ଜଗା ମୁଣ୍ଡ ଉପରେ ଖପୁରୀ ନାହିଁ, ସ୍କୁଲ ଗଲେ ବିପଦ: ମନ୍ତ୍ରୀ ପ୍ରତାପ ଜେନା

କଟକ : ଜଗା ଯିବନି ସ୍କୁଲ। ସ୍କୁଲ ଗଲେ ବିପଦ। କାରଣ ତାର ମୁଣ୍ଡ ଉପରେ ଖପୁରି ନାହିଁ। ସେଥିପାଇଁ ଜଗା ମୁଣ୍ଡରେ ଖପୁରି ପ୍ରତିରୋପଣ କରାଯିବ। ବୋନ୍‌ ବ୍ୟାଙ୍କରୁ ଖପୁରି ଅଣାଯାଇ ଏଭଳି କରାଯିବ। କେବଳ ମୁଣ୍ଡର ସୁରକ୍ଷା ପାଇଁ ଛୋଟ ହେଲମେଟ୍ ପିନ୍ଧିଛି। ତେଣୁ ସ୍କୁଲ ବଦଳରେ ଏସ୍‌ସିବିରେ ଘରୋଇ ଟ୍ୟୁଟର ମାଧ୍ୟରେ ଜଗା ପାଠପଢିବାର ବ୍ୟବସ୍ଥା କରାଯିବ। ଅନ୍ୟପଟେ ବଳିଆର ସ୍ବାସ୍ଥ୍ୟବସ୍ଥା ଦିଲ୍ଲୀ ଏମ୍‌ସରେ ଯେମିତି ଥିଲା , ବର୍ତ୍ତମାନ ବି ସେମିତି ଅଛି। ତାର ସ୍ବାସ୍ଥ୍ୟବସ୍ଥାର ଉନ୍ନତି କିପରି ଅଣାଯିବ ସେଥିପାଇଁ ଏସ୍‌ସିବି ବିଶେଷଜ୍ଞ ଦଳ ସବୁପ୍ରକାର ଉଦ୍ୟମ ଚଳାଇଛନ୍ତି । ରବିବାର ଜଗା-ବଳିଆର ସ୍ବାସ୍ଥ୍ୟବସ୍ଥା ସଂପର୍କରେ ଅନୁଧ୍ୟାନ ପାଇଁ ଆସି ଏଭଳି କହିଛନ୍ତି ପଞ୍ଚାୟତିରାଜ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା। ସେ ଜଗା-ବଳିଆଙ୍କ ସ୍ବାସ୍ଥ୍ୟବସ୍ଥା ସଂପର୍କରେ ବିଶେଷଜ୍ଞଙ୍କ ସହ ଆଲୋଚନା କରିବା ସହ ତାଙ୍କ ବାପା,ମାଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। ସେ ସ୍ବାସ୍ଥ୍ୟମନ୍ତ୍ରୀ ଥିବା ସମୟରେ ଜଗା-ବଳିଆଙ୍କୁ ଚିକିତ୍ସା ପାଇଁ ଏମ୍‌ସ ପଠାଯାଇଥିଲା ଓ ଏହା ଏକ ବିରଳ ଅସ୍ତ୍ରୋପଚାର ଥିଲା। ରାଜ୍ୟସରକାର ଏଥିରେ ସମସ୍ତ ସହଯୋଗ କରିଥିଲେ ଓ ଆଗକୁ ମଧ୍ୟ ଜଗା-ବଳିଆଙ୍କ ଚିକିତ୍ସା ପାଇଁ ସବୁ କରାଯିବ। ଏଥିପାଇଁ ମୁଖ୍ୟମନ୍ତ୍ରୀ ଓ ଏମ୍‌ସ ଓ ଏସ୍‌ସିବି କର୍ତ୍ତୃପକ୍ଷଙ୍କୁ ସେ କୃତଜ୍ଞତା ଜଣାଇଥି‌ଲେ। ତେବେ ବଳିଆର ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ଆସୁଛି। ଆଜି ବଳିଆକୁ ଜ୍ବର ଆସିନି କି ବାତ ମାରିନଥିବା କହିଛନ୍ତି ବିଶେଷଜ୍ଞ କମିଟି ମୁଖ୍ୟ ସୂଚନା ଦେଇଛନ୍ତି।

ଜଗା-ବଳିଆଙ୍କ ଅସ୍ତ୍ରୋପଚାର ଏକ ବିରଳ ଘଟଣା। ଆଜି ପର୍ଯ୍ୟନ୍ତ ଯେତିକି ଅସ୍ତ୍ରୋପଚାର କରାଯାଇଛି ଓଟି ଟେବୁଲରେ ହିଁ ସେମାନଙ୍କ ମୃତ୍ୟୁ ଘଟିଛି। କିନ୍ତୁ ଜଗନ୍ନାଥଙ୍କ ଆଶୀର୍ବାଦରୁ ଜଗା-ବଳିଆ ସୁସ୍ଥ ଅଛନ୍ତି , ଯାହାକି ଚିକିତ୍ସା ବିଜ୍ଞାନର ଏକ ବଡ ସଫଳତା ବୋଲି କୁହାଯାଉଛି। ଜଗା-ବଳିଆଙ୍କ ମୁଣ୍ଡ ସଂପୂର୍ଣ୍ଣ ଭାବେ ଯୋଡି ହୋଇ ରହିଥିଲା। ଦିଲ୍ଲୀ ଏମ୍‌ସ ଯିବା ସମୟରେ ଉଭୟ କାନ୍ଧରେ ବୁହାହୋଇ ଯାଇଥିଲେ , ଏବେ କିନ୍ତୁ ସେଠାରେ ସଫଳ ଅସ୍ତ୍ରୋପଚାର ଦ୍ବାରା ‌ସେମାନେ ଅଲଗା ହୋଇ ପାରିଛନ୍ତି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ, ଜଗା-ବଳିଆ ଏସ୍‌ସିବିରେ ଯେଉଁଦିନ ଭର୍ତ୍ତି ହେଲେ, ସେହି ଦିନ ଖୋଦ୍‌ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଜଗାକୁ ଖୁବ୍‌ଶୀଘ୍ର ସ୍କୁଲ ପଠାଯିବ ବୋଲି ସୂଚନା ଦେଇଥିଲେ। ଏପରିକି ଏମ୍‌ସ କର୍ତ୍ତୃପକ୍ଷ ମଧ୍ୟ ଜଗା ସ୍କୁଲ ଯାଇପାରିବ ଓ ତାକୁ ସ୍କୁଲ ପଠାଯିବା ଦରକାର ବୋଲି କହିଥିଲେ। ଶୁକ୍ରବାର କେମିତି ଚାଲିଛି ଜଗା-ବଳିଆଙ୍କ ଚିକିତ୍ସା, ସେ ସଂପର୍କରେ ଅନୁଧ୍ୟାନ କରିବା ପାଇଁ ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତ ସୁଲୋଚନା‌ ଦାସ ଏସ୍‌ସିବିରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ତାସହିତ ଜଗାର ପାଠ ପଢିବା ଓ ସ୍କୁଲ ଯିବା ପ୍ରସଙ୍ଗରେ ଏକ ଅନୁଧ୍ୟାନ କମିଟି ଗଠନ କରାଯିବ ଓ ସେହି କମିଟିର ରିପୋର୍ଟ ଅନୁସାରେ ପାଠ ପଢାଯିବା ସଂପର୍କରେ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ଦେଇଥିଲେ। ମନ୍ତ୍ରୀଙ୍କ ଏସ୍‌ସିବି ଅଧୀକ୍ଷକ ପ୍ରଫେସର ଡାକ୍ତର ସିବିକେ ମହାନ୍ତି, ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନ ମହାରଣା, ଜଗା-ବଳିଆଙ୍କ ବାପା-ମା ଓ ବିଶେଷଜ୍ଞ ଦଳଙ୍କ ସହ ସ୍ବାସ୍ଥ୍ୟବସ୍ଥା ସଂପର୍କରେ ଆଲୋଚନା କରିଥିଲେ। ମନ୍ତ୍ରୀଙ୍କ ସହ ବିଜେଡି ଯୁବ ନେତା ରଞ୍ଜନ ବିଶ୍ବାଳ ମଧ୍ୟ ଜଗା-ବଳିଆଙ୍କୁ ଦେଖିବାକୁ ଯାଇଥିଲେ।

ସମ୍ବନ୍ଧିତ ଖବର