ଲାଞ୍ଜିଗଡ଼ରେ ଚାଞ୍ଚଲ୍ୟ : ଚାରିବର୍ଷର ଶିଶୁକନ୍ୟାକୁ ବଳି!

ଲାଞ୍ଜିଗଡ଼ : କଳାହାଣ୍ଡିରେ ଶିଶୁକନ୍ୟାକୁ ବଳି! ଏଭଳି ଏକ ଖବରକୁ ନେଇ ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି ହୋଇଛି। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ କରିଛି। ଘଟଣାର ତଦନ୍ତ ଚାଲିଛି।

ମୃତ ଶିଶୁକନ୍ୟା ଜିଲ୍ଲାର ଲାଞ୍ଜିଗଡ଼ ବ୍ଲକ ବିଶ୍ବନାଥପୁର ଥାନା ବନ୍ଧପାରି ପଞ୍ଚାୟତ ବାଲିସରା ଗାଁର ସାନ୍ଦ୍ରୁ ମାଝୀଙ୍କ ଝିଅ ଇନ୍ଦୁ। ବୟସ ମାତ୍ର ୪ ବର୍ଷ। ଗତ ରାତିରେ ସେ ଘରେ ଶୋଇଥିବା ବେଳେ କେହି ଦୁର୍ବୃତ୍ତ ତାକୁ ଉଠାଇ ନେଇଥିଲା। ପରେ ଗାଁ ମୁଣ୍ତ ରାସ୍ତା କଡ଼ରୁ ଇନ୍ଦୁର ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ମିଳିଥିଲା। ପ୍ରାଥମିକ ତଦନ୍ତ ପରେ ଇନ୍ଦୁକୁ ଗୁଣି ଗାରେଡ଼ି ‌େ‌ଯାଗୁଁ ହତ୍ୟା କରାଯାଇଥିବା କିମ୍ବା ବଳି ଦିଆଯାଇଥିବା ପୁଲିସ ସନ୍ଦେହ କରୁଛି।

ସୂଚନାଯୋଗ୍ୟ ଗତକାଲି ସାନ୍ଦ୍ରୁଙ୍କ ବଡ଼ଶଳା ଖିରସା ମାଝୀଙ୍କ ସ୍ତ୍ରୀ ତିଳ ମାଝୀ ଆତ୍ମହତ୍ୟା କରିବା ଖବର ପାଇ ସାନ୍ଦ୍ରୁ ଓ ତାଙ୍କ ସ୍ତ୍ରୀ ମାତି ମାଝୀ ସ୍ଥାନୀୟ ମାଟିଖଳା ଗାଁକୁ ଯାଇଥିଲେ। ସେଠାରେ ରାତି ହେବାରୁ ଫେରି ନପାରି ରହି ଯାଇଥିଲେ। ଏପଟେ ଘରେ ଇନ୍ଦୁ ଓ ଅଷ୍ଟମ ଶ୍ରେଣୀରେ ପଢୁଥିବା ସାନପୁଅ କୃଷ୍ଣ ଥିଲେ। ଭାଇ-ଭଉଣୀ ରାତିରେ ଖାଇପିଇ ଶୋଇ ଯାଇଥିଲେ। ତେବେ ରାତିରେ କୃଷ୍ଣର ନିଦ ଭାଙ୍ଗି ଯିବାରୁ ଘରେ ଇନ୍ଦୁ ନଥିବା ଦେଖିବାକୁ ପାଇଥିଲା। ପଡ଼ିଶା ଘରର ସାଙ୍ଗ ମୁନା ମାଝୀକୁ ଡାକି ଆଖପାଖରେ ଖୋଜିଥିଲେ। ହେଲେ ଇନ୍ଦୁକୁ ପାଇନଥିଲେ। ବୁଧବାର ସକାଳୁ ଗାଁ ମୁଣ୍ତ ରାସ୍ତା କଡ଼ରେ ଇନ୍ଦୁର ରକ୍ତ ଜୁଡୁବୁଡୁ ଶବ ପଡିଥିବା ଖବର ମିଳିଥିଲା। ଖବର ପାଇ ବାପ-ମା’ ଆସିବା ପରେ ଥାନାରେ ଅଭିଯୋଗ କରିଥିଲେ। ବିଶ୍ବନାଥପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା। ଘଟଣାସ୍ଥଳରେ ଅତିରିକ୍ତ ଏସ୍‌ପି ମନୋଜ ମହନ୍ତ ଓ କେସିଙ୍ଗା ଏସ୍‌ଡିପିଓ ଗୁପ୍ତେଶ୍ବର ଭୋଇ ମଧ୍ୟ ପହଞ୍ଚିଥିଲେ। ସନ୍ଧାନୀ କୁକୁରର ମଧ୍ୟ ସହାୟତା ନେଇଥିଲା ପୁଲିସ।

ଘର ବାଡିପଟୁ କେହି ଦୁର୍ବୃତ୍ତ ପଶି ଇନ୍ଦୁକୁ ଉଠାଇ ନେଇଥିବା ସ୍ପଷ୍ଟ ହୋଇଥିଲା। ଏ ନେଇ ତଦନ୍ତ ଜାରି ରହିଛି।

ପୁଲିସ ଇତିମଧ୍ୟରେ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ଶବ ହସ୍ତାନ୍ତର କରିଛି। ଏନେଇ କେସ୍‌ ନ˚. ୫୯/୨୦୧୮ରେ ଏକ ମାମଲା ରୁଜୁ କରି ତଦନ୍ତ ଚାଲିଥିବା ବିଶ୍ବନାଥପୁର ଥାନାଧିକାରୀ କାହ୍ନୁଚରଣ ସ୍ବାଇଁ ପ୍ରକାଶ କରିଛନ୍ତି। ଏହି ଘଟଣାର ଅଭିଯୁକ୍ତଙ୍କୁ ତୁରନ୍ତ ଧରି କଠୋର ଦଣ୍ଡ ଦେବା ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର