ଆନ୍ଦୋଳନରତ ଅଙ୍ଗନବାଡ଼ି କର୍ମୀଙ୍କୁ ମନ୍ତ୍ରୀଙ୍କ ଚେତାବନୀ

୩ଦିନ ମଧ୍ୟରେ କାର୍ଯ୍ୟରେ ଯୋଗ ନ ଦେଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଗତ ୩୯ଦିନ ଧରି ଲୋୟର ପିଏମ୍‌ଜିରେ ଧାରଣା ଦେଇଥିବା ଅଙ୍ଗନବାଡ଼ି କର୍ମୀଙ୍କୁ ମିଳିଛି ଚେତାବନୀ। ୩ଦିନ ମଧ୍ୟରେ କାର୍ଯ୍ୟରେ ଯୋଗ ନ ଦେଲେ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଗୁରୁବାର ଚେତାବନୀ ଦେଇଛନ୍ତି। ଶ୍ରୀ ସାମଲ କହିଛନ୍ତି ଯେ, ଆନ୍ଦୋଳନରତ ଅଙ୍ଗନବାଡ଼ି କର୍ମୀଙ୍କୁ କାର୍ଯ୍ୟରେ ଯୋଗଦେବା ପାଇଁ ସରକାର ସର୍ବାଧିକ ୩ ଦିନ ସମୟ ଦେଇଛନ୍ତି। ଯେଉଁମାନେ କାର୍ଯ୍ୟରେ ଯୋଗ ନ ଦେବେ ସେମାନେ ଚାକିରିରେ ରହିବାକୁ ଇଚ୍ଛୁକ ନୁହେଁ ବୋଲି ଧରି ନିଆଯିବ। ଆବଶ୍ୟକ ପଡ଼ିଲେ ବିକଳ୍ପ ବ୍ୟବସ୍ଥା କରାଯିବ। ରାଜ୍ୟର ପ୍ରତ୍ୟେକ ଗାଁ ଓ ଓ୍ଵାର୍ଡରେ ମହିଳା ଏସ୍‌ଏଚ୍‌ଜି ରହିଛନ୍ତି। ସେମାନଙ୍କୁ ଦାୟିତ୍ୱ ଦିଆଯିବ। ତେଣୁ ଏଭଳି ପରିସ୍ଥିତିରେ ଆନ୍ଦୋଳନରତ ଅଙ୍ଗନବାଡ଼ି କର୍ମୀମାନେ ମନକୁ ମନ କାର୍ଯ୍ୟରୁ ବାହାରିଯିବେ ବୋଲି ଶ୍ରୀ ସାମଲ କହିଛନ୍ତି।
ଅପରପକ୍ଷରେ ନିଜ ଜିଦ୍‌ରେ ଅଟଳ ରହିଛି ଅଲ ଓଡ଼ିଶା ଅଙ୍ଗନବାଡ଼ି ଲେଡିଜ ଓ୍ଵାର୍କର୍ସ ଆସୋସିଏସନ୍‌। ଆସୋସିଏସନ୍‌ର ସାଧାରଣ ସଂପାଦିକା ସୁମିତା ମହାପାତ୍ର କହିଛନ୍ତି, ଦାବି ପୂରଣ ପର୍ଯ୍ୟନ୍ତ ଧାରଣା ଜାରି ରହିବ। ଆଜି ଗଞ୍ଜାମ ଜିଲ୍ଲାର ଅଙ୍ଗନବାଡ଼ି କର୍ମୀମାନେ ଧାରଣାରେ ସାମିଲ ହୋଇଛନ୍ତି। ସରକାରଙ୍କ ଧମକରେ ସଂଘ ଡରିବ ନାହିଁ। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ଶ୍ରୀମତୀ ମହାପାତ୍ର କହିଛନ୍ତି।

ଧମକ ଅଗଣତାନ୍ତ୍ରିକ

ଭୁବନେଶ୍ୱର: ଆନ୍ଦୋଳନରତ ଅଙ୍ଗନବାଡ଼ି କର୍ମୀଙ୍କୁ ଚାକିରିରୁ ଛଟେଇ କରିବା ପାଇଁ ରାଜ୍ୟ ସରକାରଙ୍କ ଚେତାବନୀକୁ ଅଗଣତାନ୍ତ୍ରିକ ବୋଲି କହିଛନ୍ତି ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି। ଗତ ୩୮ ଦିନ ଧରି ଖୋଲା ଆକାଶ ତଳେ ଆନ୍ଦୋଳନରେ ବସିଥିବା ମହିଳାଙ୍କ ଅଧିକାରକୁ ରାଜ୍ୟ ସରକାର ସମ୍ମାନ ଦେବା ବଦଳରେ ନାଲିଆଖି ଦେଖାଇବା ଫାସିବାଦୀ ମାନସିକତା। ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ବିଜୁ ଶ୍ରମିକ ସାମ୍ମୁଖ୍ୟ ନାଁରେ ମହିଳାଙ୍କୁ ଆଣି ଆନ୍ଦୋଳନରତ ମହିଳାଙ୍କୁ ଆଲୋଚନାରୁ ଦୂରେଇ ରଖିବା ଗଣତାନ୍ତ୍ରିକ ମୂଲ୍ୟବୋଧର ହତ୍ୟା। ତେଣୁ ରାଜ୍ୟ ସରକାର ନିଜ ଅହଂକାରରୁ ବାହାରି ଆନ୍ଦୋଳନରତ ଅଙ୍ଗନବାଡ଼ି କର୍ମୀଙ୍କ ସହ ଆଲୋଚନା କରିବାକୁ ଆଗେଇ ଆସନ୍ତୁ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ଉଲ୍ଲେଖ ଯେ, ଗତ ୧୭ତାରିଖରେ ରାଜ୍ୟ ସରକାର ଅଙ୍ଗନବାଡ଼ି କର୍ମୀଙ୍କ ଭତ୍ତାକୁ ୨ହଜାର ଟଙ୍କା ବୃଦ୍ଧି କରିଥିଲେ। ଏହାସହ ମିନି ଅଙ୍ଗନବାଡ଼ି କର୍ମୀଙ୍କୁ ୪୧୨୫ଟଙ୍କା ଓ ଅଙ୍ଗନବାଡ଼ି ହେଲ୍‌ପରଙ୍କୁ ୩ହଜାର ଟଙ୍କା ବୃଦ୍ଧି କରାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଅଙ୍ଗନବାଡ଼ି କର୍ମୀଙ୍କ ଭତ୍ତାକୁ ବୃଦ୍ଧି କରାଯିବା ପରେ ଦୁଇ ଅଙ୍ଗନବାଡ଼ି ସଂଘ ମଧ୍ୟ ଫାଟ ସୃଷ୍ଟି ହୋଇଥିଲା। ନିଖିଳ ଓଡ଼ିଶା ଅଙ୍ଗନବାଡ଼ି କର୍ମୀ ସଂଘ, ଓଡ଼ିଶା ଅଙ୍ଗନବାଡ଼ି ଓ୍ଵାର୍କରସ୍‌ ଏଣ୍ଡ ହେଲ୍‌ପରସ୍‌ ଆସୋସିଏସନ୍‌ ଏବଂ ପଶ୍ଚିମ ଓଡ଼ିଶା ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ସଂଘକୁ ନେଇ ଗଠିତ ଅଙ୍ଗନବାଡ଼ି କର୍ମଚାରୀ ୟୁନିୟନ୍‌ ସଂଯୁକ୍ତ ମୋର୍ଚା ଆନ୍ଦୋଳନରୁ ଓହରି ଯାଇଥିବା ବେଳେ ଅଲ ଓଡ଼ିଶା ଅଙ୍ଗନବାଡ଼ି ଲେଡିଜ ଓ୍ଵାର୍କର୍ସ ଆସୋସିଏସନ୍‌ ଏବେ ବି ଆନ୍ଦୋଳନ ଜାରି ରଖିଛି।

 

ସମ୍ବନ୍ଧିତ ଖବର