ଖଣିକୁ ସରକାର ନୁହେଁ, ଅଦୃଶ୍ୟ ଶକ୍ତି ଚଳାଉଛି: ବିରୋଧୀ

ଜରିମାନା ବାବଦରେ ଆଦାୟ ହୋଇଛି ୧୪,୦୩୭ କୋଟି: ମନ୍ତ୍ରୀ
୧୨୨ କୋଟି ୮୮ ଲକ୍ଷ ଟଙ୍କାର ଖର୍ଚ୍ଚ ଦାବି ଗୃହୀତ
ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୁଷ୍ଟ ହୋଇ ବିଜେପି ସଦସ୍ୟଙ୍କ କକ୍ଷତ୍ୟାଗ

ଭୁବନେଶ୍ବର : ଖଣିକୁ ସରକାର ପରିଚାଳନା କରୁନାହାନ୍ତି ଏକ ଅଦୃଶ୍ୟ ଶକ୍ତି ପରିଚାଳନା କରୁଛି। କେନ୍ଦୁଝର ଜିଲ୍ଲାରେ ସରକାରଙ୍କ ଜାଣତରେ ଚାଲିଛି ଖଣି ଚୋରା ଚାଲାଣ। ଖଣିଜ ପାଣ୍ଠି ପାଇଁ ଟ୍ରଷ୍ଟ ଗଠନ ହୋଇନି। କେନ୍ଦୁଝର ଜିଲ୍ଲାରୁ ଖଣିଜ ପାଣ୍ଠି ବାବଦରେ ମିଳିଥିବା ୩ ହଜାର ୯ କୋଟି ଟଙ୍କା ପଡ଼ିରହିଛି। ଆଜି ଖଣି ବିଭାଗର ଖର୍ଚ୍ଚ ଦାବି ଆଲୋଚନାରେ ସରକାରଙ୍କ ଉପରେ ଏପରି ଅଭିଯୋଗର ପାହାଡ଼ ଲଦିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ। ସେହିପରି ଏହି ପ୍ରସଙ୍ଗରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମଧ୍ୟ ସରକାରଙ୍କୁ ଘେରିଛନ୍ତି। ସେ କହିଛନ୍ତି, ଯଦି ସରକାର ରାଜ୍ୟବାସୀଙ୍କ ବିକାଶ ଚାହୁଁଛନ୍ତି ତା ହେଲେ ଖଣିଗୁଡ଼ିକୁ ନିଜ ଅଧୀନରେ ରଖନ୍ତୁ। ୨୦୨୦ ମାର୍ଚ୍ଚ ପୂର୍ବରୁ ସରକାର ଏହି ନିଷ୍ପତ୍ତି ନିଅନ୍ତୁ ବୋଲି ସେ ଦାବି କରିଛନ୍ତି।

ଶନିବାର ଇସ୍ପାତ ଓ ଖଣି ବିଭାଗର ଖର୍ଚ୍ଚ ଦାବି ଆଲୋଚନା ଆରମ୍ଭ କରି ବିରୋଧୀ ଦଳ ମୁଖ୍ୟ ସଚେତକ ଶ୍ରୀ ମାଝୀ କହିଥିଲେ, ଓଡ଼ିଶାରେ ଖଣି ଦୁର୍ନୀତି ଉପରେ ତଦନ୍ତ କରି ଜଷ୍ଟିସ ଏମ.ବି ଶାହା କମିସନ ଏମଏମଡିଆର ଆଇନର ରୁଲ୍‌-୩୭ ଉଲ୍ଲଂଘନ କରିଥିବା ଖଣି ଲିଜ୍‌ଧାରୀଙ୍କଠୁ ୬୨ ହଜାର କୋଟି ଟଙ୍କା ଜରିମାାନା ଆଦାୟ କରିବାକୁ ସୁପାରିସ କରିଥିଲେ। ହେଲେ ଏ ସରକାର ନୀରବ। ଖଣିଜ ଆଇନ ଉଲ୍ଲଂଘନ କରିଥିବା ସେହିସବୁ କମ୍ପାନୀଙ୍କ ଲାଇସେନ୍ସ ଅବଧିକୁ ସରକାର ୨୦୨୦ ମାର୍ଚ୍ଚ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏବେ ଉତ୍ତୋଳନ ହୋଇଥିବା ଖଣିଜ ପଦାର୍ଥକୁ ଯେନତେନ ପ୍ରକାରେ ଉଠାଇବାକୁ ଖଣି ମାଫିଆ ଲାଗିପଡ଼ିଛନ୍ତି। ଖଣି ବିଭାଗ ପାଖରେ ଏ ଖବର ଥାଇ ବି କାହା ସ୍ବାର୍ଥରେ ଚୁପ୍‌ ବସିଛି ବୋଲି ସେ ପ୍ରଶ୍ନ କରିଥିଲେ। ହଜାର ହଜାର ଟନ୍ ଲୁହାପଥର ଉତ୍ତୋଳନ ହୋଇ ବାହାର ରାଜ୍ୟକୁ ଚାଲିଯାଉଛି ଅଥଚ ତାର ଭାଲ୍ୟୁ ଆଡିସନ ଏଠି ହେଉନାହିଁ କି ଖଣି ଚୋରି ରୋକିବାକୁ ବଳିଷ୍ଠ ପଦକ୍ଷେପ ନିଆଯାଉନି। ବିଜୁ ପଟ୍ଟନାୟକଙ୍କ ସମୟରେ ପ୍ରତିଷ୍ଠା ହୋଇଥିବା କଳିଙ୍ଗ ଆଇନର ଵାର୍କ୍ସ ଆଜି ବନ୍ଦ ପଡ଼ିଛି; ହେଲେ ସରକାର ଏହାର ପୁନରୁଦ୍ଧାର କରୁନାହାନ୍ତି। କେନ୍ଦୁଝର ଜିଲ୍ଲାରେ ୩୫ଟି ଖଣିକୁ ମାତ୍ର ୭ଟି ଚାଲୁଛି, ବାକି ୨୮ଟି ବନ୍ଦ ରହିଛି।

କଂଗ୍ରେସ ବିଧାୟକ ଦଳ ନେତା ନରିସିଂହ ମିଶ୍ର ଆଲୋଚନାରେ ଭାଗ ନେଇ କହିଥିଲେ, ସବୁ ଖଣିର ଲିଜଧାରୀ ସରକାର ନିଜେ ହୁଅନ୍ତୁ କିମ୍ବା ଓଏମସି ଭଳି କୌଣସି ସରକାରୀ ସଂସ୍ଥାକୁ ଦିଆଯାଉ। ଏ ନେଇ ସେ ଏ ଗୃହରେ ବାରମ୍ବାର କହିଆସୁଛନ୍ତି। ଆଉ ବେଳ ନାହିଁ। ଯଦି ସରକାର ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ଏ ନିଷ୍ପତ୍ତି ନ ନିଅନ୍ତି ପୁଣି ଥରେ ସଂଶୋଧିତ ଏମଏମଡିଆର ଆଇନ ଅନୁଯାୟୀ ନିଲାମ ହେବା ପରେ ୫୦ ବର୍ଷ ପାଇଁ ଘରୋଇ ସଂସ୍ଥା କିମ୍ବା ଜଣେ ଦୁଇଜଣ ବ୍ୟକ୍ତିଙ୍କ ହାତକୁ ଲୁଟିବାକୁ ଖଣିଗୁଡ଼ିକୁ ଟେକି ଦିଆଯିବ। ଫଳରେ ରାଜ୍ୟ କିଛି ବି ଆର୍ଥିକ ଦୃଷ୍ଟିରୁ ଫାଇଦା ପାଇବନି। ଏ ନେଇ ସରକାରଙ୍କୁ ପୂର୍ବରୁ ସଞ୍ଜୀବ ହୋତା କମିସନ ସୁପାରିସ କରିଥିବା ସେ ଦର୍ଶାଇଥିଲେ। ଏହାସହିତ ୧୯୯୧ରେ ରାଜ୍ୟ ସରକାର କରିଥିବା ଖଣିଜ ଅଞ୍ଚଳ ସେସ୍ ଆଇନ କିମ୍ବା ପଶ୍ଚିମବଙ୍ଗ ସରକାର କରିଥିବା ସମାନ ଆଇନକୁ ପୁଣି ଥରେ ପ୍ରଣୟନ କରିବାକୁ ସରକାରଙ୍କୁ ଶ୍ରୀ ମିଶ୍ର ପ୍ରସ୍ତାବ ଦେଇଥିଲେ। ଫଳରେ ସରକାର ବର୍ଷକୁ ୭୦ ହଜାର କୋଟି ଟଙ୍କାରୁ ଅଧିକ ରାଜସ୍ବ ପାଇବେ।

ସରକାରୀ ଦଳ ବିଧାୟକ ଅମର ପ୍ରସାଦ ଶତପଥୀ କହିଥିଲେ ସଂଶୋଧିତ ଏମଏମଡିଆର ଆଇନ ଆସିବା ପରଠୁ ଖଣି ରାଜସ୍ବ ବୃଦ୍ଧି ପାଇଛି। ଇ-ଅକସନ୍ ଯୋଗୁଁ ଖଣି ଲିଜ, ଉତ୍ତୋଳନ ଓ ପରିବହନରେ ସ୍ବଚ୍ଛତା ଆସିଛି। ସାରା ଦେଶରେ ଯେତିକି କୋଇଲା ଗଚ୍ଛିତ ଅଛି, ତାହାର ୨୪% କେବଳ ଓଡ଼ିଶାରେ ଅଛି। ଅଥଚ ୭ ବର୍ଷ ହେଲାଣି କୋଇଲା ରୟାଲଟି କେନ୍ଦ୍ର ସରକାର ସଂଶୋଧନ କରୁନାହାନ୍ତି। ଫଳରେ ସରକାର ପ୍ରତିବର୍ଷ ହଜାର ହଜାର କୋଟି ଟଙ୍କାର ରାଜସ୍ବ ହରାଉଛନ୍ତି। ଏ ନେଇ ମୁଖ୍ୟମନ୍ତ୍ରୀ ଏକାଧିକଥର କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି। ଡିଏମଏଫ୍ ପାଣ୍ଠି ଖଣି ଅଞ୍ଚଳର ୧୦ କିଲୋମିଟର ଭିତରେ ଖର୍ଚ୍ଚ ହେବା ପାଇଁ ଯେଉଁ ବ୍ୟବସ୍ଥା ରହିଛି ତାକୁ ପରିବର୍ତ୍ତନ କରି ସମ୍ପୃକ୍ତ ଜିଲ୍ଲାବାସୀଙ୍କୁ ରାସ୍ତା, ପାନୀୟ ଜଳ, ବିଜୁଳି ଯୋଗାଣ ପାଇଁ ଖର୍ଚ୍ଚ କରାଗଲେ ବହୁତ ଉପକାର ହୁଅନ୍ତା ବୋଲି ସେ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ।

ଆଲୋଚନା ଶେଷରେ ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଉତ୍ତର ରଖି କହିଥିଲେ, ୨୦୧୫ରେ ଏମଏମଡିଆର ଆଇନ ସଂଶୋଧନ ଯୋଗୁଁ ଖଣି ରାଜସ୍ବ ବୃଦ୍ଧି ପାଇଛି। ୨୦୧୮-୧୯ ବର୍ଷ ସୁଦ୍ଧା ମୋଟ ରାଜସ୍ବ ବାବଦରେ ୧୦ ହଜାର ୪୭୯ କୋଟି ୧୮ ଲକ୍ଷ ଟଙ୍କା ମିଳିଛି। କମନକଜ୍ ଦ୍ବାରା ଦାୟର ମାମଲାର ବିଚାର କରି ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶ ମୁତାବକ ଆଇନ ଉଲ୍ଲଂଘନ କରି ଖଣିଜ ଉତ୍ତୋଳନ କରିଥିବା ୧୩୨ଟି ଖଣି ଲିଜଧାରୀଙ୍କ ଉପରେ ୧୯ ହଜାର ୨୫୯ କୋଟି ଟଙ୍କା ଧାର୍ଯ୍ୟ କରାଯାଇଥିଲା। ଜରିମାନ ଦେଇନଥିବା ଖଣି ଲିଜାଧାରୀଙ୍କ ଉପରେ ସାର୍ଟିଫିକେଟ କେସ୍‌ ଦାୟର କରାଯାଇଛି। କେତେଜଣଙ୍କ ସମ୍ପତ୍ତି ବାଜ୍ୟାପ୍ତି କରିବା ପାଇଁ ପଦକ୍ଷେପ ନିଆଯାଇଛି। ବର୍ତ୍ତମାନ ରାଜ୍ୟରେ ୧୪୩ଟି ଲୁହା ଓ ମାଙ୍ଗାନିଜ ଖଣି କାର୍ଯ୍ୟକ୍ଷମ ଅଛି। ୨୩ଟି କୋଇଲା ଖଣିରୁ କୋଇଲା ଉତ୍ତୋଳନ ହେଉଛି। ଆସନ୍ତା ବର୍ଷ ମାର୍ଚ୍ଚ ପୂର୍ବରୁ ୪୦ଟି ଖଣିର ନିଲାମ ପ୍ରକ୍ରିୟା ଶେଷ ହେବ। ଜରିମାନା ଭରିଥିବା ଖଣି ଲିଜଧାରୀଙ୍କ ଲିଜ୍‌ ଅବଧି ସଂପ୍ରସାରଣ କରିବାବେଳେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ମାନିବାକୁ ଚୁକ୍ତି କରାଯାଇଛି। ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୁଷ୍ଟ ହୋଇ ବିଜେପି ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ।ଏହା ପରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଇସ୍ପାତ ଓ ଖଣି ବିଭାଗର ୧୨୨ କୋଟି ୮୮ ଲକ୍ଷ ୧୧ ହଜାର କୋଟି ଟଙ୍କାର ଖର୍ଚ୍ଚ ଦାବି ଗୃହର ଅନୁମୋଦନ ଲାଭ କରିଥିଲା।

ଆଲୋଚନାରେ ଅନ୍ୟ ବିଧାୟକମାନଙ୍କ ଭିତରେ ମିନାକ୍ଷୀ ମହନ୍ତ, ଅଶ୍ବିନୀ କୁମାର ପାତ୍ର, ମୁକେଶ ମହାଲିଙ୍ଗ, ପ୍ରୀତମ ପାଢ଼ୀ, ଦେବେଶ ଆଚାର୍ଯ୍ୟ, ନବ ଚରଣ ମାଝୀ, ମକରୁନ୍ଦ ମୁଦୁଲି, ସନ୍ତୋଷ ସିଂହ ସାଲୁଜା, ତାରା ପ୍ରସାଦ ବାହିନୀପତି ଓ ରାଜ କିଶୋର ଦାସ ପ୍ରମୁଖ ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର