ମନ୍ତ୍ରୀ ସମ୍ପର୍କୀୟଙ୍କ ଉନ୍ମତ୍ତକାଣ୍ଡ

ଦ୍ରୁତ ଗାଡ଼ି ଚାଳନାକୁ ବିରୋଧ କରିବାରୁ ଛୁରା ମାଡ଼; ୨ ଗୁରୁତର, ନିସ୍ତୁକ ଛେଚି ପୁଲିସରେ ଦେଲେ ସ୍ଥାନୀୟ ଲୋକ, ପିସ୍ତଲ ଜବତ

ଜଳେଶ୍ବର : ଜଳେଶ୍ବର ଥାନା ଆମ୍ବଳିଅଠା ଛକଠାରୁ କିଛି ଦୂରରେ ଗତକାଲି ବିଳମ୍ବିତ ରାତ୍ରିରେ ଜଣେ କୁଖ୍ୟାତ ଅପରାଧୀ ଜଗା ଓରଫ ରତନ ଦାସଙ୍କ ପ୍ରାଣାନ୍ତକ ଆକ୍ରମଣରେ ଆମ୍ବଳିଅଠା ଗ୍ରାମର ଦୁଇଜଣ ଯୁବକ ଗରୁତର ଆହତ ହୋଇଛନ୍ତି। ଆହତମାନେ ହେଲେ ଶଙ୍କର କରଙ୍କ ପୁଅ ସଞ୍ଜୀବ(୪୮) ଓ ଅନନ୍ତ କରଙ୍କ ପୁଅ ସୁଶାନ୍ତ(୪୦)। ସେମାନଙ୍କୁ ଜିକେ ଭଟ୍ଟର ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ସଂକଟାପନ୍ନ ରହିଛି। ଅନ୍ୟପକ୍ଷରେ ଏଭଳି ଆକ୍ରମଣ କରିଥିବା ଜଗାକୁ ସ୍ଥାନୀୟ ଲୋକେ କାବୁ କରି ନିସ୍ତୁକ ମାଡ଼ ମାରିବାରୁ ସେ ମଧ୍ୟ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ପୂର୍ବରୁ ବହୁ ସଂଗିନ ଅପରାଧରେ ଜଡ଼ିତ ଜଗା ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସଙ୍କ ସମ୍ପର୍କୀୟ ପୁତୁରା ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଶନିବାର ରାତି ପ୍ରାୟ ୧୨ଟା ସମୟରେ ଜଗା ଓଡି୦୧ଇ-୨୨୦୦ ନମ୍ବରର ଏକ ବାଇକ୍‌ରେ ଆଉ ଜଣେ ଯୁବକଙ୍କ ସହ ଦ୍ରୁତଗତିରେ ବେଲି ଗୋପୀନାଥପୁର ଗାଁ ଆଡ଼କୁ ଯାଉଥିଲା। ସେହି ସମୟରେ ରାସ୍ତାରେ ଯାଉଥିବା ଆମ୍ବଳିଅଠାର କେତେକ ଯୁବକ ଏତେ ଦ୍ରୁତଗତିରେ କାହିଁକି ଗାଡ଼ି ଚଳାଉଛ କହି ପାଟି କରିବାରୁ ଜଗା ଗାଡ଼ି ଅଟକାଇ ସେମାନଙ୍କ ସହିତ ଯୁକ୍ତିତର୍କ କରିଥିଲା ଏବଂ ସଞ୍ଜୀବ ଓ ସୁଶାନ୍ତ(୪୦)ଙ୍କୁ ଏକ ଧାରୁଆ ଛୁରି(ଅପରେସନରେ ବ୍ୟବହୃତ ହେଉଥିବା ବ୍ଲେଡ୍‌)ରେ ଆକ୍ରମଣ କରି ଲହୁଲୁହାଣ କରି ପକାଇଥିଲା। କେବଳ ସେତିକି ନୁହେଁ, ସେ ମନ୍ତ୍ରୀଙ୍କ ପୁତୁରା ଓ ତା’ ସହ ଲାଗିଲେ ପରିଣତି ଭୟାବହ ହେବ ବୋଲି ଧମକ ମଧ୍ୟ ଦେଇଥିଲା।

ଏହି ସମୟରେ କିଛି ଦୂରରେ ଥିବା ଲୋକେ ପାଟିତୁଣ୍ଡ ଶୁଣି ଦୌଡ଼ି ଆସିଥିଲେ। ସେମାନେ ସଞ୍ଜୀବ ଓ ସୁଶାନ୍ତକୁ ଜଗା କବଳରୁ ଉଦ୍ଧାର କରିବା ସହ ଜଗାଙ୍କୁ କାବୁ କରି ନେଇଥିଲେ। ତଥାପି ଜଗା ଅଶ୍ରାବ୍ୟ ଭାଷାରେ ଗାଳିଗୁଳଜ ସହ ବିଭିନ୍ନ ପ୍ରକାର ଧମକ ଦେଇ ଚାଲିଥିଲା। ଫଳରେ ସେମାନେ ଜଗା ଓ ତା’ ସହ ଥିବା ନାଚିନ୍ଦା ଗ୍ରାମର ପୂର୍ଣ୍ଣଚନ୍ଦ୍ର ଦେଙ୍କ ପୁଅ ଅମର(୪୭)ଙ୍କୁ ଗଛରେ ବାନ୍ଧି ପକାଇ ମାଡ଼ ମାରିଥିଲେ। ଜଗା ନିକଟରୁ ଏକ ପିସ୍ତଲ, ମୋବାଇଲ, ଓଡି୧୧ଏଫ-୩୯୯୩ର ଦୁଇଟି ନମ୍ବରପ୍ଲେଟ୍‌, ପୁଲିସ ଲେଖା ଥିବା ଫଳକ, ନଗଦ କିଛି ଟଙ୍କା, ଯନ୍ତ୍ରପାତି ଖୋଲିବା ପାଇଁ ଉଦ୍ଦିଷ୍ଟ ରେଞ୍ଚ ଇତ୍ୟାଦି ଲୋକେ ବାହାର କରିଥିଲେ। ଏନେଇ ଜଳେଶ୍ବର ପୁଲିସ ଖବରପାଇ ଆମ୍ବଳିଅଠା ନିକଟରେ ପହଞ୍ଚିଥିଲା। ସେଠାରୁ ଜଗା ଓ ଅମରକୁ ନେଇଯିବା ସହ ଉଭୟଙ୍କୁ ଡାକ୍ତରୀ ଚିକିତ୍ସା ପରେ ଥାନାକୁ ନେଇ ଜେରା କରୁଛି। ଅନ୍ୟପକ୍ଷରେ ସଞ୍ଜୀବ ଓ ସୁଶାନ୍ତଙ୍କ ଅବସ୍ଥା ଏବେ ବି ସଙ୍କଟାପନ୍ନ ରହିଛି।

ସମ୍ବନ୍ଧିତ ଖବର