୮ବର୍ଷର ବାଳିକାକୁ ଗଣଦୁଷ୍କର୍ମ

ଘରୁ ଉଠାଇ ନେଇଥିଲେ ଜାନୁଆର୍‌

ପୋଲସରା : ଏ ମୁନି! ମୁନି କୁଆଡେ଼ ଗଲୁ ଲୋ! କିଟି କିଟି ଅନ୍ଧାରରେ ବାୟା ଭଳି ଖୋଜୁଥିଲୁ। ତା’ ମା’ କାନ୍ଦୁଥିଲା। ପାଖ ପଡ଼ିଶାର କିଛି ଲୋକ ଆମ ପଛରେ ଦୌଡ଼ୁଥିଲେ। ଶେଷରେ ଅନ୍ଧାର ଭିତରୁ ଦୂର ବିଲ ଭିତରୁ ବାପା ବୋଲି ଶୁଣାଗଲା। ଆଗପଛ ନଦେଖି ସେଇଆଡେ଼ ଦୌଡ଼ିଗଲୁ। ବିଲ ଭିତରେ ମୁନିକୁ ଦେଖିଲୁ। ଅଣ୍ତାଳି ଅଣ୍ତାଳି ତାକୁ ତଳୁ ଉଡାଇବା ବେଳେ ଦେହସାରା ରକ୍ତ। ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତି ଗଣଧର୍ଷଣ ଶିକାର ପୋଲସରା ବ୍ଲକର ମୁନି(ଛଦ୍ମନାମ)ର ବାପା ପାଗଳ ଭଳି କାନ୍ଦି କାନ୍ଦି ଏହି କଥା ଦୋହରାଉଥିଲେ।

ସୂଚନାନୁସାରେ, ଗତକାଲି ରାତି ପ୍ରାୟ ୨ଟାବେଳେ ମୁନିଙ୍କ ମା’ ନିଦରୁ ଉଠି ପାଖରେ ମୁନିକୁ ପାଇନଥିଲେ। ଆଖପାଖରେ ଖୋଜିବା ପରେ ଦାଣ୍ତ କବାଟ ଖୋଲାଥିବା ଦେଖିଲେ। ଘରର ଆସବାବପତ୍ର ଛିନ୍ନଛତ୍ର ହୋଇ ପଡ଼ିଥିବା ଦେଖିଲେ। କିନ୍ତୁ ତାଙ୍କୁ ମୁନିର ଚିନ୍ତା ହିଁ ଘାରିଥିଲା। ମୁନିକୁ ଚିତ୍କାର କରି ଡାକିଥିଲେ। ପାଟି ଶୁଣି ବାପା ଓ ଭାଇ ଉଠି ଘର ବାହାରକୁ ଆସି ମୁନିକୁ ଉଚ୍ଚସ୍ବରରେ ଡାକି ଖୋଜିଥିଲେ। ସେମାନଙ୍କୁ ଶୁଣି ପାଖ ପଡେ଼ାଶୀ ଉଠି ଆସିଥିଲେ। ଚାରିପଟେ ଅନ୍ଧାର ଥିଲା। ମୁନିଙ୍କ ବାପା, ମା’, ୨ ଭାଇ ମୁନିକୁ ଡାକି ଡାକି ଖୋଜିଲେ। ଶେଷରେ ଘରଠାରୁ ପ୍ରାୟ ୨୦୦ ମିଟର ଦୂର ବିଲ ମଝିରୁ ମୁନିର ‘ବାପା’ ଡାକ ଶୁଣି ତାଙ୍କୁ ଉଦ୍ଧାର କରିଥିଲେ। ଘରକୁ ଆସିବା ପରେ ଘରର ଆସବାବପତ୍ର ଛିନ୍ନଛତ୍ର ହୋଇପଡ଼ିଥିଲା। ସୁଟ୍‌କେସ୍‌ ଭାଙ୍ଗି ୨୦ହଜାର ଟଙ୍କା, ୬ ଭରି ସୁନା ଚୋରି ଯାଇଥିବା ଦେଖିବାକୁ ପାଇଥିଲେ।

ଘରକୁ ଫେରି ମୁନି ତାଙ୍କ ବାପାଙ୍କୁ ଘଟଣା ସମ୍ପର୍କରେ କହିଥିଲେ। ତାଙ୍କ ନିଦ ଭାଙ୍ଗିବା ବେଳେ ସେ ଜଣଙ୍କ କାନ୍ଧରେ ଥିବା ଜାଣିବାକୁ ପାଇଲେ। ପାଖରେ ଆଉ ଦୁଇଜଣ ଥିଲେ। ସେମାନଙ୍କ ମଧ୍ୟରୁ ଦୁଇଜଣ ବାଙ୍ଗରା ଓ ଜଣେ ଡେଙ୍ଗା ବ୍ୟକ୍ତି ଥିଲେ। ସେମାନେ ନିଜ ମୁହଁରେ କପଡ଼ା ଘୋଡ଼ାଇଥିଲେ। ସେ ଚିତ୍କାର କରିବାକୁ ସେମାନଙ୍କ ମଧ୍ୟରୁ ଜଣେ ତାଙ୍କ ପାଟି ବନ୍ଦ କରିଦେଇଥିଲେ। ବିଲ ଭିତରେ ତାଙ୍କୁ ମାଡ଼ିବସିଲେ। ଏହାପରେ ସେ ଅଚେତ ହୋଇଯାଇଥିଲେ। ପୁଣି ଚେତା ଫେରିବା ବେଳେ ଡେଙ୍ଗା ଲୋକଟି ତାକୁ ମାଡ଼ି ବସିଥିଲା। କିନ୍ତୁ ଏହି ସମୟରେ ବାପାଙ୍କ ପାଟି ଶୁଣାଗଲା। ସେ ଚିତ୍କାର କରିବାକୁ ତିନିଜଣ ତାକୁ ଛାଡ଼ି ପଳାଇଥିଲେ।

ମୁନିଙ୍କ ବାପା ସୁରତରେ କାମ କରନ୍ତି। ଦଶହରା ଛୁଟିରେ ଘରକୁ ଆସିଥିଲେ। ଏ ଘଟଣା ପରେ ସେ କିଂକର୍ତ୍ତବ୍ୟବିମୂଢ଼ ହୋଇଯାଇଥିଲେ। ପରେ ମୁନିକୁ ନେଇସେ ପୋଲସରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ସେଠାରେ ଡାକ୍ତର ଅନୀଲ କୁମାର ରଥ ପ୍ରାଥମିକ ଚିକିତ୍ସା କରିବା ପରେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ୍‌ ନେବାକୁ ପରାମର୍ଶ ଦେଇଥିଲେ। ଏନେଇ ଥାନାରେ ଅଭିଯୋଗ କରିବା ପରେ ସକାଳେ ପୁରୁଷୋତ୍ତମପୁର ଏସ୍‌ଡିପିଓ ଅଶ୍ବିନୀ କୁମାର ସାହୁ, କବିସୂର୍ଯ୍ୟନଗର ଆଇଆଇସି ତପନ କୁମାର ପତି, ବାଲିଛାଇ ଏଏସ୍‌ଆଇ ପ୍ରମୋଦ କୁମାର ବେହେରା, ଏଏସ୍‌ଆଇ ଆର‌୍‌ଏନ୍‌ ଗୌଡ଼ ପ୍ରମୁଖ ମୁନିଙ୍କ ଘରେ ପହଞ୍ଚିଥିଲେ। ପରେ ଫରେନ୍‌ସିକ୍‌ ଟିମ୍‌ ଓ ସନ୍ଧାନୀ କୁକୁର ପହଞ୍ଚି ମୁନିଙ୍କୁ ଦୁଷ୍କର୍ମ ହୋଇଥିବା ସ୍ଥାନରୁ ଗାମୁଛା ଓ ଅନ୍ୟ କପଡ଼ା ପାଇଥିଲେ।

ଗଞ୍ଜାମ ଏସ୍‌ପି ବୀରଜେଶ ରାୟ ପହଞ୍ଚି ତଦନ୍ତର ସମୀକ୍ଷା କରିଥିଲେ। ଏସ୍‌ପି ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ଏହା ଏକ ଜଘନ୍ୟ କାଣ୍ତ। ଏନେଇ ୨୪୮.୨୦୧୮ରେ ମାମଲା ରୁଜୁ ହୋଇଛି।

ପୁରୁଷୋତ୍ତମପୁର ଏସ୍‌ଡିପିଓଙ୍କ ନେତୃତ୍ବରେ ଆସିକା ଆଇଆଇସି ସନ୍ତୋଷ କୁମାର ଜେନା, ପୋଲସରା ଆଇଆଇସି ଜିତେନ୍ଦ୍ର କୁମାର ମଲ୍ଲିକ, କବିସୂର୍ଯ୍ୟନଗର ଆଇଆଇସି ତପନ କୁମାର ପତି, କୋଦଳା ଆଇଆଇସି ସୁଶାନ୍ତ କୁମାର ସେଠୀ, ଦେବଜ୍ୟୋତି ଦାଶଙ୍କୁ ନେଇ ଏକ ଟିମ୍‌ ଗଠନ କରାଯାଇଛି।

ଖୁବ୍‌ଶୀଘ୍ର ଦୋଷୀଙ୍କୁ ଧରାଯିବ। ଆଜି ଅପରାହ୍‌ଣରେ ଅତିରିକ୍ତ ଏସ୍‌ପି ବ୍ରହ୍ମପୁର ବଡ଼ ମେଡ଼ିକାଲ୍‌ରେ ଚିକିତ୍ସିତ ହେଉଥିବା ମୁନି ଠାରୁ ବୟାନ ରେକର୍ଡ କରି ଫେରିଛନ୍ତି। ଏହି ଘଟଣା ସମ୍ପୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ସମ୍ବନ୍ଧିତ ଖବର