୬ ବର୍ଷ ମଧ୍ୟରେ ଓଡ଼ିଶାର ଖଣି ରାଜସ୍ୱ କମିଛି

ଭୁବନେଶ୍ୱର : ଗତ ଛଅ ବର୍ଷ ମଧ୍ୟରେ ଓଡ଼ିଶାରେ ଖଣି ରାଜସ୍ୱ ବଢ଼ିବା ପରିବର୍ତ୍ତେ କମିଛି। ଏହା ସତ୍ତ୍ୱେ ସରକାର ୨୦୧୮-୧୯ ବର୍ଷରେ ଖଣି ରାଜସ୍ୱ ୭୧୦୦ କୋଟି ଟଙ୍କାକୁ ବୃଦ୍ଧି ପାଇବ ବୋଲି ଲକ୍ଷ୍ୟ ରଖିଛନ୍ତି। ବିଧାୟକ ଦିଲ୍ଲୀପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ବିଧାନସଭାରେ ଏଭଳି ସୂଚନା ଦେଇଛନ୍ତି।

ମନ୍ତ୍ରୀ ତାଙ୍କ ଉତ୍ତରରେ ସୂଚାଇଛନ୍ତି, ୨୦୧୨-୧୩ ବର୍ଷରେ ଓଡ଼ିଶାର ୧୪ଟି ଖଣି ସର୍କଲରେ ୫୬୭୪ କୋଟି ୫୨ ଲକ୍ଷ ଟଙ୍କାର ଖଣି ରାଜସ୍ୱ ଆଦାୟ ହୋଇଥିଲା। ୨୦୧୭-୧୮ ବର୍ଷରେ ଏହାର ପରିମାଣ ବଢ଼ିବା ପରିବର୍ତ୍ତେ ୫୫୬୭ କୋଟି ୪ ଲକ୍ଷକୁ ଖସିଆସିଛି। ୨୦୧୩-୧୪ ବର୍ଷରେ ୫୫୦୭.୪ କୋଟି ଟଙ୍କାର ଖଣି ରାଜସ୍ୱ ଓଡ଼ିଶା ସରକାର ଆଦାୟ କରିଥିବା ବେଳେ ୨୦୧୪-୧୫ରେ ଏହାର ପରିମାଣ ୫୩୩୦.୪୩ କୋଟି ଟଙ୍କାକୁ ହ୍ରାସ ପାଇଥିଲା। ୨୦୧୫-୧୬ ବର୍ଷରେ ଖଣି ରାଜସ୍ୱ ୫୬୨୪.୪ କୋଟିକୁ ବୃଦ୍ଧି ପାଇଥିଲା ଓ ୨୦୧୬-୧୭ରେ ପୁଣି ଖସି ଆସି ୪୫୪୧.୨୮ କୋଟିରେ ପହଞ୍ଚିଥିଲା। ତେବେ ଚଳିତ ଆର୍ଥକ ବର୍ଷରେ ରାଜ୍ୟ ସରକାର ୭୧୦୦ କୋଟି ଟଙ୍କାର ଖଣି ରାଜସ୍ୱ ଆଦାୟ ପାଇଁ ଲକ୍ଷ୍ୟ ରଖିଥିବା ମନ୍ତ୍ରୀ ଜଣାଇଛନ୍ତି। ଯେଉଁସବୁ ଖଣି ଲିଜ୍‌ଧାରୀଙ୍କ ଉପରେ ମୋଟା ଅଙ୍କର ରାଜସ୍ୱ ଓ ଜରିମାନା ବାକି ପଡ଼ିଛି ତାହାର ବିସ୍ତୃତ ବିବରଣୀ ପ୍ରଦାନ କରି ମନ୍ତ୍ରୀ କହିଛନ୍ତି, ଏହି ତାଲିକାରେ ଭାରତ ସରକାରଙ୍କ ସେଲ୍‌, ନାଲ୍‌କୋ, ମହାନଦୀ କୋଲ୍‌ ଫିଲ୍ଡ ଲିମିଟେଡ୍‌ ରହିଛି। ଓଡ଼ିଶା ସରକାରଙ୍କ ଖଣି ନିଗମ ସମେତ ଟାଟା, ଫାକର୍‌, ଇମ୍‌ଫା ଆଦି ବହୁ ବେସରକାରୀ ଶିଳ୍ପ ସଂସ୍ଥା ତଥା ଖଣି ପଟ୍ଟାଦାର ମଧ୍ୟ ଖିଲାପି ତାଲିକାରେ ଅଛନ୍ତି। ବକେୟା ରାଶିର ଆଦାୟ ଲାଗି ସରକାର ଆଇନ୍‌ ଅନୁସାରେ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ମନ୍ତ୍ରୀ ଜଣାଇଛନ୍ତି।

ସମ୍ବନ୍ଧିତ ଖବର