ନାବାଳିକା ଦାଦନକୁ ଆନ୍ଧ୍ରରେ ମରଣାନ୍ତକ ଆକ୍ରମଣ

ଚିକିତ୍ସା ପାଇଁ କୋରାପୁଟ ମେଡିକାଲରେ ଭର୍ତି

ନନ୍ଦପୁର : ପରିବାର ଚଳାଇବା ପାଇଁ ମା’ ଓ ନାବାଳିକା ଝିଅ ଦାଦନ ଖଟିବାକୁ ଯାଇଥିଲେ ଆନ୍ଧ୍ରପ୍ରଦେଶ। ଆନ୍ଧ୍ରର ଭୀମାବରମରେ ଥିବା ଏକ ଚିଙ୍ଗୁଡି ଫାର୍ମରେ ଉଭୟେ କାମ କରୁଥିଲେ। ତେବେ ଗତ ଶନିବାର ଦିନ ୨ଜଣ ଠିକାଦାର ଝିଅକୁ ମରଣାନ୍ତକ ଆକ୍ରମଣ କରିଥିଲେ। ଏପରିକି ଜୀବନରେ ମାରିଦେବାକୁ ୨ଟି ଇଂଜେକ୍ସନ ଦେବା ପାଇଁ ଉଦ୍ୟମ କରିଥିଲେ। ପରେ ନାବାଳିକାର ମା’ ଓ ଜଣେ ସୁପରଭାଇଜର ଉଭୟ ଠିକାଦାରଙ୍କୁ ଅଟକାଇବାରୁ ଅଳ୍ପକେ ବର୍ତି ଯାଇଥିଲେ।

ପ୍ରଥମେ ନାବାଳିକାକୁ ଆନ୍ଧ୍ରର ଏକ ଘରୋଇ ମେଡିକାଲ ଭର୍ତି କରାଯାଇଥିଲା। ତେବେ ଅର୍ଥାଭାବରୁ ଝିଅକୁ ଧରି ମା’ ଘରକୁ ଚାଲି ଆସିଥିଲେ। ଆଜି ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ନାବାଳିକାକୁ ମେଡିକାଲରେ ଭର୍ତି କରାଯାଇଛି। ଦାଦନ ଖଟିବାକୁ ଯାଇ ଏଭଳି ହଇରାଣ ହୋଇଛନ୍ତି କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଅନ୍ତର୍ଗତ ରାଇସିଂ ଗ୍ରାମର ମା’ ଝିଅ।

ସୂଚନା ଅନୁଯାୟୀ, ଗତ କିଛି ମାସ ତଳେ ରାଇସିଂ ଗ୍ରାମର ମା’ ଝିଅ ଅଞ୍ଚଳର କିଛି ଜଣଙ୍କ ସହ ମିଶି ଆନ୍ଧ୍ରପ୍ରଦେଶ ଭୀମାବରମରେ ଥିବା ଏକ ଚିଙ୍ଗୁଡି ଫ୍ୟାକ୍ଟି୍ରରେ କାମ କରିବାକୁ ଯାଇଥିଲେ। ଗତ ଶନିବାର ରାତିରେ ଫ୍ୟାକ୍ଟି୍ରରେ କାମ କରୁଥିବା ବେଳେ ୨ଜଣ ଠିକାଦାର ନାବାଳିକା ନିକଟରେ ପହଞ୍ଚି ହଠାତ୍‌ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। ଏହା ଦେଖିବା ପରେ ସାଥୀରେ ଥିବା ଅଞ୍ଚଳର ଅନ୍ୟ ମାନେ ଏସଂପର୍କରେ ତାଙ୍କ ମା’ଙ୍କୁ ଖବର ଦେଇଥିଲେ। ପରେ ସେ ଘଟଣାସ୍ଥଳରେ ପହଞ୍ଚି ଝିଅକୁ ବଞ୍ଚାଇବାକୁ ଉଦ୍ୟମ କରିଥିଲେ। ତେବେ ୨ଜଣ ଠିକାଦାର ନାବାଳିକାର ଶରୀରର ବିଭିନ୍ନ ସ୍ଥାନରେ ଆକ୍ରମଣ କରିବା ସହ ଜୀବନରେ ମାରି ଦେବାକୁ ୨ଟି ଇଂଜେକ୍ସନ ଦେବାକୁ ଉଦ୍ୟମ କରିଥିଲେ।

ଏହି ସମୟରେ ଫ୍ୟାକ୍ଟି୍ରରେ ସୁପରଭାଇଜର ଭାବେ କାମ କରୁଥିବା ନନ୍ଦପୁର ବ୍ଲକ କୁଲାବିର ଗ୍ରାମର ସୁରେଶ ପାଙ୍ଗି ଠିକାଦାରଙ୍କୁ ଅଟକାଇଥିଲେ। ଫଳରେ ଝିଅ ବଡ ବିପଦରୁ ବର୍ତିଗଲା ବୋଲି ପୀଡ଼ିତାଙ୍କ ମା’ କହିଛନ୍ତି। ପରେ ତାଙ୍କୁ ଗୁରୁତର ଅବସ୍ଥାରେ ସେଠାକାର ଏକ ମେଡିକାଲରେ ଭର୍ତି କରାଯାଇଥିଲା। ତେବେ ପାଖରେ ଟଙ୍କା ନଥିବାରୁ ଝିଅକୁ ଗାଁକୁ ନେଇ ଆସିଥିଲେ। ଆଜି ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ନନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା। ପରେ ୧୦୮ଆମ୍ବୁଲାନ୍‌ସ ଯୋଗେ କୋରାପୁଟ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ଘଟଣା ସଂପର୍କରେ ଆନ୍ଧ୍ରରେ ପୁଲିସ ନିକଟରେ ଅଭିଯୋଗ କରିପାରିନଥିବା ନାବାଳିକାଙ୍କ ବିଧବା ମା’ କହିଛନ୍ତି। ପ୍ରକାଶ ଥାଉକି, ଏହି ମହିଳା ଜଣକ ଗତ କିଛି ବର୍ଷ ତଳେ ଅଙ୍ଗନଓ୍ଵାଡି କର୍ମୀ ଭାବେ କାର୍ଯ୍ୟ କରୁଥିଲେ। ତେବେ କୌଣସି କାରଣରୁ ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିଲା। ଚାକିରି ଚାଲିଯିବା ପରେ ବାଧ୍ୟ ହୋଇ ଝିଅକୁ ଧରି ଆନ୍ଧ୍ରକୁ ଦାଦନ ଖଟିବାକୁ ଯାଇଥିଲି ବୋଲି ସେ କୋହଭରା କଣ୍ଠରେ କହିଛନ୍ତି।

ସମ୍ବନ୍ଧିତ ଖବର