ମଦମୁକ୍ତ ଓଡ଼ିଶା ଦାବିରେ ‘ମୋନା’ର ବିକ୍ଷୋଭ

ଭୁବନେଶ୍ୱର : ରାଜ୍ୟରେ ସମ୍ପୂର୍ଣ୍ଣ ନିଶା ବନ୍ଦ କରି ୧୯୫୬- ଓଡ଼ିଶା ନିଶା ନିବାରଣ ଆଇନ୍‌କୁ କାର୍ଯ୍ୟକାରୀ କରିବା ପାଇଁ ଆନ୍ଦୋଳନ ଜୋର ଧରିଛି। ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ‘ମୋନା’ ପକ୍ଷରୁ ଆଜି ବିଧାନସଭା ଆଗରେ ବିକ୍ଷୋଭ କରାଯିବା ସହ ଅପରାହ୍‌ଣରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ଉଦ୍ୟମ କରାଯାଇଥିଲା। ତେବେ ଶିଶୁଭବନ ଛକରେ ପୁଲିସ ସେମାନଙ୍କୁ ଅଟକାଇବା ଶହ ଶତାଧିକ ଆନ୍ଦୋଳନକାରୀଙ୍କୁ ଗିରଫ କରିଥିଲା।

ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ନବକୃଷ୍ଣ ଚୌଧୁରୀଙ୍କ ପବିତ୍ର ଜନ୍ମତିଥିରେ ଆଜି ମଧ୍ୟାହ୍ନରେ ଲୋୟର ପିଏମଜିରେ ରାଜ୍ୟର ୨୦ଟି ଜିଲ୍ଲାରୁ ‘ମୋନା’ର ପ୍ରାୟ ଏକ ହଜାରରୁ ଊର୍ଧ୍ବ ମହିଳା ନେତ୍ରୀ ଓ ସମାଜସେବୀ ଏକତ୍ରିତ ହୋଇଥିଲେ। ଆନ୍ଦୋଳନକାରୀମାନେ କହିଥିଲେ ଯେ, ଆଜି ରାଜ୍ୟ ସରକାର ମହାନ ଜନନାୟକ ନବକୃଷ୍ଣ ଚୌଧୁରୀଙ୍କ ଜନ୍ମଦିନ ପାଳନ କରୁଛନ୍ତି। ତେବେ ତାଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ ହୋଇଥିବା କାର୍ଯ୍ୟାବଳୀକୁ ଭଣ୍ଡୁର କରାଯିବା ସହ ତାଙ୍କ ଆଦର୍ଶକୁ ଜଳାଞ୍ଜଳି ଦିଆଯାଇଛି। ତାଙ୍କ ସମୟରେ ପାରିତ ହୋଇଥିବା ୧୯୫୬- ଓଡିଶା ସମ୍ପୂର୍ଣ୍ଣ ନିଶାନିବାରଣ ଆଇନକୁ ପରବର୍ତୀ କାଳରେ କେହି କାର୍ଯ୍ୟକାରୀ କରିନାହାନ୍ତି। ମୋନା ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବ୍ୟକ୍ତିଗତ ଭାବେ ଭେଟି ଆଲୋଚନା କରିବା ପାଇଁ ପୂର୍ବରୁ ଲିଖିତ ସୂଚନା ଦିଆଯାଇଥିଲେ ମଧ୍ୟ ଏହା ସମ୍ଭବ ହୋଇନଥିଲା। ପରେ ସେମାନେ ନବୀନ ନିବାସ ଅଭିମୁଖେ ବିରାଟ ଶୋଭାଯାତ୍ରାରେ ବାହାରିଥିଲେ। ଶିଶୁଭବନ ଛକରେ ବିକ୍ଷୋଭ କରାଯିବା ସହ ପୁଲିସ ସହ ସେମାନଙ୍କର ଧସ୍ତାଧସ୍ତି ହୋଇଥିଲା। ପୁଲିସ ‘ମୋନା’ର ଶତାଧିକ ଆନ୍ଦୋଳନକାରୀଙ୍କୁ ଗିରଫ କରି ଜୟଦେବ ବିହାରସ୍ଥିତ ରିଜର୍ଭ ପୁଲିସ ପରିସରରେ ଅଟକ ରଖି ସନ୍ଧ୍ୟାରେ ଛାଡ଼ି ଦେଇଥିଲା।

ଏହି ଆନ୍ଦୋଳନରେ ‘ମୋନା’ର ସଭାପତି ପଦ୍ମଚରଣ ନାୟକ, ରମାକାନ୍ତ ମଣ୍ଡଳ, ବିଜୟ ସ୍ୱାଇଁ, ଅପର୍ଣ୍ଣା ନାୟକ, ବାଣୀ ଦାସ, ମଳୟ ତ୍ରିପାଠୀ, କାହ୍ନୁଚରଣ ବେହୁରା, ଖଗେଶ୍ୱର ବଳ, ପ୍ରୀତି ନାୟକ, ଇନ୍ଦୁମତୀ ସାହୁ, ପ୍ରିୟନାଥ ଆଚାର୍ଯ୍ୟ, ଉର୍ବଶୀ ନାୟକ, ଅର୍ଜୁନ ସାମନ୍ତରାୟ, ଚନ୍ଦ୍ରଗୁପ୍ତ ଲେଙ୍କା, ପୀତାମ୍ବର ଭୂୟାଁ, ବୀରକିଶୋର ବେହେରା, କୁଳମଣି ଶୁକ୍ଳ, ପ୍ରମିଳା ମିଶ୍ର, ସୁଷମା ପଟ୍ଟନାୟକ, ସୁନାକର ବରାଳ, କାଞ୍ଚନବାଳା ସ୍ୱାଇଁ, ମନମୋହନ ମିଶ୍ର, ତପସ୍ୱିନୀ କର, ସର୍ବେଶ୍ୱର ବାରିକ, ଚନ୍ଦ୍ରମଣି ଦେହୁରୀ, ପ୍ରଶାନ୍ତ ବେହୁରା, କାଞ୍ଚନବାଳା ଯତି, ବନ୍ଦିତା ଦାସ, ସୌମ୍ୟରଞ୍ଜନ ମହାନ୍ତି, ଲଲାଟେନ୍ଦୁ ପାତ୍ର, ନରେନ୍ଦ୍ର ବେହେରା, କେଦାରନାଥ ସାହୁ, ରାଜେଶ କର, ଗଣେଶ ପରିଡ଼ା, ନୃସିଂହ ନାୟକ, କନକ ଭଞ୍ଜ ପ୍ରମୁଖ ନେତୃତ୍ୱ ନେଇଥିଲେ।

ସମ୍ବନ୍ଧିତ ଖବର