ଲଘୁ ଖଣିଜ ପରିବହନ ପାଇଁ କିଏ ଦେବ ଟ୍ରାଂଜିଟ୍ ପାସ୍?

ଭୁବନେଶ୍ବର: ଲଘୁ ଖଣିଜ ପଦାର୍ଥ ବାଲି, ଗୋଡ଼ି ଓ ମୋରମ୍ ପରିବହନ ପାଇଁ ଟ୍ରାଂଜିଟ୍ ପାସ୍ ଦେଉଥିବା ଅଧିକାରୀ ଜଣକ କିଏ? ଏ ନେଇ କିଛି ବି ସ୍ପଷ୍ଟତା ନାହିଁ। ବୈଧାନିକ ପ୍ରଶ୍ନ ଉତ୍ଥାପନ ଛଳରେ ଆଜି ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇଥିଲେ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ। ସେ କହିଥିଲେ ଯେ ଖଣିଜ ପଦାର୍ଥ ପରିବହନ କରିବାକୁ ହେଲେ ସମ୍ପୃକ୍ତ ଖଣି ଜିଲ୍ଲା ଉପନିର୍ଦ୍ଦେଶକ ଟ୍ରାଂଜିଟ୍ ପାସ୍ ପ୍ରଦାନ କରିଥାନ୍ତି। ଲଘୁ ଖଣିଜ ପଦାର୍ଥ ଚୋରାଚାଲାଣ ରୋକିବାକୁ ମଧ୍ୟ ସରକାର ଟ୍ରାଂଜିଟ୍ ପାସ୍‌ର ବ୍ୟବସ୍ଥା କରିଛନ୍ତି। କିନ୍ତୁ ଏହି ପାସ୍ କେଉଁଠୁ ମିଳେ ଓ କିଏ ପ୍ରଦାନ କରେ ସେ ନେଇ କେହି ବି ଜାଣନ୍ତିନି। ଏହାଯୋଗୁଁ ସର୍ବସାଧାରଣଙ୍କ କାର୍ଯ୍ୟ ପାଇଁ ବାଲି, ଗୋଡ଼ି ଓ ମୋରମ୍ ପରିବହନ କରୁଥିବା ଛୋଟ ଠିକାଦାରମାନେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି। ସେମାନେ ଦେଉଥିବା ବିଲ୍‌ରୁ ଟ୍ରାଂଜିଟ୍ ପାସ୍ ବାବଦରେ ଅର୍ଥ କାଟି ଦିଆଯାଉଛି। ସେହିପରି ସରକାର ବଡ଼ ପ୍ରକଳ୍ପ କାମ ବାହାର ରାଜ୍ୟର ବଡ଼ ଠିକାଦାରୀ ସଂସ୍ଥାକୁ ପ୍ରଦାନ କରୁଛନ୍ତି। ସେସବୁ ଠିକାଦାରୀ ସଂସ୍ଥା ଓଡ଼ିଶାରେ ଥିବା ଲାଇସେନ୍ସ ପ୍ରାପ୍ତ ଠିକାଦାରଙ୍କୁ ପେଟି ଠିକାଦାର ଭାବେ ନିୟୋଜିତ କରୁଛନ୍ତି। ଫଳରେ ରାଜ୍ୟର ଠିକାଦାରମାନେ ପରିଶ୍ରମ କରୁଛନ୍ତି, କିନ୍ତୁ ଲାଭ ବଡ଼ବଡ଼ ଠିକାଦାରୀ ସଂସ୍ଥା ଉଠାଉଛନ୍ତି। ସରକାର ଏଥିପ୍ରତି ଧ୍ୟାନ ଦେବାକୁ ଶ୍ରୀ ପଟ୍ଟନାୟକ ଗୃହରେ ଦାବି କହିଥିଲେ।

ସମ୍ବନ୍ଧିତ ଖବର