ଭୁବନେଶ୍ୱର: : ମିଲ୍କ ମୁଁ, ପ୍ରଗତି ଡାଇରୀ ପକ୍ଷରୁ ଚାଷୀମାନଙ୍କୁ ଦୁଗ୍ଧ ଲିଟର ପିଛା ୨୮. ୫୦ ଟଙ୍କା ଓ ୨୮.୮୫ ଟଙ୍କା ଗତ ପହିଲାଠାରୁ ଦିଆଯାଉଛି । କିନ୍ତୁ ଓମଫେଡ୍ ସହିତ ଅନୁବନ୍ଧିତ ଦୁଗ୍ଧଚାଷୀମାନେ ୨୦୧୪ ମସିହାରୁ ଆଜି ପର୍ଯ୍ୟନ୍ତ ହାରାହାରି ଦୁଗ୍ଧ ଲିଟର ପିଛା ୨୬ଟଙ୍କା ୧୦ ପଇସା ପାଉଛନ୍ତି । ଦୁଗ୍ଧ ଦାମ୍ ନ ବଢାଇ ସରକାର ଗତ ୧ ତାରିଖରୁ ଓମଫେଡର ଗୋଖାଦ୍ୟ ଦର୍ ବୃଦ୍ଧି କରି କିଗ୍ରା ପିଛା ୨୦ଟଙ୍କା ୮୫ ପଇସା କରିଛନ୍ତି । ସବୁ ଜିନିଷର ଦରଦାମ୍ ବଢୁଥିବା ବେଳେ ବାରମ୍ବାର ଆନ୍ଦୋଳନ, ଆବେଦନ ଓ ନିବେଦନ ସତ୍ତ୍ୱେ ଏଭଳି କି ଗତ ୯ ତାରିଖ ଦିନ ରାଜ୍ୟସ୍ତରୀୟ ଦୁଗ୍ଧଚାଷୀ ସମାବେଶରେ କୃଷିମନ୍ତ୍ରୀ, ସମବାୟ ମନ୍ତ୍ରୀ ଓ କୃଷି ଉତ୍ପାଦକ କମିଶନରଙ୍କୁ ଦୁଗ୍ଧଚାଷୀ ମହାସଂଘ ପକ୍ଷରୁ ସ୍ମାରକପତ୍ର ଦିଆଯାଇ ଦୁଗ୍ଧ ଲିଟର ପିଛା ସର୍ବନିମ୍ନ ୩୦ ଟଙ୍କା କରିବା ପାଇଁ ଦାବି କରାଯାଇଥିଲା । ଯେଉଁ ଦାବିକୁ ଦୁଇଜଣ ଯାକ ମନ୍ତ୍ରୀ ଗ୍ରହଣ କରିବା ସହିତ ଦୁଗ୍ଧଚାଷୀମାନଙ୍କର ସମସ୍ୟା ପ୍ରତି ସରକାର ସମ୍ବେଦନଶୀଳ ଅଛନ୍ତି ବୋଲି ମହାସଂଘକୁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଦୁଃଖର କଥା ଏକ ସପ୍ତାହ ବିତିଯାଇଥିଲେ ମଧ୍ୟ ରାଜ୍ୟ ସରକାର ଦୁଗ୍ଧଚାଷୀମାନଙ୍କୁ ଉଚିତ୍ ମୂଲ୍ୟ ଦେବାପାଇଁ କୌଣସି ନିଷ୍ପତ୍ତି ନେଇନାହାନ୍ତି ।
ସରକାରଙ୍କ କାଳକ୍ଷେପଣ ନୀତିକୁ ଓଡ଼ିଶା ଦୁଗ୍ଧଚାଷୀ ମହାସଂଘ ନିନ୍ଦା କରିବା ସହିତ ଆଜି ମହାସଂଘର ଏକ ବୈଠକରେ ସ୍ଥିର କରାଯାଇଛି ଯେ, ଯଦି ଆଗାମୀ ଦୁଇଦିନ ଭିତରେ ସରକାର ଦୁଗ୍ଧ ଲିଟର ପିଛା ୩୦ ଟଙ୍କା ଦେବାପାଇଁ ନିଷ୍ପତ୍ତି ଗ୍ରହଣ ନକରନ୍ତି, ତାହେଲେ ବାଧ୍ୟହୋଇ ଦୁଗ୍ଧଚାଷୀମାନେ ରାଜରାସ୍ତାକୁ ଓହ୍ଲାଇ କ୍ଷୀର ଢାଳିବେ । ଏଥିପାଇଁ ସରକାର ହିଁ ଦାୟୀ ରହିବେ ବୋଲି ମହାସଂଘ ପକ୍ଷରୁ କୁହାଯାଇଛି । ମହାସଂଘର ଅଧ୍ୟକ୍ଷ ରବି ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସଂଘର ଉପାଧ୍ୟକ୍ଷ ଦୁଃଶାସନ ମହାପାତ୍ର, ସମ୍ପାଦକ ନାରାୟଣ ଡାଳୁଆ, କାର୍ଯ୍ୟକାରୀ କମିଟି ସଭ୍ୟ ଗୌରାଙ୍ଗ ରାଉତରାୟ, ବିଜୟ ବେହେରା, ତରୁଣକାନ୍ତି ଦାସ, ତପନ କୁମାର ମହାପାତ୍ର ଓ ମାନସ ମହାନ୍ତି ପ୍ରମୁଖ ଯୋଗଦେଇ ଦୁଗ୍ଧଚାଷୀଙ୍କ ପ୍ରତି ସରକାରୀ ଉଦାସୀନତାର ନିନ୍ଦା କରିଥିଲେ ।
୨୦୧୪ ମସିହାରେ ସରକାରୀ କର୍ମଚାରୀଙ୍କର ମହଙ୍ଗା ଭତ୍ତା ୮୦ ପ୍ରତିଶତ ଥିଲାବେଳେ କ୍ଷୀର ଲିଟର ଯେଉଁ ଟ.୨୬.୧୦ ପଇସା ଥିଲା ଆଜି ପାଞ୍ଚ ବର୍ଷ ପରେ ମଧ୍ୟ ସେହି ଟ.୨୬.୧୦ପଇସା ରହିଛି । ଏହା ମଧ୍ୟରେ ଗୋଖାଦ୍ୟ ୧୬ଟଙ୍କାରୁ ବଢି ୨୦ଟଙ୍କା ୮୫ ପଇସାରେ ଓମଫେଡ୍ ବିକ୍ରି କରୁଥିଲା ବେଳେ ଦୁଗ୍ଧଚାଷୀମାନଙ୍କୁ ଉଚିତ୍ ମୂଲ୍ୟ ଦେବାରେ ଓମଫେଡ୍ ଓ ରାଜ୍ୟ ସରକାର ଅବହେଳା ପ୍ରଦର୍ଶନ କରିଆସୁଛନ୍ତି । ବଜାରରେ ଗୋଖାଦ୍ୟ ୨୩ଟଙ୍କା ୮୫ ପଇସାରେ ଆସି ପହଞ୍ଚିଲାଣି । ‘ଫନୀ’ ବାତ୍ୟାପରେ ଗାଈଗୋରୁଙ୍କ ପାଇଁ ନଡ଼ା କୁଟାର ଘୋର ଅଭାବ ଦେଖାଦେଇଛି । ତେଣୁ ସରକାର ତୁରନ୍ତ ଦୁଗ୍ଧ ଲିଟର ପିଛା ଦାମ୍ ବଢ଼ାଇବାକୁ ମହାସଂଘର ଆଜିର ଏହି ବୈଠକରେ ଦାବି କରାଯାଇଛି । ଯଦି ସରକାର ତୁରନ୍ତ ଏ ଦିଗରେ ପଦକ୍ଷେପ ଗ୍ରହଣ ନ କରନ୍ତି ତାହେଲେ ଆମ୍ଭେ ବାଧ୍ୟହୋଇ ରାଜଧାନୀର ରାଜରାସ୍ତାରେ ପ୍ରତିବାଦ ସ୍ୱରୂପ କ୍ଷୀର ଢାଳିବୁ ବୋଲି ମହାସଂଘ ପକ୍ଷରୁ ଚେତାବନି ଦିଆଯାଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/09/mahar-pti.jpg)