ତାମିଲନାଡ଼ୁରୁ ଚାଲଚାଲି ଆସୁଛନ୍ତି ୨୪ ପ୍ରବାସୀ ଶ୍ରମିକ, ଟଙ୍କା ନଦେଇ ତଡ଼ି ଦେଲା ମିଲ୍‌ ମାଲିକ

ବୌଦ୍ଧ : ତାମିଲନାଡ଼ୁରେ ଫିସିଥିବା ବୌଦ୍ଧ ଜିଲ୍ଲାର ୧୫ଜଣ ପ୍ରବାସୀ ଶ୍ରମିକଙ୍କ ସମେତ ସୋନପୁର, ବଲାଙ୍ଗୀର, ବରଗଡ଼ ଜିଲ୍ଲାର ଦୁଇ ଜଣ ଲେଖାଏଁ ଓ ସୋନପୁର ଜିଲ୍ଲାର ୩ ଜଣଙ୍କ ସମେତ ୨୪ଜଣ ପ୍ରବାସୀ ଶ୍ରମିକ ଶନିବାର ତାମିଲନାଡ଼ୁରୁ ଚାଲିଚାଲି ରାଜ୍ୟକୁ ଫେରୁଛନ୍ତି। ସେମାନେ ତାମିଲନାଡ଼ୁର ନାନ୍‌ଜାଇଥୁକଲି ଅଞ୍ଚଳର ମୀନାକ୍ଷି ଟେକ୍ସ୍‌ ଟାଇଲ୍‌ରେ କାମ କରୁଥିଲେ। ଲକ୍‌ଡାଉନ୍‌ ଯୋଗୁଁ ମିଲ୍‌ ମାଲିକ ସେମାନଙ୍କୁ ଟଙ୍କା ନଦେଇ ମିଲ୍‌ରୁ ତଡ଼ି ଦେଇଥିବା ପ୍ରକାଶ କରିଛନ୍ତି। ପ୍ରଥମ ପର୍ଯ୍ୟାୟ ଲକ୍‌ଡାଉନ୍‌ରୁ ପ୍ରାୟ ଦେଢ଼ ମାସ ଧରି କଟକଣା ଯୋଗୁଁ କଷ୍ଟେମଷ୍ଟେ ଲୁଚି ଛପି ରହିଲେ। ସରକାରୀ ସହଯୋଗକୁ ଅପେକ୍ଷା କରିଥିଲେ। ମାତ୍ର ସେମାନଙ୍କୁ ଅଣାଯିବା ନେଇ କୌଣସି ଯୋଗାଯୋଗ ନହେବାରୁ ଶେଷ‌ରେ ଚାଲି ଚାଲି ଘରକୁ ଫେରୁଥିବା କହିଛନ୍ତି। ‌

ବର୍ତ୍ତମାନ ସେମାନଙ୍କ ନିକଟରେ ଟଙ୍କା ପଇସା ନାହିଁ। ଭୋକ ଉପାସରେ ଚାଲିଛନ୍ତି। ଜୀବନକୁ ବିପଦ ଥିବାରୁ ତାଙ୍କୁ ଉଦ୍ଧାର କରି ଘରକୁ ପହଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ଦେଶ୍ୟରେ ଆଜି ସୋସିଆଲ୍‌ ମିଡିଆରେ ଅଧାବାଟରୁ ଅନୁରୋଧ ବାର୍ତ୍ତା ପଠାଇଛନ୍ତି। ବିଜେପିର ଜିଲ୍ଲା ସଭାପତି ବିପ୍ରଚରଣ ମହାନ୍ତି ଘଟଣା ସଂପର୍କରେ ଜାଣି ଚାଲିଚାଲି ଫେରୁଥିବା ପ୍ରବାସୀଙ୍କ ସହ ଯୋଗଯୋଗ କରିଥିଲେ। ସେମାନେ ପହଞ୍ଚିଥିବା ସ୍ଥାନରେ ରହିବାକୁ କହିଥିବା ବେଳେ ସେମାନଙ୍କୁ ଉଦ୍ଧାର କରି ଜିଲ୍ଲାକୁ ଅଣାଯିବା ଦିଗରେ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର