ନାବାଳିକା ଅପହରଣ ଓ ଗଣଦୁଷ୍କର୍ମ ଘଟଣା : ପୁଲିସ୍‌ର ତନାଘନା, ଅଭିଯୁକ୍ତ ଫେରାର

ପୀଡ଼ିତାଙ୍କ ଡାକ୍ତରୀ ମାଇନା

ପଟ୍ଟାମୁଣ୍ତାଇ : କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ତାଇ ଥାନା ଅନ୍ତର୍ଗତ ଚଉଦକୁଲାଟ ଅଞ୍ଚଳରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଓ ଗଣଦୁଷ୍କର୍ମ ଘଟଣାକୁ ନେଇ ପୁଲିସ ତନାଘନା ଚଳାଇଛି। ପଟ୍ଟାମୁଣ୍ତାଇ ଡାକ୍ତରଖାନାରେ ଆଜି ପୀଡ଼ିତାଙ୍କ ଡାକ୍ତରୀ ମାଇନା କରାଯାଇଛି। ଘଟଣାରେ ସଂପୃକ୍ତ ୩ ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇଜଣଙ୍କ ଘର ଯାଜପୁର ଜିଲ୍ଲା ବିଂଝାରପୁରରେ ହୋଇଥିବାବେଳେ ପୁଲିସ ଆଜି ସେଠାକୁ ଯାଇ ତଦନ୍ତ କରିଛି। ଏହି ଘଟଣାରେ ଜଣଙ୍କୁ ଥାନାକୁ ଆଣି ପଚରାଉଚୁରା କରିଛି। ସମସ୍ତ ଅଭିଯୁକ୍ତ ଫେରାର ହୋଇଯାଇଥିବା ବେଳେ ପୁଲିସ ସେମାନଙ୍କୁ ଧରିବା ଲାଗି ବିଭିନ୍ନ ସ୍ଥାନରେ ଚଢଉ ଜୋର୍‌ଦାର୍‌ କରିଛି।

ମିଳିଥିବା ସୂଚନା ଅନୁସାରେ, କିଛିଦିନ ତଳେ ପୀଡ଼ିତାଙ୍କ ମା’ କାଣୀନଦୀ ଆରପଟେ ଥିବା ନିଜ ବାପଘରକୁ ଯାଇଥିଲେ। ଗତ ୧୨ ତାରିଖ ଦିନ ମା’ଙ୍କ ପାଖକୁ ଯିବା ପାଇଁ ପୀଡ଼ିତା ଘାଟ ପାଖକୁ ଯାଉଥିଲେ। ନଦୀ ଆରପଟେ ମା’ ତାଙ୍କୁ ଅପେକ୍ଷା କରିଥିଲେ। ଘାଟକୁ ଯିବା ବାଟରେ ଏକ ଇଟାଭାଟି ନିକଟରେ ଭୋଜି କରୁଥିବା ୩ ଜଣ ଯୁବକ ତାଙ୍କୁ ପାଖକୁ ଡାକିଥିଲେ। ଯୁବକମାନଙ୍କ ମଧ୍ୟରେ ପୀଡ଼ିତାଙ୍କ ସମ୍ପର୍କୀୟ ଜେଜେ ଶିଶିର ନାୟକ ବି ଥିଲେ। ଡଙ୍ଗାରେ ପାର୍‌ ନ ହୋଇ ସେମାନେ ତାଙ୍କୁ ଆଳି ବାଟେ ବୋଲେରୋରେ ନେଇ ମା’ଙ୍କ ପାଖରେ ଛାଡ଼ି ଦେବାକୁ କହିଥିଲେ। ନାବାଳିକା ଏଥିରେ ଅରାଜି ହୋଇଥିଲେ। ଶିଶିରଙ୍କ ସମେତ ଅନ୍ୟ ଦୁଇଜଣ ନାବାଳିକାକୁ ଜୋର୍‌ଜବରଦସ୍ତ ଗାଡ଼ିରେ ଟେକିନେଇ ଆଳି ଆଡ଼କୁ ପଳାଇଥିଲେ। ଏହାପରେ ତାଙ୍କୁ ଏକ ଅଜ୍ଞାତ ସ୍ଥାନକୁ ନେଇ ଗୋଟିଏ ଘରେ ରଖିଥିଲେ। ସେଠାରେ ନାବାଳିକାଙ୍କୁ ଥଣ୍ଡା ପାନୀୟରେ ନିଶା ମିଶାଇ ପିଇବାକୁ ଦେଇଥିଲେ। ନାବାଳିକା ଅଚେତ ହୋଇଯିବା ପରେ ସେଠାରେ ଜଣକ ପରେ ଜଣେ ତାଙ୍କୁ ଦୁଷ୍କର୍ମ କରିଥିଲେ। ସେହିଦିନ ନାବାଳିକାଙ୍କ ବାପା ଝିଅକୁ ଅପହରଣ କରାଯାଇଥିବା ନେଇ ଥାନାରେ ଏତଲା ଦେଇଥିଲେ। ତେବେ ୧୩ ତାରିଖ ସକାଳେ ଅଭିଯୁକ୍ତମାନେ ପୀଡ଼ିତାଙ୍କୁ ଅଚେତ ଅବସ୍ଥାରେ ଆଣି ଗାଁ ମୁଣ୍ଡରେ ଫିଙ୍ଗି ପଳାଇଥିଲେ।

ଘଟଣାରେ ସଂପୃକ୍ତ ବୋଲେରୋ ମାଲିକ ଓ ଚାଳକଙ୍କ ଘର ବିଂଝାରପୁରରେ ବୋଲି ଜଣାପଡ଼ିଛି। ନାବାଳିକାଙ୍କ ବାପା ଗତକାଲି ଏ ନେଇ ଥାନାରେ ଏତଲା ଦେବା ପରେ ପୁଲିସ ତଦନ୍ତକୁ ଜୋରଦାର କରିଛି। ଆଜି ପୁଲିସର ଗୋଟିଏ ଟିମ୍‌ ପୀଡ଼ିତାଙ୍କ ପରିବାରକୁ ନେଇ ବିଂଝାରପୁର ଯାଇ ତଦନ୍ତ କରିଛି। ଅଭିଯୁକ୍ତମାନେ ଫେରାର ହୋଇଯାଇଥିବା ବେଳେ ପୁଲିସର ଆଉ ଏକ ଟିମ୍‌ ସେମାନଙ୍କୁ ଧରିବା ଲାଗି ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖିଛି। ଅନ୍ୟପକ୍ଷରେ ଅଭିଯୁକ୍ତଙ୍କ ସହ ଭୋଜିରେ ସାମିଲ ଥିବା ଦୋକାନୀ ରତ୍ନାକର ସାହୁଙ୍କୁ ଥାନାକୁ ଆଣି ପଚରାଉଚୁରା କରୁଛି। ଆଜି ପୀଡ଼ିତାର ଡାକ୍ତରୀମାଇନା କରାଇଛି। ପୁଲିସ ଏ ନେଇ ମାମଲା(୩୦/୨୦)ରୁଜୁ କରିଛି। ଏହି ଘଟଣାକୁ ନେଇ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି।

ସମ୍ବନ୍ଧିତ ଖବର