‘ନିର୍ଭୟା’ ପରେ ଓଡ଼ିଶାରେ ପ୍ରଥମ : ନାବାଳକକୁ ୨୦ବର୍ଷ ଜେଲ୍‌

ଅନୁଗୁଳ : କାଙ୍ଗୁଲା ଦୁଷ୍କର୍ମ ଘଟଣାରେ ଅନାମକୁ ଫାଶୀ ଦଣ୍ଡାଦେଶ ଭଳି ଅନୁଗୁଳ ବିଚାର ବିଭାଗରେ ଆଜି ଆଉ ଏକ ଗଣଦୁଷ୍କର୍ମ ମାମଲାର ଦୃଷ୍ଟାନ୍ତମୂଳକ ରାୟ ପ୍ରକାଶ ପାଇଛି। ଅତିରିକ୍ତ ଜିଲ୍ଲା ଦୌରା ଜଜ୍‌ ତଥା ବାଳ ଅପରାଧ କୋର୍ଟ (ଚିଲ୍‌ଡ୍ରେନ୍‌ସ କୋର୍ଟ) ଜଜ୍ ସୁରେଶ ଚନ୍ଦ୍ର ପ୍ରଧାନ ଗଣଦୁଷ୍କର୍ମ ମାମଲାର ବିଚାର କରି ଜଣେ ନାବାଳକକୁ ୨୦ବର୍ଷ ଜେଲ୍ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହାବାଦ୍‌ ୫ହଜାର ଟଙ୍କା ଜରିମାନା କରିଛନ୍ତି। ଟଙ୍କା ଅନାଦେୟ ଆଉ ବର୍ଷେ ଜେଲ୍ ପାଇଁ କୋର୍ଟ ରାୟରେ ନିର୍ଦ୍ଦେଶ ଦେଇଛନ୍ତି। ନୂଆଦିଲ୍ଲୀର ନିର୍ଭୟା କାଣ୍ଡ ପରେ ଗଣଦୁଷ୍କର୍ମ ପାଇଁ ଚିଲ୍‌ଡ୍ରେନ୍‌ସ କୋର୍ଟରେ ଏଭଳି ଦୃଷ୍ଟାନ୍ତମୂଳକ ଦଣ୍ଡାଦେଶ ଓଡ଼ିଶାରେ ପ୍ରଥମ ବୋଲି କୁହାଯାଉଛି। ଏକ ସପ୍ତାହ ବ୍ୟବଧାନରେ ନାବାଳିକା ଦୁଷ୍କର୍ମ ଏବଂ ଗଣଦୁଷ୍କର୍ମ ଭଳି ଦୁଇ ଦୁଇଟି ଗୁରୁତ୍ବପୂର୍ଣ୍ଣ ମାମଲାରେ ଏଭଳି ଦଣ୍ଡାଦେଶ ଚାରିଆଡ଼େ ଚର୍ଚ୍ଚାର ବିଷୟ ହୋଇଛି।

ବିବରଣୀ ମୁତାବକ, ଏହି ଲୋମଟାଙ୍କୁରା ଗଣଦୁଷ୍କର୍ମ ଘଟଣା ଘଟିଥିଲା ୨୦୧୭ମାର୍ଚ୍ଚ ୩୧ ତାରିଖ ଅପରାହ୍‌ଣ ପ୍ରାୟ ସାଢେ଼ ୧ଟାରେ। ଅନୁଗୁଳ ସହର ଉପକଣ୍ଠ ଇଲାକାର ଜଣେ କଲେଜ ଛାତ୍ରୀ ନିଜ ସମ୍ପର୍କୀୟ ଭାଇ ସହିତ ପଞ୍ଚମହଲା ଆଡ଼କୁ ଯାଇଥିଲେ। ସମ୍ପର୍କୀୟ ଭାଇଜଣକ ସ୍ଥାନୀୟ ଏକ ଇଞ୍ଜିନିୟରି˚ କଲେଜରେ ପାଠ ପଢ଼ୁଥିଲେ। ଅନୁଗୁଳ ଆର‌୍‌ଟିଓ ଅଫିସ୍‌ ସାମ୍‌ନା ରାସ୍ତାର କିଛି ଦୂରରେ ଭାଇ ଓ ଭଉଣୀ ଦୁହେଁ କଥାବାର୍ତ୍ତା ହେଉଥିବା ବେଳେ ନିଛାଟିଆର ସୁଯୋଗ ନେଇ ଛଅ ଜଣ ଯୁବକ ଜୋର‌୍‌ଜବରଦସ୍ତ ଉଭୟଙ୍କୁ ରାସ୍ତାରୁ ଦୂରକୁ ଉଠାଇ ନେଇଥିଲେ। ସମ୍ପର୍କୀୟ ଭାଇ ଏହାକୁ ବିରୋଧ କରିବାରୁ ତାଙ୍କୁ ନିର୍ଘାତ ପିଟି ବାନ୍ଧି ଦେଇଥିଲେ ଏବଂ ତାଙ୍କ ଆଖି ଆଗରେ ଭଉଣୀଙ୍କୁ ଜଣକ ପରେ ଜଣେ ଦୁଷ୍କର୍ମ କରି ଚାଲିଥିଲେ। ଏତିକିରେ ଏମାନଙ୍କର ଜଘନ୍ୟକାଣ୍ତ ଶେଷ ହୋଇ ନଥିଲା। ପୀଡ଼ିତାଙ୍କଠାରୁ ମୋବାଇଲ୍‌ ଫୋନ୍‌ ଛଡ଼ାଇ ନେଇ ଅଭିଯୁକ୍ତମାନେ ଦୁଷ୍କର୍ମର ଦୃଶ୍ୟ ରେକର୍ଡ଼ିଂ କରିଥିଲେ। ଗଲା ବେଳେ ସୁନା ଚେନ୍‌, ରିଙ୍ଗ୍‌ ସାଙ୍ଗକୁ ପାଖରେ ଥିବା ନଗଦ ଟଙ୍କା ମଧୢ ଲୁଟି ନେଇଥିଲେ। ଦୁଷ୍କର୍ମ ଭିଡିଓ ଭାଇରାଲ କରିଦେବାକୁ ଧମକ ଦେଇଥିଲେ।

ଅନୁଗୁଳ ସହରତଳି ଅଂଚଳରେ ଘଟିଥିବା ଏହି ଘଟଣା ଦିଲ୍ଲୀ ନିର୍ଭୟାକାଣ୍ଡଠୁ ବି କିଛି କମ୍‌ ଜଘନ୍ୟ ନ ଥିଲା। ପୀଡ଼ିତାଙ୍କଠାରୁ ସମ୍ପୂର୍ଣ୍ଣ ଘଟଣା ଶୁଣିବା ପରେ ପୁଲିସ ନିଜେ ସ୍ତବ୍‌ଧ ହୋଇଯାଇଥିଲା। ପୁଲିସ ସେତେବେଳେ ଅତ୍ୟନ୍ତ ଗୋପନୀୟତାର ସହ ଅନୁସନ୍ଧାନ କରି ମୋଟ୍‌ ୬ଜଣକ ମଧ୍ୟରୁ ୫ଜଣଙ୍କୁ ବାନ୍ଧିଥିଲା। ସେଥିରୁ ପଞ୍ଚମହଲାର କାଳିଆ ଓରଫ୍‌ କୃଷ୍ଣଚନ୍ଦ୍ର ନାୟକ ଓ ଚଗଲା ଓରଫ୍‌ ବିଶ୍ବମ୍ବର ଭୋଇ, ଲିଙ୍ଗରାଯୋଡ଼ି ଗୋଡ଼ି ଢ଼ିପସାହିର ଢେଲା ଓରଫ୍‌ ଟେରା ଓରଫ୍‌ ଦୁଷ୍ମନ୍ତ ବେହେରା, ନିଶା ଶିଳ୍ପାଞ୍ଚଳ ଥାନା ରାଇଝରଣ ଗ୍ରାମର କାଶିଆ ଓରଫ୍‌ ସିଦ୍ଧାନ୍ତ ପଲେଇ ଚାରି ଜଣ ସାବାଳକ ଥିବା ବେଳେ ଜଣେ ଥିଲା ନାବାଳକ।

୨୦୧୮ସେପ୍ଟେମ୍ବର ୨୫ରେ ଜିଲ୍ଲା ଦୌରା ଜଜ୍‌ ଏହି ମାମଲାର ବିଚାର କରି ଚାରି ସାବାଳକଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ଦେଇଥିଲେ। ଅନୁଗୁଳ ନ୍ୟାୟିକ ଇତିହାସରେ ଏଭଳି ରାୟକୁ ସେତେବେଳେ ବିରଳ ବୋଲି କୁହାଯାଉଥିଲା। କିନ୍ତୁ ଧରାପଡ଼ିଥିବା ନାବାଳକର ମାମଲା ଅତିରିକ୍ତ ଜିଲ୍ଲା ଦୌରା ଜଜ୍‌ ତଥା ବାଳ ଅପରାଧ କୋର୍ଟକୁ ଚାଲି ଯାଇଥିଲା। ଯାହାର ରାୟ ଆଜି ପ୍ରକାଶ ପାଇଛି। ୧୨ଜଣଙ୍କ ସାକ୍ଷ୍ୟ ଏବଂ ପ୍ରମାଣକୁ ଭିତ୍ତିକରି କୋର୍ଟ ଦଫା ୩୭୬(ଡି)ରେ ୨୦ବର୍ଷ ଜେଲ୍‌ ଓ ୫ହଜାର ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ବର୍ଷେ ଜେଲ୍ ଦଣ୍ଡାଦେଶ ଦିଆଯାଇଛି। ସେହିପରି ଦଫା ୩୯୫, ୩୫୪(ବି), ୩୫୪(ସି), ୫୦୬ରେ, ୬୬(ଇ) ଆଇଟି ଆକ୍ଟରେ ମଧ୍ୟ ଜେଲ୍‌ ଦଣ୍ଡାଦେଶ ଦିଆଯାଇଛି। ପୂର୍ବରୁ ଏଭଳି ମାମଲାର ବିଚାର ଜୁଭେନାଇଲ୍‌ ବୋର୍ଡ଼ରେ ଚାଲିଥିଲା। ଏଭଳି ଘଟଣାରେ ଅତି ବେଶିରେ ତିନି ବର୍ଷର ଦଣ୍ଡାଦେଶ ଥିଲା। ତେବେ ଦିଲ୍ଲୀ ନିର୍ଭୟାକାଣ୍ଡ ପରେ ପ୍ରତି ଜିଲ୍ଲାରେ ସରକାର ବାଳ ଅପରାଧୀ ବିଚାରାଳୟ (ଚିଲ୍‌ଡ୍ରେନ୍‌ କୋର୍ଟ) ସ୍ଥାପନ କରିଥିଲେ। ଏହି କୋର୍ଟରେ ଆଜି ମାମଲାର ବିଚାର ହୋଇ ଏଭଳି ଦୃଷ୍ଟାନ୍ତମୂଳକ ଦଣ୍ଡାଦେଶ ଦିଆଯାଇଛି। ଯାହା ଓଡ଼ିଶାରେ ପ୍ରଥମ ବୋଲି ମାମଲା ପରିଚାଳନା କରୁଥିବା ଅତିରିକ୍ତ ପବ୍ଲିକ୍‌ ପ୍ରସିକ୍ୟୁଟର ତାପସ ରଞ୍ଜନ ମିଶ୍ର କହିଛନ୍ତି।

ଘଟଣା ଘଟିଲା ବେଳକୁ ନାବାଳକର ବୟସ ୧୭ବର୍ଷ ଥିଲା। ଆଜି ତା’ର ବୟସ ୧୯ବର୍ଷ ୮ମାସ ହୋଇଛି। ତେଣୁ ୨୧ବର୍ଷ ହେଲା ପର୍ଯ୍ୟନ୍ତ ଜିଲ୍ଲା ପର୍ଯ୍ୟବେକ୍ଷଣ ଗୃହରେ ସେ ଦିନ କାଟିଲା ପରେ ତାକୁ ଅନୁଗୁଳ ଜେଲ୍‌କୁ ସ୍ଥାନାନ୍ତର କରାଯିବ ବୋଲି ଶ୍ରୀ ମିଶ୍ର କହିଛନ୍ତି।

ସମ୍ବନ୍ଧିତ ଖବର