ଦୁଃଖ ପ୍ରକାଶ କଲେ ଦାମ

ସନ୍ତୁଷ୍ଟ ନୁହେଁ ବିଜେପି

ଭୁବନେଶ୍ୱର : ‘ସ୍ୱାମୀ ଛାଡ଼ି ଅଙ୍ଗନବାଡି’ ମନ୍ତବ୍ୟ ଦେଇ ବିବାଦରେ ଫସିଥିବା କୃଷି ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ଆଜି ମୁଣ୍ଡ ନୁଆଁଇଛନ୍ତି। ଏକ ଭିଡିଓ ଜାରି କରି ମନ୍ତବ୍ୟ ପାଇଁ ଦୁଃଖ ପ୍ରକାଶ କରିଛନ୍ତି। ସମାନ୍ତରାଳ ଭାବେ ଜଣେ ଜାତୀୟ ଦଳର ନେତ୍ରୀ ତାଙ୍କ ଉଦ୍ଦେଶ୍ୟରେ ଯେଉଁ ଭାଷା ପ୍ରୟୋଗ କରିଛନ୍ତି, ସେ ନେଇ ସାଧାରଣ ଲୋକ ବିଚାର କରିବେ ବୋଲି କହିଛନ୍ତି। ତେବେ ବିଜେପିକୁ ଏହା ସନ୍ତୁଷ୍ଟ କରିନି। ଅଙ୍ଗନବାଡି କର୍ମୀ ମଧ୍ୟ ଆଜି ଡାକ୍ତର ରାଉତଙ୍କ ସରକାରୀ ବାସଭବନ ଘେରାଉ କରିବା ଲାଗି ଉଦ୍ୟମ କରିଥିଲେ। ମାତ୍ର ଶିଶୁଭବନ ଛକରେ ପୁଲିସ ଅଟକାଇବାରୁ ଉଦ୍ୟମ ବିଫଳ ହୋଇଥିଲା।

ଡାକ୍ତର ରାଉତ ଭିଡିଓରେ କହିଛନ୍ତି, ତାଙ୍କ କଥାକୁ ତିଳରୁ ତାଳ କରାଯାଇ ଭୁଲ ବୁଝାମଣା ସୃଷ୍ଟି କରାଯାଇଛି। ସେଥିରେ ସେ ମର୍ମାହତ। ଏହି ବକ୍ତବ୍ୟ କାହା ମନରେ ବ୍ୟଥା ସୃଷ୍ଟି କରିଥିଲେ ସେ ଦୁଃଖିତ। ତେବେ ଲୋକକଥାକୁ ନେଇ ଭୁଲ ବୁଝାମଣା ସୃଷ୍ଟି କରାଯାଇଛି।

ଏହି ଅବସରରେ ଡାକ୍ତର ରାଉତ ପୁଣି ଥରେ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ସଙ୍କେତ କରି ସାଧାରଣ ଲୋକଙ୍କ ରାୟକୁ ଅପେକ୍ଷା ରଖିଛନ୍ତି। କହିଛନ୍ତି, କୌଣସି ଜାତୀୟ ଦଳର ଜଣେ ନେତ୍ରୀ ହୋଇ ଯେଭଳି ଭାଷା ପ୍ରୟୋଗ କରୁଛନ୍ତି, ତା’ର ଉତ୍ତର କ’ଣ ହେବ ତାହା ସାଧାରଣ ଲୋକ ବିଚାର କରିବେ। କୌଣସି ପ୍ରସଙ୍ଗରେ ଉଦାହରଣ ଦିଆଗଲେ ବ୍ୟକ୍ତିଗତ ସ୍ତରକୁ ନିଆଯାଏ ନାହିଁ। ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କୁ କଟୁ ଭାଷାରେ ସମାଲୋଚନା କରାଗଲେ ଯଦି କିଛି ଅସୁବିଧା ନାହିଁ ତାହାହେଲେ ତାଙ୍କର କିଛି କହିବାର ନାହିଁ।

ତେବେ ଲେଖାଶ୍ରୀ ଆଜି ଗଣମାଧ୍ୟମକୁ କହିଛନ୍ତି, ଭିଡିଓ ଜାରି କଲେ ହେବନି, ଦାମ ବାବୁ କ୍ଷମା ମାଗନ୍ତୁ। ସେହିଭଳି ବିଜେପି ସଭାନେତ୍ରୀ ପ୍ରଭାତୀ ପରିଡ଼ା ବି କହିଛନ୍ତି ଯେ ମନ୍ତ୍ରୀ କ୍ଷମା ନ ମାଗିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ।

ସମ୍ବନ୍ଧିତ ଖବର