ ୯୦% ଅଣକୁଶଳୀ ଶ୍ରମିକ ଭାବେ ଓଡ଼ିଆଙ୍କୁ ନିଯୁକ୍ତି ଦେବାର ନିୟମ ଅଛି। ହେଲେ ଶିଳ୍ପ ସଂସ୍ଥାଗୁଡ଼ିକ ଏହି ନିୟମ ମାନୁନାହାନ୍ତି। ତେଣୁ ରାଜ୍ୟ ସରକାର ଏବେ ଏହି ନିୟମକୁ କଡ଼ାକଡ଼ି ଲାଗୁ କଲେ ବହୁ ପ୍ରବାସୀ ଶ୍ରମିକଙ୍କୁ ନିଯୁକ୍ତି ମିଳିବ।

ଏହାବାଦ୍‌ ଆଗାମୀ ଡିସେମ୍ବରରେ ହେବାକୁ ଥିବା ‘ମେକ୍‌ ଇନ୍ ଓଡ଼ିଶା’ କାର୍ଯ୍ୟକ୍ରମ ବେଳେ ରାଜ୍ୟ ସରକାର ଶ୍ରମିକମାନଙ୍କୁ ପ୍ରୋତ୍ସାହନ ଦେଉଥିବା ସଂସ୍ଥାକୁ ଅଗ୍ରାଧିକାର ଦେବା ଦରକାର। ଯାହାଦ୍ବାରା ଓଡ଼ିଶାରେ ସୃଷ୍ଟି ହେବାକୁ ଥିବା ବେରୋଜଗାରୀ ଭୟକୁ ଦୂର କରାଯାଇପାରିବ l ସୂଚନାଯୋଗ୍ୟ ଯେ, ଶ୍ରୀ ପରିଡ଼ା ମେ ୧ରେ ଶ୍ରମିକ ଦିବସ ଅବସରରେ ପ୍ରବାସୀ ଶ୍ରମିକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା, ସେମାନଙ୍କର ସାମାଜିକ ସୁରକ୍ଷା ନେଇ ମୁଖ୍ୟମନ୍ତ୍ରୀଙ୍କ ସମେତ ମୁଖ୍ୟ ସଚିବ, ଶ୍ରମ ସଚିବ, ସ୍ବତନ୍ତ୍ର ରିଲିଫ କମିସନରଙ୍କ ସମେତ ବିଭିନ୍ନ ବିଭାଗକୁ ଚିଠି ଲେଖି ଜଣାଇଥିଲେ।

ସମ୍ବନ୍ଧିତ ଖବର