ହାଇକୋର୍ଟରେ ମିଲି ପଣ୍ଡାଙ୍କ ଆବେଦନର ଶୁଣାଣି ଶେଷ

କଟକ : ମାଓ ନେତା ସବ୍ୟସାଚୀ ପଣ୍ଡାଙ୍କ ପତ୍ନୀ ମିଲି ପଣ୍ଡା ଓରଫ୍‌ ଶୁଭଶ୍ରୀ ଦାସଙ୍କ ବିରୋଧରେ ନିମ୍ନ ଅଦାଲତରେ ବିଚାରାଧୀନ ମାମଲାକୁ ବିରୋଧ କରି ରୁଜୁ ମାମଲାର ଶୁଣାଣି ହାଇକୋର୍ଟରେ ଶେଷ ହୋଇଛି। ଜଷ୍ଟିସ ଜେ.ପି.ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି। ଏହି ମାମଲାର ଶୁଣାଣି ସମୟରେ ସରକାରଙ୍କ ପକ୍ଷରୁ କେସ୍‌ ଡାଏରି ଦାଖଲ କରାଯାଇଥିଲା। ଏଥି ସହିତ ନିମ୍ନ ଅଦାଲତ ଏହି ମାମଲାରେ କେତେକ ଅଭିଯୁକ୍ତଙ୍କୁ ଉପଯୁକ୍ତ ପ୍ରମାଣ ଅଭାବରୁ ଦୋଷ ମୁକ୍ତ କରିଥିବା ବେଳେ ଏ ସଂପର୍କିତ ରାୟର ନକଲ ମଧ୍ୟ ହାଇକେର୍ଟରେ ଦାଖଲ କରାଯାଇଥିଲା। ଅନ୍ୟ ଅଭିଯୁକ୍ତ ଓ ଆବେଦନକାରିଣୀଙ୍କ ମଧ୍ୟରେ କଣ ସାମଞ୍ଜସ୍ୟ ରହିଛି ସେ ସଂପର୍କରେ ତଥ୍ୟ ପ୍ରମାଣ ଦାଖଲ କରାଯାଇଥିଲା। ଆବେଦନକାରିଣୀଙ୍କ ତରଫରୁ ଆଇନଜୀବୀ ମାନସ ଚାନ୍ଦ ମାମଲା ପରିଚାଳନା କରୁଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୧୩ରେ ସୋରଡା ପୁଲିସ୍‌ ଓ ସିଆରପିଏଫ୍‌ ଯବାନ ଦୁଇ ଜଣ ସନ୍ଧିଗ୍ଧ ବ୍ୟକ୍ତିଙ୍କ ବ୍ୟାଗରୁ ବିସ୍ଫୋରକ ସହିତ ମାଓ ଲିଫଲେକ୍ଟ ଓ ମେଡିସିନ୍‌ ଜବତ କରିଥିଲେ। ଏହି ଜିନିଷ ସବୁ ଶ୍ରୀମତୀ ପଣ୍ଡା ସବ୍ୟସାଚୀଙ୍କ ନିକଟକୁ ପଠାଉଥିଲେ ବୋଲି ଅଭିଯୁକ୍ତମାନେ ପୁଲିସକୁ କହିଥିବା ନେଇ ଅଭିଯୋଗ ହୋଇଥିଲା। ମାମଲାର ତଦନ୍ତ କରି ଶ୍ରୀମତୀ ପଣ୍ଡାଙ୍କ ବିରୋଧରେ ପୁଲିସ୍‌ ଚାର୍ଜସିଟ୍‌ ମଧ୍ୟ ଦାଖଲ କରିଥିଲା ଓ ଅଦାଲତରୁ ଜାମିନ ବିହୀନ ଗିରଫ୍‌ ପରୱାନା ମଧ୍ୟ ଜାରି କରାଯାଇଥିଲା। ନିମ୍ନ ଅଦାଲତର ବିଚାର ପ୍ରକ୍ରିୟାକୁ ଚାଲେଞ୍ଜ କରି ଶ୍ରୀମତୀ ପଣ୍ଡା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ସମ୍ବନ୍ଧିତ ଖବର