ହାଇସ୍କୁଲ ଓ ଯୁକ୍ତ ୨ ଖାତା ମୂଲ୍ୟାୟନ ବର୍ଜନ କରିବ ମିଳିତମଞ୍ଚ

0 418

ଭୁବନେଶ୍ୱର: ଓଡ଼ିଶା ସ୍କୁଲ, କଲେଜ ଶିକ୍ଷକ କର୍ମଚାରୀ ମିଳିତମଞ୍ଚ ହାଇସ୍କୁଲ ଓ ଯୁକ୍ତ ୨ ପରୀକ୍ଷା ଖାତା ମୂଲ୍ୟାୟନ ବର୍ଜନ କରିବାକୁ ବୁଧବାର ଚେତାବନୀ ଦେଇଛି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ମୂଲ୍ୟାୟନକୁ ବର୍ଜନ କରିବାକୁ ନିଷ୍ପତ୍ତି ହୋଇଛି। ପୂର୍ବରୁ ମିଳିତମଞ୍ଚ ପକ୍ଷରୁ ସରକାରଙ୍କ ନିକଟରେ ବିଭିନ୍ନ ଦାବି ଉପସ୍ଥାପନ କରାଯାଇଥିଲା। ଶିକ୍ଷକମାନଙ୍କ ସମସ୍ୟାର ସମାଧାନ କରାଯିବ ବୋଲି ସରକାର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହା ପୂରଣ କରି ପାରିନାହାନ୍ତି।

ସୂଚନାଯୋଗ୍ୟ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରିଚାଳିତ ଦଶମ ପରୀକ୍ଷା ନିକଟରେ ଶେଷ ହୋଇଛି। ଆଗାମୀ ମାର୍ଚ୍ଚ ୨୦ରୁ ମାଟ୍ରିକ ପରୀକ୍ଷା ମୂଲ୍ୟାୟନ ଆରମ୍ଭ ହୋଇ ୧୦/୧୨ ମଧ୍ୟରେ ଶେଷ ହେବ। ଯଦି ଦାବି ପୂରଣ ନହୁଏ ତେବେ ମୂଲ୍ୟାୟନ ପ୍ରକ୍ରିୟାରେ ବାଧା ପହଞ୍ଚିବ ଓ ନିର୍ଦ୍ଧାରିତ ସମୟ ଭିତରେ ପରୀକ୍ଷା ଫଳ ପ୍ରକାଶ ପାଇ ପାରିବ ନାହିଁ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଲା ଯେ, ଦୀର୍ଘ ୨୫ ବର୍ଷରୁ ହୋଇ ଆସୁଥିବା ଶିକ୍ଷକମାନଙ୍କ ଦାବି ପୂରଣ ହୋଇପାରୁ ନାହିଁ। ସରକାର କେବଳ ମିଛ ପ୍ରତିଶ୍ରୁତି ଦେଇ ଆସୁଛନ୍ତି। ଶିକ୍ଷକମାନଙ୍କ ଦାବି ପୂରଣ ନେଇ ନିକଟରେ ଏକ ଆଲୋଚନା ହୋଇଥିଲା। ତାହା ମଧ୍ୟ ସଫଳ ହୋଇ ନାହିଁ। ବରଗଡ଼ ଜିଲ୍ଲା ବିଜେପୁର ଉପ ନିର୍ବାଚନ ସମୟରେ ମଧ୍ୟ ଶିକ୍ଷକମାନେ ଆନ୍ଦୋଳନ କରିଥିଲେ। ସେହି ସମୟରେ ସରକାର କହିଥିଲେ, ଆଦର୍ଶ ନିର୍ବାଚନ ଆଚରଣ ବିଧି ଲାଗିଥିବାରୁ ବର୍ତ୍ତମାନ କ୍ଷେତ୍ରରେ କିଛି କରିହେବ ନାହିଁ। ନିର୍ବାଚନ ପ୍ରକ୍ରିୟା ୨ ସପ୍ତାହ ହେବ ଶେଷ ହୋଇ ଯାଇଥିଲେ ମଧ୍ୟ କିଛି ବିକଳ୍ପ ବାହାରି ନଥିବାରୁ ମିଳିତମଞ୍ଚ ପକ୍ଷରୁ ମୂଲ୍ୟାୟନ ବର୍ଜନ କରିବାକୁ ନିଷ୍ପତ୍ତି ହୋଇଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.