ଅଧାବାଟରେ ଅସୁସ୍ଥ ଦାଦନଙ୍କ ମୃତ୍ୟୁ

ଜୁନାଗଡ଼ : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ଛୋରିଆଗଡ଼ ପଞ୍ଚାୟତ ସାନଫୁର୍ଲା ଗ୍ରାମର ମୋହନ ନାଏକ(୨୬) ଦାଦନ ଖଟିବାକୁ ଯାଇ ଶନିବାର ତାମିଲନାଡୁରେ ପ୍ରାଣ ହରାଇଛନ୍ତି।

ପ୍ରକାଶ ଯେ, ଗତ ୬ ମାସ ତଳେ ଛୋରିଆଗଡ଼ ପଞ୍ଚାୟତ ସାନଫୁର୍ଲା ଗାଁର ମୋହନ ନାଏକ ଗ୍ରାମର କିଛି ସଂପର୍କୀୟଙ୍କ ସହ ଦାଦନ ଖଟିବାକୁ କେରଳ ଯାଇଥିଲେ। ସେଠାରେ ସେମାନେ ଡଲଫିନ ରବର ଇଣ୍ଡଷ୍ଟ୍ରିରେ ଶ୍ରମିକ ଭାବେ କାମ କରୁଥିଲେ। କିଛିଦିନ ହେବ ମୋହନଙ୍କୁ ଜ୍ୱର ହେବାରୁ ସେ ଅସୁସ୍ଥ ଅନୁଭବ କରୁଥିଲେ। ଏହି ଖବର ଜାଣିବା ପରେ ପରିବାର ବର୍ଗ ତାଙ୍କୁ ଗାଁକୁ ଚାଲିଆସିବାକୁ କହିଥିଲେ। ଗତ ଶୁକ୍ରବାର ବିଳମ୍ବିତ ରାତିରେ ମୋହନ ଓ ତାଙ୍କ ସହ କାମ କରୁଥିବା ଗ୍ରାମର ଦୁଇ ସଂପର୍କୀୟ ରେଳରେ ନିଜ ଗାଁ ଅଭିମୁଖେ ବାହାରିଥିଲେ। ଶନିବାର ମଧ୍ୟାହ୍ନରେ ମୋହନଙ୍କ ସ୍ୱାସ୍ଥ୍ୟାବସ୍ଥା ତାମିଲନାଡୁର ଜୁଲାପେଡ ଷ୍ଟେସନଠାରେ ହଠାତ୍ ଖରାପ ହୋଇଯିବାରୁ ରେଳରେ କାର୍ଯ୍ୟରତ ଟିଟିଆଇ ସେମାନଙ୍କୁ ଓହ୍ଲାଇ ପଡ଼ିବାକୁ କହିବା ସହ ଡାକ୍ତରଖାନା ଯିବାକୁ ପରାମର୍ଶ ଦେଇଥିଲେ। ସେମାନେ ଓହ୍ଲାଇପଡି ନିକଟସ୍ଥ ଡାକ୍ତରଖାନା ଯିବାକୁ ବାହାରୁଥିବା ବେଳେ ମୋହନଙ୍କ ମୃତ୍ୟୁ ହୋଇଥିଲା। ସୋମବାର ଦାଦନ ଶ୍ରମିକଙ୍କ ମୃତଦେହ ଗାଁରେ ପହଞ୍ଚିବ। ଗୋଟିଏ ବୋଲି ଓ ଏକମାତ୍ର ରୋଜଗାରକ୍ଷମ ପୁଅକୁ ହରାଇ ବାପା ମା’ ଏବେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।

ସମ୍ବନ୍ଧିତ ଖବର