ମନ୍ତ୍ରୀସ୍ତରୀୟ ଆଲୋଚନା ପୁଣି ବିଫଳ

ଆଜି ଶିକ୍ଷକମାନଙ୍କ ମହାସଂଘର୍ଷ ସମାବେଶ, ଶତାଧିକ ଅଧ୍ୟାପକଙ୍କୁ ନିଲମ୍ବନ ଲାଗି ସୁପାରିସ

ଭୁବନେଶ୍ୱର: ବ୍ଲକଗ୍ରାଣ୍ଟ ଅଧ୍ୟାପକଙ୍କୁ ସନ୍ତୁଷ୍ଟ କରିବାକୁ ରାଜ୍ୟ ସରକାରଙ୍କ ଉଦ୍ୟମ ପୁଣିଥରେ ବିଫଳ ହୋଇଛି। ୧୫ ଦିନ ଧରି ଯୁକ୍ତ୨ ଖାତା ମୂଲ୍ୟାୟନ ଚାଲିବା ପରେ ଆଜି ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ସହ ମନ୍ତ୍ରୀସ୍ତରୀୟ କମିଟିର ବୈଠକ ପୁଣିଥରେ ବସିଥିଲା। ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର, ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସଙ୍କ ସମେତ ୩ ବିଭାଗର ସଚିବ ମଧ୍ୟ ଉପସ୍ଥିତ ଥିଲେ। ସନ୍ଧ୍ୟା ୬ଟାରୁ ରାତି ୮ଟା ପର୍ଯ୍ୟନ୍ତ ସଚିବାଳୟରେ ଆଲୋଚନା ଚାଲିଥିଲେ ମଧ୍ୟ କୌଣସି ସମାଧାନର ବାଟ ବାହାରିପାରି ନାହିଁ। ଯେଉଁ ସ୍କୁଲ ଓ କଲେଜ ୪୦%, ୬୦%, ୭୫% ବ୍ଲକଗ୍ରାଣ୍ଟ ପାଉଛନ୍ତି ସେମାନଙ୍କୁ ଗ୍ରାଣ୍ଟ-ଇନ୍‌-ଏଡ୍‌ ପରିସରଭୁକ୍ତ କରାଗଲା। ୧୩୬% ଅନୁପାତରେ ସମୟ ଅନୁଯାୟୀ ଡିଏ ପାଇବେ। କିନ୍ତୁ ଇନ୍‌କ୍ରିମେଣ୍ଟ ପାଇବେ ନାହିଁ। ଶତ ପ୍ରତିଶତ ବ୍ଲକଗ୍ରାଣ୍ଟ ମିଳିବା ପରେ ଇନ୍‌କ୍ରିମେଣ୍ଟ ଲାଗୁ ହେବ। ଏଥିପାଇଁ ୮ ବର୍ଷ ଲାଗିଯିବ ବୋଲି ଅଭିଯୋଗ କରିଛି ମିଳିତ ମଞ୍ଚ। ତେଣୁ ମନ୍ତ୍ରୀସ୍ତରୀୟ କମିଟି ନିଷ୍ପତ୍ତିକୁ ମଞ୍ଚ ପ୍ରତ୍ୟାଖାନ କରିଛି। ପୂର୍ବ ନିଷ୍ପତ୍ତି ଅନୁଯାୟୀ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ଡାକରାରେ ଆସନ୍ତାକାଲି(ବୁଧବାର) ଲୋୟର ପିଏମ୍‌ଜିରେ ଅନୁଷ୍ଠିତ ହେବ ମହାସଂଘର୍ଷ ସମାବେଶ। ଏଥିପାଇଁ ଆଜିଠାରୁ ଶିକ୍ଷକ, ଅଧ୍ୟାପକମାନେ ଭୁବନେଶ୍ୱରରେ ପହଞ୍ଚିବା ଆରମ୍ଭ ହୋଇଛି। ମିଳିତ ମଞ୍ଚ ସମେତ ଏଆଇଡିଏସ୍‌ଓ, ଏସ୍‌ଏଫ୍‌ଆଇ, ଛାତ୍ର କଂଗ୍ରେସ, ଏବିଭିପି ଓ ଏଆଇଏସ୍‌ଏଫ୍‌ ପରି ଛାତ୍ର ସଙ୍ଗଠନର ନେତାମାନେ ଏହି ସମାବେଶରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। ମିଳିତ ମଞ୍ଚର ଆବାହକ ମଣ୍ଡଳୀ ସଦସ୍ୟ ପ୍ରକାଶ ଚନ୍ଦ୍ର ମହାନ୍ତି, ପବିତ୍ର ମହାଲା ଓ ଗୋଲକ ନାୟକ କହିଛନ୍ତି ଯେ ବ୍ଲକଗ୍ରାଣ୍ଟ ପ୍ରଥାର ଉଚ୍ଛେଦ ପାଇଁ ୨୦ ବର୍ଷ ହେଲା ଆନ୍ଦୋଳନ ଚାଲିଛି। ତଥାପି ରାଜ୍ୟ ସରକାରଙ୍କ ନିଦ ଭାଙ୍ଗୁନି। ବାରମ୍ବାର ପ୍ରତିଶ୍ରୁତି ନେଇ ପ୍ରତାରଣା କରାଯାଉଛି। ଯେଉଁଥିପାଇଁ ବାରମ୍ବାର ଆନ୍ଦୋଳନକୁ ଓହ୍ଲାଇବାକୁ ପଡ଼ୁଛି। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆଜି ପୁଣି ଏକ ବିଜ୍ଞପ୍ତି ପ୍ରକାଶ କରାଯାଇ ଅଧ୍ୟାପକଙ୍କୁ ଭୁଆଁ ବୁଲାଇବାକୁ ଉଦ୍ୟମ କରାଯାଉଛି। ଏହାର କଡ଼ା ଜବାବ ଦିଆଯିବ। ମାଟ୍ରିକ ଓ ଯୁକ୍ତ୨ ଖାତା ମୂଲ୍ୟାୟନ ବର୍ଜନ କରାଯାଇଛି। ଭବିଷ୍ୟତରେ ସ୍କୁଲ, କଲେଜରେ ତାଲା ପକାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।

ଅନ୍ୟପକ୍ଷରେ ଯୁକ୍ତ୨ ମୂଲ୍ୟାୟନରେ ସାମିଲ ହୋଇ ନ ଥିବା ଅଧ୍ୟାପକଙ୍କ ବିରୋଧରେ ଜାରି ରହିଛି କାର୍ଯ୍ୟାନୁଷ୍ଠାନ। ଆଜି ପୁଣି କେତେଜଣ ଅଧ୍ୟାପକଙ୍କୁ ନିଲମ୍ବନ ଲାଗି ବିଜ୍ଞପ୍ତି ଜାରି ହୋଇଛି। ଏବେ ସୁଦ୍ଧା ଶତାଧିକ ଅଧ୍ୟାପକଙ୍କୁ ନିଲମ୍ବନ ଲାଗି ସୁପାରିସ କରାଯାଇଥିବା ଉଚ୍ଚଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଛି ଯେ ଯୁକ୍ତ୨ ମୂଲ୍ୟାୟନ ଠିକ୍‌ ଚାଲିଛି। କିଛି ବି ବିଭ୍ରାଟ ହେଉନି। ଧୀରେ ଧୀରେ ବହୁ ସଂଖ୍ୟାରେ ଅଧ୍ୟାପକ ମୂଲ୍ୟାୟନ ପ୍ରକ୍ରିୟାରେ ସାମିଲ ହେଉଛନ୍ତି। କେତେଜଣ ବ୍ଲକଗ୍ରାଣ୍ଟ ଅଧ୍ୟାପକଙ୍କୁ ଭୁଲ୍‌ରେ ମୂଲ୍ୟାୟନ କାର୍ଯ୍ୟରେ ସାମିଲ କରାଯାଇଥିଲା। ଏବେ ସେଥିରେ ସଂଶୋଧନ କରାଯାଇଛି। ଏବେ ସୁଦ୍ଧା ବିଜ୍ଞାନ ବିଭାଗ କେତେକ ବିଷୟର ଖାତା ମୂଲ୍ୟାୟନ ଶେଷ ହୋଇଛି। ଦ୍ୱିତୀୟ ପର୍ଯ୍ୟାୟ ମୂଲ୍ୟାୟନ ଆରମ୍ଭ ହୋଇଥିବାରୁ ଏପ୍ରିଲ ଶେଷ ସୁଦ୍ଧା ଖାତା ଦେଖା ସରିବ।

ସମ୍ବନ୍ଧିତ ଖବର