ଶ୍ରମିକଙ୍କ ଦୁର୍ଦଶା ବଢ଼ାଇଲା କରୋନା ଲକ୍‌ଡାଉନ୍‌ : ୪୦୦ କିମି ଚାଲିଚାଲି ଯାଉଛନ୍ତି ଝାଡ଼ଖଣ୍ଡ, ବିହାର

ଯୋଡ଼ା : ଯୋଡ଼ାରେ ଜଣେ ଠିକାଦାର ଅଧୀନରେ ଶ୍ରମିକମାନେ ରାସ୍ତା ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିଲେ। କରୋନା ପାଇଁ ଲକ୍‌ଡାଉନ ହେବା ଯୋଗୁଁ ରାସ୍ତା ନିର୍ମାଣ କାମ ବନ୍ଦ ହୋଇଯାଇଛି। ସଂପୃକ୍ତ ଠିକାଦାର ଶ୍ରମିକମାନଙ୍କୁ ଘରକୁ ଚାଲିଯିବା ପାଇଁ କହିଛନ୍ତି। ଶ୍ରମିକମାନେ ଆଜି ସନ୍ଧ୍ୟାରୁ ନିଜ ଘର ଝାଡ଼ଖଣ୍ତ ଓ ବିହାର ରାଜ୍ୟକୁ ବାହାରିଛନ୍ତି। ସେମାନଙ୍କ ଯିବା ପାଇଁ କୌଣସି ବ୍ୟବସ୍ଥା କରାଯାଇନାହିଁ। ସେମାନେ ଯୋଡ଼ାରୁ ଚାଲିଚାଲି ନିଜ ଘର ଅଭିମୁଖେ ବହାରିଛନ୍ତି ବୋଲି ବିହାର ରହତାସ ଅଞ୍ଚଳର ଶ୍ରମିକ ମଞ୍ଜ କୁମାର ଓ ଝାଡ଼ଖଣ୍ତ ରାଜ୍ୟ ଗିରିଡ଼ି ଗ୍ରାମର ଜିତେନ୍ଦ୍ର କୁମାର ରାମ କହିଛନ୍ତି। ଶ୍ରମିକଙ୍କ ସୂଚନା ଅନୁସାରେ ଯୋଡ଼ାରୁ ଝାଡ଼ଖଣ୍ତର ଗିରିଡ଼ି ୩ ଶହ କିଲୋମିଟର ଓ ବିହାରର ରହତାସ ଅଞ୍ଚଳ ପ୍ରାୟ ୪ଶହ ୫୦ କିଲୋମିଟର ଦୂର ହେବ। ଗତ ଏକମାସ ହେବ ଯୋଡ଼ାରେ କାମ କରିବା ପାଇଁ ଏହି ଦୁଇ ରାଜ୍ୟରୁ ୨୬ ଜଣ ଆସିଥିଲେ।

କରୋନା ସଂକ୍ରମଣ ପାଇଁ ସରକାରୀସ୍ତରରେ ଜୋରଦାର ପ୍ରସ୍ତୁତି ଓ ଲୋକଙ୍କୁ ସହଯୋଗ କରିବା ପାଇଁ ଘନଘନ ନିର୍ଦେଶ ଦିଆଯାଉଥିଲେ ହେଁ ଏପରି ଘଟଣା ନେଇ ପ୍ରଶାସନ ନିକଟରେ କୌଣସି ସୂଚନା ନରହିବା ପରିତାପର ବିଷୟ।

ସମ୍ବନ୍ଧିତ ଖବର