ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ: ଅଭିଯୁକ୍ତ ଫେରାର୍‌

ବାଙ୍କୀ : ସରକାରଙ୍କ ପକ୍ଷରୁ ନାବାଳିକାମାନଙ୍କ ପ୍ରତି ଅତ୍ୟାଚାର ତଥା ଦୁଷ୍କର୍ମ ନେଇ ଲାଗୁ ହୋଇଥିବା କଠୋର ଦଣ୍ଡବିଧାନ ସମ୍ପର୍କରେ ପ୍ରଚାର ସହିତ ସଚେତନତା କାର୍ଯ୍ୟକ୍ରମ ଚାଲିଥିଲେ ମଧ୍ୟ ଗ୍ରାମାଞ୍ଚଳରେ ଏହାର ପ୍ରଭାବ ପଡୁଥିବା ଭଳି ମନେ ହେଉନି। ଫଳରେ ବାଙ୍କୀ ଥାନା ଅନ୍ତର୍ଗତ ନରଗାଙ୍ଗ ଗ୍ରାମରେ ଗତକାଲି ଶନିବାର ରାତିରେ ଜନୈକା ନାବାଳିକା ପ୍ରତି ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ, ଉକ୍ତ ଗ୍ରାମର ଜଣେ ୧୪ ବର୍ଷର ନାବାଳିକା ଗତକାଲି ଶନିବାର ରାତିରେ ନିଜ ଘର ପଛପଟେ ଥିବା ପଡ଼ିଆକୁ ଶୌଚ ହେବା ପାଇଁ ଯାଇଥିବା ବେଳେ ନିକଟସ୍ଥ ତୁଳସୀପୁର ଗ୍ରାମ ନିବାସୀ ଦିଲ୍ଲୀପ ମଲ୍ଲିକ (୩୫) ହଠାତ୍‌ ତାଙ୍କ ପାଖକୁ ଦୌଡ଼ି ଆସି ତାଙ୍କୁ କାବୁ କରିବା ସହ ପାଟି କଲେ ଜୀବନରେ ମାରିଦେବାର ଭୟ ଦେଖାଇଥିଲା। ପରେ ଗାମୁଛାରେ ନାବାଳିକାର ମୁହଁ ବନ୍ଦ୍‌କରି ଦୁଷ୍କର୍ମ କରିଥିଲା। ଝିଅ ଫେରିବାରେ ବିଳମ୍ବ ହେବାରୁ ଘର ଲୋକେ ଖୋଜାଖୋଜି କରିଥିଲେ। ନିକଟସ୍ଥ ପଡ଼ିଆରେ ମୁହଁ ବନ୍ଧା ଓ ଅର୍ଦ୍ଧ ଉଲଗ୍ନ ଅବସ୍ଥାରେ ତାକୁ ଉଦ୍ଧାର କରି ପରିବାର ଲୋକେ ଘରକୁ ଆଣିଥିଲେ। ଭୟଭୀତ ଅବସ୍ଥାରେ ଥିବା ନାବାଳିକା ପରେ ସବୁ କଥା କହିବାରୁ ଆଜି ପୀଡ଼ିତାଙ୍କ ପକ୍ଷରୁ ବଡ଼ଭଉଣୀ ବାଙ୍କୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ମାଛ ବ୍ୟବସାୟୀ ଥିବା ଅଭିଯୁକ୍ତ ଦିଲ୍ଲୀପ ଫେରାର୍‌ ହୋଇଯାଇଥିବା ଜଣାଯାଇଛି। ଏ ନେଇ ବାଙ୍କୀ ଥାନାରେ ମୋମଲା ରୁଜୁ କରାଯିବା ପରେ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ବିଶ୍ୱରଂଜନ ସାହୁ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର