କ୍ରା‌ଇମବ୍ରାଞ୍ଚ ଏସ୍‌ଟିଏଫ୍‌ କବ୍‌ଜାରେ ଆଉ ଜଣେ ଖଣି ମାଫିଆ

ଭୁବନେଶ୍ବର : ଜଗନ୍ନାଥଙ୍କ ଜମିରେ ବେଆଇନ ଖଣି କାରବାର, ତା’ ସାଙ୍ଗକୁ ଚୋରା ବନ୍ଧୁକ ବେପାର। ଏଭଳି ଏକ ସଂଗିନ ଅଭିଯୋଗରେ କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ୍‌ ଜଣକୁ ଗିରଫ କରିଛି। ତା’ ନାଁ ସେକ୍ ମହମ୍ମଦ ଅଖତର୍‌। ଘର ପୁରୀ ଜିଲ୍ଲା ପିପିଲିରେ। ଏସ୍‌ଟିଏଫ୍‌ର ଅଧିକାରୀମାନେ ତା’ ନିକଟରୁ ଏକ ଚୋରା ବନ୍ଧୁକ ଜବତ କରିଛନ୍ତି। ଆଜି ତାକୁ ଖୋର୍ଧା କୋର୍ଟକୁ ଚାଲାଣ କରାଯାଇଛି। କ୍ରାଇମବ୍ରାଞ୍ଚର ମୋଷ୍ଟ ୱାଣ୍ଟେଡ୍‌ ତାଲିକାରେ ଥିବା ଅଖତର୍‌ ଦୀର୍ଘ ଦିନ ଧରି ଫେରାର୍‌ ଥିଲା।

ମିଳିଥିବା ସୂଚନା ମୁତାବକ, ଅଖତର୍‌ ପିପିଲି ଓ ଜଟଣୀ ଅଞ୍ଚଳରେ ଥିବା ଜଗନ୍ନାଥଙ୍କ ଜମିକୁ ଦଖଲ କରି ସେଠାରେ ମୋରମ୍‌ ଖନନ କରୁଥିଲା। ବିଭିନ୍ନ ସମୟରେ ଜିଲ୍ଲା ପ୍ରଶାସନ ତା’ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଉଦ୍ୟମ କରିବା ବେଳେ ସେ ସରକାରୀ କର୍ମଚାରୀଙ୍କୁ ଧମକଚମକ ଦେଉଥିଲା। ଦୀର୍ଘ ଦିନ ଧରି ସେ ଏଭଳି ବେଆଇନ କାରବାରରେ ସଂପୃକ୍ତ ରହିବା କାରଣରୁ ରାଜ୍ୟ ସରକାର ରାଜସ୍ବ ହରାଉଥିଲେ ବୋଲି ଏସ୍‌ଟିଏଫ୍‌ ଏସ୍‌.ପି ରାହୁଲ ପିଆର୍‌ କହିଛନ୍ତି। ବେଆଇନ ଖଣି କାରବାର ଉପରେ ରାଜ୍ୟ ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ନେବା ପରେ ଆଜି ପର୍ଯ୍ୟନ୍ତ ୧୧ଜଣ ଗିରଫ ହୋଇ ସାରିଲେଣି। ‌ସେମାନେ ଜଗନ୍ନାଥଙ୍କ ଜମିରେ ବେଆଇନ ଖଣି କାରବାର ଦୀର୍ଘ ବର୍ଷ ହେବ ଚଳାଇ ଆସୁଥିଲେ। ଆଗାମୀ ଦିନରେ ଏଭଳି ଚଢ଼ଉ ଆହୁରି କରାଯିବ ବୋଲି ଏସ୍‌ପି ଶ୍ରୀ ରାହୁଲ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର