‘ପେସା’ରେ ଫସିଗଲେ ମହାରଥୀ

ଭୁବନେଶ୍ୱର : ବିଧାନସଭାର ପ୍ରଶ୍ନକାଳ ଆଜି ସ୍ୱାଭାବିକ ଭାବେ ଆରମ୍ଭ ହୋଇଥିଲା। ପ୍ରାୟ ୨୦ ମିନିଟ୍‌ ସବୁ ଠିକ୍‌ ଚାଲିଲା। ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଗୋଟିଏ ଉତ୍ତର ସବୁ ଓଲଟପାଲଟ କରିଦେଲା। ସରକାରଙ୍କ ଉପରେ ବିରୋଧୀ ଗର୍ଜିଲେ। ଏମିତି ହେଲା ଯେ ପ୍ରଶ୍ନକାଳ ଅଧାରେ ଅଟକିଗଲା। ଶୂନ୍ୟକାଳ ମାତ୍ର ୫ ମିନିଟ୍‌ ଚାଲିଲା। ଆଉ ପ୍ରଥମାର୍ଦ୍ଧ ଗୃହ କାର୍ଯ୍ୟ ସମ୍ଭବ ହେଲା ନାହିଁ।

କଂଗ୍ରେସ ସଭ୍ୟ ଡାକ୍ତର ପ୍ରଫୁଲ୍ଲ ମାଝୀଙ୍କ ମୂଳ ପ୍ରଶ୍ନ ଥିଲା, ସୁନ୍ଦରଗଡ଼ ଆଦିବାସୀ ଜିଲ୍ଲାର ଅନୁସୂଚିତ ଜନଜାତିମାନେ କେତୋଟି ଗ୍ରାମସଭା ଗଠନ କରିଛନ୍ତି ଓ ଏ ସମସ୍ତ ଗ୍ରାମସଭା କେଉଁ କେଉଁ ଗ୍ରାମସଭା ନାମରେ ନାମିତ ହୋଇଛି? ଯଦି ନିୟମଗିରି କ୍ଷେତ୍ରରେ ଗ୍ରାମସଭାକୁ ସୁପ୍ରିମକୋର୍ଟ ମାନ୍ୟତା ଦେଇଛନ୍ତି, ତେବେ ସୁନ୍ଦରଗଡ଼ ଆଦିବାସୀଙ୍କ ଦ୍ୱାରା ଗଠିତ ଗ୍ରାମସଭାକୁ ସରକାର କାହିଁକି ମାନ୍ୟତା ଦେଉ ନାହାନ୍ତି ? ଏହା ଦ୍ୱାରା ଆଦିବାସୀଙ୍କର କ୍ଷତି ହେଉନି କି ?

ମନ୍ତ୍ରୀ ଶ୍ରୀ ମହାରଥୀଙ୍କ ଉତ୍ତର ଥିଲା, ସମ୍ବିଧାନର ଧାରା ୪୦,୨୪୩ ଓ ପେସା ଅଧିନିୟମ ୧୯୯୬ରେ ଥିବା ବ୍ୟବସ୍ଥା ଅନୁଯାୟୀ ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନ୍‌, ୧୯୬୪କୁ ସଂଶୋଧନ କରାଯାଇ ରାଜ୍ୟପାଳଙ୍କ ଅନୁମୋଦନକ୍ରମେ ତାହାକୁ ରାଜ୍ୟର ସମସ୍ତ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଲାଗୁ କରାଯାଇଛି। ସୁନ୍ଦରଗଡ଼ ଜିଲ୍ଲାରେ ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନ୍‌ ଅନୁଯାୟୀ ଗଠିତ ହୋଇଥିବା ଗ୍ରାମସଭାଗୁଡ଼ିକୁ ସରକାର ମାନ୍ୟତା ଦେଉଛନ୍ତି। କିନ୍ତୁ ସୁନ୍ଦରଗଡ଼ ଜିଲ୍ଲାର କିଛି ଅନୁସୂଚିତ ଜନଜାତି ଅଧିବାସୀ ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନ୍‌,୧୯୬୪କୁ ଅବଲମ୍ବନ ନ କରି ସ୍ୱେଚ୍ଛାକୃତ ଭାବେ ୨୭୫ଟି ଗ୍ରାମସଭା ଗଠନ କରିଛନ୍ତି ଓ ଏଥିରେ ନିର୍ବାଚିତ ସରପଞ୍ଚମାନେ ସଭ୍ୟ ନାହାନ୍ତି।

ମନ୍ତ୍ରୀଙ୍କ ଉତ୍ତରରେ ଥିବା ‘ସମ୍ବିଧାନର ଧାରା ୪୦,୨୫୩’କୁ ନେଇ ଆରମ୍ଭ ହୋଇଗଲା ବିବାଦ। ମୂଳ ପ୍ରଶ୍ନକର୍ତ୍ତା ଡାକ୍ତର ମାଝୀ କହିଥିଲେ, ମନ୍ତ୍ରୀ ଭୁଲ୍‌ ଉତ୍ତର ଦେଲେ। ସମ୍ବାଧାନରେ ‘୪୦,୨୫୩’ ଧାରା କିଛି ଅଛି କି? ଏହା ଆଦିବାସୀମାନଙ୍କ ସ୍ୱାର୍ଥର କଥା। ମନ୍ତ୍ରୀ ଏମିତି ଉତ୍ତର ଦେଲେ ହେବ ନାହିଁ। ଆବଶ୍ୟକ ପ୍ରସ୍ତୁତି କରି ଗୃହକୁ ଆସନ୍ତୁ। ମନ୍ତ୍ରୀ ପ୍ରଶ୍ନକୁ ଲକ୍ଷ୍ୟ କରି ସ୍ପଷ୍ଟ ଉତ୍ତର ଦିଅନ୍ତୁ। ଗୃହକୁ ଏପରି ବିଭ୍ରାନ୍ତି କରିବା ଠିକ୍‌ ନୁହେଁ।

ଏହା ପରେ ବି ମନ୍ତ୍ରୀ ଶ୍ରୀ ମହାରଥୀ ଠୋସ୍‌ ଉତ୍ତର ଦେଇ ନ ଥିଲେ। ସମ୍ବିଧାନର ଧାରା ‘୪୦,୨୫୩’ କାହିଁକି ଉତ୍ତରରେ ଦର୍ଶାଇଲେ, ତାହାକୁ ବି ସଂଶୋଧନ କଲେନି। ଗ୍ରାମସଭାର ନିୟମ ବାଖ୍ୟା କଲେ। କିନ୍ତୁ ପ୍ରଶ୍ନକର୍ତ୍ତା ଉଠାଇଥିବା ପ୍ରଶ୍ନକୁ ଆଦୌ ଛୁଇଁଲେ ନାହିଁ।

ଲକ୍ଷ୍ମଣ ମୁଣ୍ଡା ପଚାରିଲେ, ପେସା ଆଇନ୍‌ରେ ଗ୍ରାମସଭା ହେଉଛି। ଏ ଦିଗରେ ସରକାର ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ। ମନ୍ତ୍ରୀ ଏହା ଉପରେ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି ନ ଥିଲେ।

ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଲେ, ପେସା ଆଇନ୍‌ ସମ୍ବିଧାନ ସଂଶୋଧନରେ ଯାହା ବ୍ୟବସ୍ଥା ଅଛି ତାହାକୁ ଅନୁଧ୍ୟାନ କରି ସରକାର ସେହି ଅନୁଯାୟୀ ବ୍ୟବସ୍ଥା କରିବେ କି ? ଏ ନେଇ ମନ୍ତ୍ରୀ ସ୍ପଷ୍ଟ କରନ୍ତୁ। ଶ୍ରୀ ମହାରଥୀ କହିଥିଲେ, ବିଧାୟକ ପ୍ରଫୁଲ୍ଲ ମାଝୀ ମୋ ଚାମ୍ବର୍‌କୁ ଆସନ୍ତୁ। ଏ ନେଇ ଆଲୋଚନା କରାଯିବ। ଆଇନ୍‌ ଅନୁଯାୟୀ ଆବଶ୍ୟକ ପଦକ୍ଷେପ ନିଆଯିବ।

କିନ୍ତୁ ମନ୍ତ୍ରୀଙ୍କ ଉତ୍ତର ବିରୋଧୀ ଦଳ ସଭ୍ୟମାନଙ୍କୁ ସନ୍ତୁଷ୍ଟ କରିପାରି ନ ଥିଲା। ଆଦିବାସୀଙ୍କୁ ଏ ସରକାର ଅବହେଳା କରୁଛନ୍ତି ବୋଲି ଅଭିଯୋଗ କରି ଉଭୟ କଂଗ୍ରେସ ଓ ବିଜେପି ସଭ୍ୟ ଗୃହ ମଧ୍ୟ ଭାଗକୁ ମାଡ଼ି ଆସିଲେ। ମନ୍ତ୍ରୀ ଅକଳରେ ପଡ଼ିଯାଇଥିଲେ। ବାଚସ୍ପତି ବିରୋଧୀ ଦଳ ସଭ୍ୟମାନଙ୍କୁ ଆସନକୁ ଫେରିଯିବା ପାଇଁ ଅନୁରୋଧ କରିଥିଲେ ବି ସେମାନେ ଶୁଣି ନ ଥିଲେ। ଗୃହ ମଧ୍ୟ ଭାଗରେ ସରକାରଙ୍କ ବିରୋଧରେ ନାରାବାଜି ଦେଲେ। ୧୦ଟା ୫୫ରେ ବାଚସ୍ପତି ଗୃହକୁ ମଧ୍ୟାହ୍ନ ୧୨ଟା ଯାଏଁ ମୁଲତବୀ ରଖିଲେ।

୧୨ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେଲା ମାତ୍ରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ସମ୍ବଲପୁର ପରିବାର କୋର୍ଟରେ ହୋଇଥିବା ହତ୍ୟାକାଣ୍ଡ ପ୍ରସଙ୍ଗ ଉଠାଇଥିଲେ। ୧୨ଟା ୫ରେ ପୁଣି ଆଦିବାସୀ ପ୍ରସଙ୍ଗ ଉଠାଇ କଂଗ୍ରେସ ସଭ୍ୟମାନେ ହୋହଲ୍ଲା କରିଥିଲେ। ବାଚସ୍ପତି ଗୃହକୁ ଅପରାହ୍ନ ୩ଟା ଯାଏଁ ମୁଲତବୀ ରଖିଲେ।

ଗୃହ ବାହାରେ ବିରୋଧୀ ଦଳ ନେତା କହିଲେ, ଆମେ ଆଜି ଗୃହ କାର୍ଯ୍ୟରେ କୌଣସି ବାଧା ଦେଇ ନ ଥିଲୁ। ସ୍ୱାଭାବିକ ଭାବେ ସବୁ ଆରମ୍ଭ ହୋଇଥିଲା। କିନ୍ତୁ ସରକାର ଗୃହରେ ଠିକ୍‌ ଉତ୍ତର ରଖିବା ଆବଶ୍ୟକ। ପେସା ଆଇନ୍‌ ସମ୍ବିଧାନରେ ଯେଉଁ ସଂଶୋଧନ ହୋଇଛି, ତାହାକୁ ଠିକ୍‌ ଭାବେ ଅନୁଧ୍ୟାନ କରି ମନ୍ତ୍ରୀ ଉତ୍ତର ଦେବାର ଥିଲା। ଉତ୍ତର ଠିକ୍‌ ମିଳିଲେ ଗୃହ ଠିକ୍‌ ଚାଲିବ। କେନ୍ଦ୍ର ସରକାର ସ୍ପଷ୍ଟ ଭାବେ ଅନୁସୂଚିତ ଜନଜାତି ଜିଲ୍ଲାରେ ପେସା ଆଇନ୍‌ ଲାଗୁ କରିଛନ୍ତି। ଯେଉଁଠି ପେସା ଆଇନ୍‌ କାର୍ଯ୍ୟକାରୀ ହେବ, ସେଠି ପଞ୍ଚାୟତ ଆଇନ୍‌ କାର୍ଯ୍ୟ କରିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି। ତେଣୁ ମନ୍ତ୍ରୀ ଉତ୍ତର ଦେଲା ବେଳେ ଆଇନ୍‌କୁ ଠିକ୍‌ ଭାବେ ଦେଖି ପ୍ରଶ୍ନକର୍ତ୍ତାଙ୍କ ପ୍ରଶ୍ନକୁ ଲକ୍ଷ୍ୟରେ ରଖି ଉତ୍ତର ଦେବା ଆବଶ୍ୟକ। କିନ୍ତୁ ମନ୍ତ୍ରୀମାନେ ତାହା କରୁ ନାହାନ୍ତି।

ସମ୍ବନ୍ଧିତ ଖବର