ଚାଷୀଙ୍କ ପାଇଁ ବରଦାନ : ପ୍ରବାସୀ ଭାରତୀୟ ପ୍ରସ୍ତୁତ କଲେ ‘ଚାଷୀମଣ୍ଡି’ ମୋବାଇଲ ଆପ୍‌ସ

ଭଲ ଖବର

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରେ ଉତ୍ପାଦିତ ଧାନ ଓ ପନିପରିବା ବିକ୍ରି ପାଇଁ ଆବଶ୍ୟକ ବଜାର ବ୍ୟବସ୍ଥା ନଥିବା ଯୋଗୁଁ ଚାଷୀ କ୍ଷତି ସହିବା ଦ୍ୱାରା ପାରମ୍ପରିକ ଚାଷ ପ୍ରତି ଆଗ୍ରହ କମିବାରେ ଲାଗିଛି। ତେବେ, ଏହି ସମସ୍ୟା ଦୂର କରିବା ପାଇଁ ଅଞ୍ଚଳର ଚାରିଜଣ ବ୍ୟକ୍ତି ନିଜସ୍ୱ ଜ୍ଞାନକୌଶଳରେ ନୂଆ ପ୍ରୟାସ ଆରମ୍ଭ କରିଛନ୍ତି।

ବାଙ୍ଗାଲୁରୁରେ ଅବସ୍ଥାପିତ କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ କୋଟାଗାଁର ଯୁବ ଆଇଟି ଇଂ ଶ୍ରୀବନ୍ତ ପଣ୍ଡାଙ୍କ ନେତୃତ୍ୱରେ ଆମେରିକାରେ ଅବସ୍ଥାପିତ ତାଙ୍କ ଭାଇ ଆଇଟି ଇଂ ଶ୍ରୀକାନ୍ତ ପଣ୍ଡା, ଆମେରିକାରେ ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରରେ କାର୍ଯ୍ୟରତ ତାଙ୍କ ଜ୍ୱାଇଁ ସନ୍ତୋଷ ମିଶ୍ର ଓ କୋକସରା କଲେଜରେ ଅଧ୍ୟାପକ ଥିବା ତାଙ୍କ ଜ୍ୱାଇଁ ସୁବ୍ରତ ବେହେରା ଏକ ମୋବାଇଲ ଆପ୍‌ସ ପ୍ରସ୍ତୁତ କରିଛନ୍ତି। ଏହି ଆପର ନାମ ରଖିଛନ୍ତି ‘ଚାଷୀମଣ୍ଡି’। ଆପ୍‌ସ ଜରିଆରେ ଚାଷୀମାନେ ନିଜ ଉତ୍ପାଦିତ ଶସ୍ୟ, ପନିପରିବା ବିକ୍ରୟ ବ୍ୟବସ୍ଥାକୁ ସରଳୀକରଣ ନିମନ୍ତେ ପଦକ୍ଷେପ ନିଆଯାଇଛି। ଆପ୍‌ସକୁ ଚାଷୀମାନେ ସ୍ମାର୍ଟଫୋନରେ ପ୍ଲେଷ୍ଟୋରରୁ ଡାଉନଲୋଡ କରି ନିଜ ସମ୍ପର୍କରେ ତଥ୍ୟ ଦେଇ ରେଜିଷ୍ଟ୍ରେସନ କରିପାରିବେ। କୃଷି ସହିତ ଗୋପାଳନ, ମତ୍ସ୍ୟ ଚାଷ ଉପରେ ମଧ୍ୟ ଗୁରୁତ୍ୱ ଆରୋପ କରାଯାଇଥିବା ବେଳେ ଚଳିତ ୨୦୧୮ ମସିହା ଏପ୍ରିଲ ମାସରେ ଚାଷୀମଣ୍ଡି ଆପ୍‌ସର ଲୋକାର୍ପଣ କରାଯାଇଥିଲା। ଶ୍ରୀବନ୍ତ ପଣ୍ଡା ଚାଷୀଙ୍କୁ ନେଇ ଜିଲ୍ଲାର କଲମପୁର, ଜୁନାଗଡ଼, ଧର୍ମଗଡ଼ ଓ କୋକସରାରେ ସଂପୃକ୍ତ ବ୍ଲକ୍‌ର ବିଡିଓଙ୍କ ସହାୟତାରେ ଚାଷୀଙ୍କୁ ବିଭିନ୍ନ କର୍ମଶାଳା ମାଧ୍ୟମରେ ଏହି ଆପ୍‌ସର ବ୍ୟବହାର ଉପରେ ସଚେତନ ଆରମ୍ଭ କରିଛନ୍ତି। ଏହା ଜରିଆରେ ଶତାଧିକ ଚାଷୀ ଯୋଡ଼ି ହୋଇଥିବା ବେଳେ ଏହି ଟିମ୍‌ ପକ୍ଷରୁ ଏହାର ବହୁଳ ବ୍ୟବହାର ପାଇଁ ସଚେତନତା କାର୍ଯ୍ୟକ୍ରମ ପାଇଁ ପଦକ୍ଷେପ ନିଆଯାଇଛି। ଏହି ଆପ୍‌ସ ନିମନ୍ତେ ପ୍ରାୟ ୫ଲକ୍ଷରୁ ଅଧିକ ଟଙ୍କା ଘରୋଇ ଉଦ୍ୟମରେ ଖର୍ଚ୍ଚ କରାଯାଇ ଚାଷୀଙ୍କୁ ଯୋଡ଼ିବାର ପ୍ରୟାସ ଚାଲିଛି।

ପ୍ରଥମ ଥର ପାଇଁ ଆରମ୍ଭ ହୋଇଥିବା ଉଦ୍ୟମ ଯୋଗୁଁ ଚାଷୀ ମହଲରେ ଆଶାର ସଞ୍ଚାର ହୋଇଛି। ଶ୍ରୀବନ୍ତ ପଣ୍ଡା ପ୍ରତି ବର୍ଷ ଗାଁକୁ ଆସୁଥିବା ବେଳେ ଚାଷୀମାନେ ବଜାର ବ୍ୟବସ୍ଥା ଅଭାବ ଯୋଗୁଁ ପନିପରିବା ଓ ଅନ୍ୟାନ୍ୟ ଅର୍ଥକାରୀ ଫସଲକୁ ବିକ୍ରି ବଟା ନେଇ ପ୍ରତିବନ୍ଧକ ସୃଷ୍ଟି ହେଉଥିବା ଅନୁଭବ କରି ଏଭଳି ଆପ୍‌ସ ପାଇଁ ମନ ବଳାଇଥିବା କହିଛନ୍ତି। ଏହା ଦ୍ୱାରା ଉଭୟ କ୍ରୟ କରୁଥିବା ଲୋକଙ୍କ ସହିତ ଉତ୍ପାଦନ କରୁଥିବା ଚାଷୀଙ୍କୁ ଗୋଟିଏ ପ୍ଲାଟଫର୍ମରେ ଏକାଠି କରିବା ପାଇଁ ଏଭଳି ଅଭିନବ ଉଦ୍ୟମ କଳାହାଣ୍ଡି ଚାଷୀଙ୍କ ପାଇଁ ଏବେ ବରଦାନ ସାଜିଛି।

ସମ୍ବନ୍ଧିତ ଖବର