କଞ୍ଚାମାଲ ପାଇଁ ଶିଳ୍ପ ସଂସ୍ଥା ହେବେ ଓଡ଼ିଶା ମୁହାଁ

ସରଣ୍ଡା ଅଞ୍ଚଳରେ ଖଣି ନିଷିଦ୍ଧ ହେବ

ରାଉରକେଲା : ପ୍ରକୃତିକ ଅଭିବୃଦ୍ଧିକ୍ଷମ ଘଞ୍ଚ ଶାଳ ବନ ସହିତ ଦୁଇ ଶହରୁ ଅଧିକ ହାତୀ ଓ ଅନ୍ୟାନ୍ୟ ବନ୍ୟଜନ୍ତୁଙ୍କ ଆଶ୍ରୟସ୍ଥଳୀ ସରଣ୍ଡା ଜଙ୍ଗଲର ଜୈବ ବିବିଧତା ସୁରକ୍ଷା ନିମନ୍ତେ ଝାଡ଼ଖଣ୍ଡ ସରକାର କେନ୍ଦ୍ରକୁ ବିସ୍ତତ ପ୍ରସ୍ତାବ ଦେଇଛନ୍ତି। ଯଦି ତାହା ଗୃହୀତ ହୁଏ , ତେବେ ଭାରତୀୟ ଇସ୍ପାତ ପ୍ରାଧିକରଣ (ସେଲ୍‌) ପରିଚାଳନାଧୀନ ବୋକାରୋ ଷ୍ଟିଲ୍‌ ପ୍ଲାଣ୍ଟର ଖଣି ସମେତ ଜିନ୍ଦଲ ଷ୍ଟିଲ୍‌ ଓ୍ଵାର୍କ୍ସ (ଜେଏସ୍‌ଡ଼ବ୍ଲ୍ୟୁ) ଓ ବେଦାନ୍ତ କମ୍ପାନିର ପ୍ରସ୍ତାବିତ ଲୁହାପଥର ଖଣି କାର୍ଯ୍ୟକ୍ଷମ ହୋଇପାରିବ ନାହିଁ। କେବଳ ସେତିକି ନୁହେଁ, ଝାଡ଼ଖଣ୍ଡରେ ପ୍ରାୟ ୬୦ ହଜାର କୋଟି ଟଙ୍କା ବ୍ୟୟରେ ବାର୍ଷିକ ୧.୨ କୋଟି ଟନ୍‌ କ୍ଷମତାର ଷ୍ଟିଲ୍‌ ପ୍ଲାଣ୍ଟ ସ୍ଥାପନ ପାଇଁ ସେଲ୍‌ ରଖିଥିବା ପ୍ରସ୍ତାବ ଲୁହାପଥର ଖଣି ବିନା ବାତିଲ ହୋଇଯିବ। ଏହାର ସୁଦୂରପ୍ରସାରୀ ପ୍ରଭାବ ସ୍ୱରୂପ ଝାଡ଼ଖଣ୍ଡରେ ଷ୍ଟିଲ୍‌ ପ୍ଲାଣ୍ଟ ସ୍ଥାପନ ପାଇଁ ଅଗ୍ରସର ହୋଇଥିବା ଜେଏସ୍‌ଡବ୍ଲ୍ୟୁ ଓ ବେଦାନ୍ତ ଭଳି କମ୍ପାନି ବୁଝାମଣାପତ୍ର (ଏମ୍‌ଓୟୁ) ବାତିଲ କରିବାକୁ ବାଧ୍ୟ ହେବେ କିମ୍ବା ଓଡ଼ିଶା ଲୁହାପଥର ଉପରେ ନିର୍ଭରଶୀଳ ହେବେ।

ଉଲ୍ଲେଖଯୋଗ୍ୟ, ଖଣି ଦୁର୍ନୀତିର ତଦନ୍ତ କରିଥିବା ଜଷ୍ଟିସ୍‌ ଏମ୍‌.ବି. ସାହା କମିସନ୍‌ଙ୍କ ରିପୋର୍ଟରେ ଥିବା ସୁପାରିସ୍‌ ଆଧାରରେ ସରଣ୍ଡା ଜଙ୍ଗଲରେ ଖଣି କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରି ଜୈବ ବିବିଧତା ରକ୍ଷା ନିମନ୍ତେ ଝାଡ଼ଖଣ୍ଡ ସରକାର କେନ୍ଦ୍ରକୁ ଦେଇଥିବା ପ୍ରସ୍ତାବ ଏବେ ପରିବେଶ ମନ୍ତ୍ରୀ ଡ. ହର୍ସବର୍ଦ୍ଧନଙ୍କ ବିଚାରାଧୀନ ଅଛି। ଯେହେତୁ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜୟନ୍ତୀ ନଟରାଜନ୍‌ ସରଣ୍ଡା ଜଙ୍ଗଲର ନିଷିଦ୍ଧାଞ୍ଚଳରେ ଜେଏସ୍‌ହବ୍ଲ୍ୟୁ ଓ ଇଲେକ୍ଟ୍ରୋଷ୍ଟିଲ୍‌ କାଷ୍ଟିଂ କମ୍ପାନିର ଖଣି ପ୍ରକଳ୍ପକୁ ଦେଇଥିବା ମଞ୍ଜୁରୀ ବିବାଦ ସିବିଆଇ ତଦନ୍ତାଧୀନ, ସେ ଦୃଷ୍ଟିରୁ କେନ୍ଦ୍ର ସରକାର ଉପରୋକ୍ତ ପ୍ରସ୍ତାବକୁ ସତର୍କତାର ସହ ବିଚାର କରୁଛନ୍ତି। ଝାଡ଼ଖଣ୍ଡ ସରକାର ଦେଇଥିବା ପ୍ରସ୍ତାବ ଅନୁସାରେ ୮୨୦ ବର୍ଗ କିଲୋମିଟର ପରିମିତ ସରଣ୍ଡା ଅନ୍ତର୍ଗତ ଘଟକୁରି, ସମତା, କରମପଡ଼ା, ତିରିଲ୍‌ପୋଷି, ଥାଲ୍‌କୋବାଦ, କୁମଡ଼ି ଆଦି ରେଞ୍ଜରେ ୩୩ଟି ଖଣି ଜୋନ୍‌ ପୂର୍ବରୁ କାର୍ଯ୍ୟକ୍ଷମ ଥିଲା। ସେଥିରୁ ଆଙ୍କୁଆ ଜଙ୍ଗଲରେ ୧୮ଟି ଖଣି ଅଞ୍ଚଳ ଥିବା ବେଳେ ଏହାର ମାଟିତଳେ ପ୍ରାୟ ୨୦୦ କୋଟି ଟନ୍‌ରୁ ଅଧିକ ଲୁହାପଥର ଗଚ୍ଛିତ ଅଛି। ଏହି ଅଞ୍ଚଳରେ ବୋକାରୋ ଷ୍ଟିଲ୍‌ ପ୍ଲାଣ୍ଟର ଖଣି ଥିବା ବେଳେ ବାଷିକ ୧ କୋଟି ଟନ୍‌ ଲୁହାପଥର ଉତ୍ତୋଳନ ପାଇଁ ଝାଡ଼ଖଣ୍ଡ ସରକାର ଆଂକୁଆ ଜଙ୍ଗଲରେ ଜେଏସ୍‌ଡବ୍ଲ୍ୟୁକୁ ୯୯୯ ହେକ୍ଟର ଓ ସେହି ଅଞ୍ଚଳରେ ବେଦାନ୍ତକୁ ଖଣି ଲିଜ୍‌ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ।

ତେବେ ପରିବର୍ତ୍ତିତ ପରିସ୍ଥିତିରେ ଝାଡ଼ଖଣ୍ଡ ସରକାର ସରଣ୍ଡାର ଘଞ୍ଚ ଶାଳ ବନ ପରିମିତ ଅଞ୍ଚଳରେ ୨ଟି ବିସ୍ତତ ସଂରକ୍ଷିତ ଅଞ୍ଚଳ ଓ ୩ଟି ଜୈବ ମଣ୍ଡଳ କାର୍ଯ୍ୟକାରୀ କରିବାକୁ ପ୍ରସ୍ତାବ ଦେଇଛନ୍ତି। ସରଣ୍ଡାର ମଧ୍ୟ ଓ ପୂର୍ବଭାଗସ୍ଥ ଓଡ଼ିଶା ସୀମା ସଂଲଗ୍ନ ଉଜୁଡ଼ା ଜଙ୍ଗଲରେ ଦୀର୍ଘ ମିଆଦି ଖଣି ପାଇଁ ମାତ୍ର ଦୁଇଟି ଅଞ୍ଚଳ ରହିବ; ଯେଉଁଠି ପୂର୍ବରୁ ଅନେକ ଖଣି କାର୍ଯ୍ୟକ୍ଷମ ଥିଲା। ଏହି ପ୍ରସ୍ତାବ ଅନୁସାରେ ଆଂକୁଆ ଓ ଚିରିଆ ଜଙ୍ଗଲରେ ଥିବା ୧୮ଟି ଖଣି ଜୋନ୍‌ ନିଷିଦ୍ଧାଞ୍ଚଳ ଭାବେ ଘୋଷିତ ହେବ। ଏହା ଅନ୍ତର୍ଗତ କାରୋ-କରମପଡ଼ା କରିଡ଼ର ଜଙ୍ଗଲୀ ହାତୀଙ୍କ ପାଇଁ ଓଡ଼ିଶାକୁ ପ୍ରବେଶପଥ ବିବେଚିତ ହେଉଥିବାରୁ କରମପଡ଼ା ଓ ଥାଲ୍‌କୋବାଦ ରେଞ୍ଜରେ ଖଣି କାର୍ଯ୍ୟକଳାପ ସମ୍ପୂର୍ଣ୍ଣ ନିଷିଦ୍ଧ ହେବ। ଏହାଛଡ଼ା ସସଙ୍ଗଡ଼ା ଓ କୋଇନା ରେଞ୍ଜ ଚରମ ଜୈବ ମଣ୍ଡଳ ଭାବେ ବିବେଚିତ ହେବ। ଉଲ୍ଲେଖଯୋଗ୍ୟ, ସିଂହଭୂମ ହାତୀ କରିଡ଼ର ମଧ୍ୟ ସରଣ୍ଡାର ଅନ୍ୟ ଏକ ନିଷିଦ୍ଧାଞ୍ଚଳ।

ଜଷ୍ଟିସ୍‌ ଏମ୍‌.ବି. ସାହାଙ୍କ ସୁପାରିସ୍‌କୁ ଅଧିକ ଦୃଢ଼ କରିବା ଭଳି ଭାରତୀୟ ଜଙ୍ଗଲ ଗବେଷଣା ଓ ଶିକ୍ଷା ପରିଷଦ (ଆଇସିଏଫ୍‌ଆର୍‌ଇ) ଦେଇଥିବା ରିପୋର୍ଟରେ ସରଣ୍ଡାରେ ଜୈବ ବିବିଧତାର ସୁରକ୍ଷା ନିମନ୍ତେ ଗୁରୁତ୍ୱ ଦେଇଥିଲେ। ସେହି ଜଙ୍ଗଲରୁ ବାର୍ଷିକ ସର୍ବାଧିକ ୬ କୋଟି ୪୦ ଲକ୍ଷ ଟନ୍‌ ଖଣିଜ ଉତ୍ତୋଳନ ପାଇଁ କଟକଣା ଥିଲା। ତେବେ ପରିବେଶ ସୁରକ୍ଷା ପ୍ରଶ୍ନରେ ଆଦୌ ସାଲିସ୍‌ ନକରି ଅତ୍ୟାଧୁନିକ ବୈଷୟିକ କୌଶଳ ପ୍ରୟୋଗ ପରେ ଖଣିଜ ଉତ୍ତୋଳନକୁ ୯ କୋଟି ଟନ୍‌ରେ ସୀମୀତ ରଖିବାକୁ ରିପୋର୍ଟରେ କୁହାଯାଇଥିଲା। ବେଆଇନ ଖଣି କାର୍ଯ୍ୟକଳାପ ପାଇଁ ଓଡ଼ିଶାର ଖଣି ଲିଜ୍‌ଧାରୀମାନେ ମୋଟା ଅଙ୍କର ଜରିମାନା ଦେବା ଓ ଏହି ବିବାଦରେ ରାଜ୍ୟ ସରକାରଙ୍କ ଭୂମିକା ସନ୍ଦେହକୁ ଆସିଥିବାରୁ ଝାଡ଼ଖଣ୍ଡ ସରକାର ଆତ୍ମରକ୍ଷା ପାଇଁ ୁପରୋକ୍ତ ପ୍ରସ୍ତାବ ଦେଇଥିବା କୁହାଯାଉଛି।

ସମ୍ବନ୍ଧିତ ଖବର