ଥମୁନି ଦୁଷ୍କର୍ମ ଲଜ୍ଜା : ଯୌନ ପିଶାଚଙ୍କ ପଞ୍ଝାରେ ୫ ନାବାଳିକା

ଖଲ୍ଲିକୋଟରେ ୬ ବର୍ଷର ଶିଶୁକନ୍ୟା ଦୁଷ୍କର୍ମର ଶିକାର
ବାଦାମପାହାଡ଼ରେ କ୍ରିକେଟ ପଡ଼ିଆରୁ ଉଠାଇ ନେଇ ଦୁଷ୍କର୍ମ
ଖଇରାରେ ଧାନ କାଟିବାକୁ ଆସିଥିବା ନାବାଳିକାକୁ ଦୁଷ୍କର୍ମ
ଭୁବନେଶ୍ବରରେ ଶିଶୁକନ୍ୟାକୁ ଚକୋଲେଟ୍‌ ଦେଇ ଦୁଷ୍କର୍ମ
କଟକରେ ମନ୍ଦିର ସାମ୍ନାରେ ଶିଶୁକନ୍ୟାକୁ ଦୁଷ୍କର୍ମ ଉଦ୍ୟମ

ଖଲ୍ଲିକୋଟ/ରାଇରଙ୍ଗପୁର/ବାଦାମପାହାଡ଼/କଟକ/ଖଇରା/ଚନ୍ଦ୍ରଶେଖପୁର : ହାଇଦ୍ରାବାଦଠୁ ନେଇ ଉନ୍ନାଓ। ଦୁଷ୍କର୍ମକୁ ନେଇ ଦେଶବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଦୁଷ୍କର୍ମକାରୀଙ୍କୁ ଏନ୍‌କାଉଣ୍ଟର ପରେ ଦେଶ ଉଠୁଛି, ପଡ଼ୁଛି। ହେଲେ ମହିଳା ଓ ଶିଶୁଙ୍କ ଉପରେ ଯୌନ ନିର୍ଯାତନା ଓ ଦୁଷ୍କର୍ମ ଥମିବାର ନାଁ ନେଉ ନାହିଁ। ‌ଯୌନ ପିପାସୁଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ୁନାହିଁ। ଗତ ୨୪ ଘଣ୍ଟା ମଧ୍ୟରେ ମୟୂରଭଞ୍ଜର ବାଦାମପାହାଡ଼, ଗଞ୍ଜାମର ଖଲ୍ଲିକୋଟ, ବାଲେଶ୍ବର ଖଇରା ଓ ଭୁବନେଶ୍ବରର ଚନ୍ଦ୍ରଶେଖରପୁର ଅଞ୍ଚଳରେ ୪ ନାବାଳିକା ଦୁଷ୍କର୍ମର ଶିକାର ହୋଇଥିବାବେଳେ କଟକରେ ଜଣେ ଶିଶୁକନ୍ୟା ସହିତ ଦୁଷ୍କର୍ମ ଉଦ୍ୟମ ହୋଇଛି।

ମିଳିଥିବା ସୂଚନା ‌ଅନୁଯାୟୀ ଥମିବା ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଇଲାକାରେ ଜଣେ ୬ବର୍ଷ ବୟସର ନାବାଳିକାକୁ ଜଣେ ୧୬ ବର୍ଷର ନାବାଳକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଆଜି ଅପରାହ୍‌ଣ ଗୋଟାଏ ବେଳେ ନାବାଳିକାର ମା’ ବିଲକୁ ଯାଇଥିଲେ। ଝିଅଟି ଖେଳୁଥିବା ସମୟରେ ନାବାଳକ ଜଣକ ତାକୁ ଚକୋଲେଟ୍ ଦେଇ ନିଜ ଘରକୁ ଡାକି ଦୁଷ୍କର୍ମ କରିଥିଲା। ପୁଲିସ ନାବାଳକକୁ କାବୁ କରିନେବା ସହ ନାବାଳିକାକୁ ଡାକ୍ତରୀ ମାଇନା ପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ପଠାଇଛି। ଏ ନେଇ ଥାନାରେ ଏକ ମାମଲା (କେସ ନମ୍ବର ୩୬୦) ରୁଜୁ ହୋଇଛି।

ସେହିପରି ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ଅଞ୍ଚଳରେ ଜଣେ ୧୬ ବର୍ଷର ନାବାଳିକାଙ୍କୁ ଅପହରଣ ପରେ ଦୁଷ୍କର୍ମ କରାଯାଇଛି। ଏ ନେଇ ପୀଡ଼ିତା ବାଦାମପାହାଡ଼ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଯୁବକକୁ ଗିରଫ କରିଛି। ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଆଜି ଅଭିଯୁକ୍ତର ଡାକ୍ତରୀ ମାଇନା କରାଯାଇଛି। ଆସନ୍ତାକାଲି ତାକୁ ବାରିପଦାସ୍ଥିତ ସ୍ବତନ୍ତ୍ର ପୋକ୍ସୋ କୋର୍ଟକୁ ଚାଲାଣ କରାଯିବ ବୋଲି ପୁଲିସ ସୂଚନା ଦେଇଛି।  ଗତ ୩ ତାରିଖ ଅପରାହ୍ଣରେ ବାଦାମପାହାଡ଼ ଥାନା ଅଞ୍ଚଳର ଏକ ଗାଁରେ ସଂପୃକ୍ତ ନାବାଳିକାଜଣକ ଛୋଟ ପିଲାମାନଙ୍କ ସହ କ୍ରିକେଟ୍‌ ଖେଳୁଥିବା ବେଳେ ତିରିଂ ଥାନା ବହଳଦା ବ୍ଲକ ତାରଣା ଗ୍ରାମର ସୁଜନ ନାରାୟଣ ମଣ୍ଡଳ (୨୫) ତାଙ୍କୁ ସେଠାରୁ ଉଠାଇ ନେଇଥିଲା। ଏକ ଅଜଣା ଜାଗାରେ ରଖି ସଂପୃକ୍ତ ନାବାଳିକାକୁ ଦୁଷ୍କର୍ମ କରିବା ପରେ ଅଭିଯୁକ୍ତ ପରଦିନ ପୀଡ଼ିତାଙ୍କୁ ତାଙ୍କ ଘର ପାଖରେ ଛାଡ଼ି ପଳାଇଥିଲା। ଏ ସଂପର୍କରେ ନାବାଳିକାଙ୍କ ପରିବାର ଥାନାରେ ଏତଲା ଦେବା ପରେ ଆଇପିସି ୩୬୩, ୩୬୬, ୩୭୬(୨) (ଏନ୍) ଆରଡବ୍ଲ୍ୟୁ ସେକ୍ସନ ୬, ପୋକ୍ସୋ ଆକ୍ଟ-୨୦୧୯ ୬୧/୧୯ରେ ପୁଲିସ ଏକ ମାମଲା ରୁଜୁ କରିଛି।

India Today

ସେହିପରି ବାଲେଶ୍ବର ଜିଲ୍ଲା ଖଇରା ଥାନା ଅଧୀନ ପଳସା ପଞ୍ଚାୟତ ନଛିପୁର ଗ୍ରାମକୁ ଧାନ କାଟିବାକୁ ଆସିଥିବା ଜଣେ ନାବାଳିକା ଦୁର୍ଷ୍କମର ଶିକାର ହୋଇଥିବା ଅଭିଯୋଗ ହୋଇଛି। ନାବାଳିକାର ମାମୁଙ୍କ ଅଭିଯୋଗ ଅନୁଯାୟୀ ଶରତ ଥାନା ହାଡ଼ଗୁଟ ଗ୍ରାମର ଗୋବିନ୍ଦ ଜାରକା ନାବାଳିକାକୁ ଦୁର୍ଷ୍କମ କରିଛି। ଏ ନେଇ ଖଇରା ପୁଲିସ ୨୫୫/୧୯ ନଂ ମାମଲା ରୁଜୁକରି ତଦନ୍ତ କରିବା ସହ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି। ଶରତ ଥାନା ଅଞ୍ଚଳର ଏହି ନାବାଳିକା ଜଣକ ନଛିପୁର ଗ୍ରାମକୁ ସାଙ୍ଗମାନଙ୍କ ସହିତ ଧାନକାଟିବାକୁ ଆସି ସେହିଗ୍ରାମର ଜଣେ ବ୍ୟକ୍ତିଙ୍କ ଘରେ ରହୁଥିଲେ। ଗୋବିନ୍ଦ ମଧ୍ୟ ସେମାନଙ୍କ ସହ ରହି କାମ କରୁଥିଲା। ଗୋବିନ୍ଦ ଉକ୍ତ ନାବାଳିକାକୁ ବିଳମ୍ବିତ ରାତିରେ ଦୁଷ୍କର୍ମ କରିଥିବା ନେଇ ଝିଅ ମାମୁଙ୍କ ନିକଟରେ କହିବା ପରେ ସେ ଖଇରା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସୋମବାର ଡାକ୍ତରୀମାଇନା ପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଖଇରା ଥାନା ଆଇଆଇସି ଲୋପାମୁଦ୍ରା ନାୟକ କହିଛନ୍ତି।

ସେହିପରି ରାଜଧାନୀ ଭୁବନେଶ୍ବରରେ ଜଣେ ସାତ ବର୍ଷର ନାବାଳିକା ଶିଶୁ କନ୍ୟାକୁ ଜଟିଆ ପିଙ୍ଗୁଆ ନାମକ ଜଣେ ୪୮ ବର୍ଷର ଜଣେ ବ୍ୟକ୍ତି ଦୁଷ୍କର୍ମ କରିଥିବା ଅଭିଯୋଗରେ ଆଜି ଚନ୍ଦ୍ରଶେଖରପୁର ଥାନା ଅଭିଯୁକ୍ତକୁ ଅଟକ ରଖି ଘଟଣାର ତଦନ୍ତ କରୁଛି। ଆଜି ସଂଧ୍ୟାରେ ଚନ୍ଦ୍ରଶେଖରପୁର ନୀଳାଦ୍ରିବିହାର ରାଧାକୃଷ୍ଣ ବସ୍ତି ଅଞ୍ଚଳର ଏହି ନାବାଳିକା ତାଙ୍କ ଘର ନିକଟରେ ରହୁଥିବା ଜଣେ ପଡ଼ୋଶୀଙ୍କ ଘରକୁ ପାଠ ପଢ଼ିବାପାଇଁ ଯାଇଥିଲା। ପଢ଼ିସାରି ରାସ୍ତାରେ ସାଙ୍ଗମାନଙ୍କ ସହ ଫେରୁଥିବା ବେଳେ ଏହି ବ୍ୟକ୍ତି ଜଣକ ଚକୋଲେଟ୍ ଦେଇ ନିଜ ଘର ବାରିପଟକୁ ନେଇଯାଇଥିଲା ଏବଂ ସେଠାରେ ଶିଶୁକନ୍ୟାଟି ସହ ଦୁଷ୍କର୍ମ କରିଥିଲା ବୋଲି ଥାନାରେ ଅଭିଯୋଗ ହୋଇଛି। ଯନ୍ତ୍ରଣା ସହିନପାରି ଶିଶୁକନ୍ୟାଟି ଚିତ୍କାରକରିବାରୁ ଘଟଣାସ୍ଥଳକୁ କିଛି ଅନ୍ୟ ଲୋକ ପଳାଇଆସି ତା’କୁ ଉଦ୍ଧାର କରିଥିଲେ। କିନ୍ତୁ ଅଭିଯୁକ୍ତ ଘଟଣାସ୍ଥଳରୁ ପଳାଇଥିଲା। ଭୟଭୀତ ଅବସ୍ଥାରେ ଥିବା ନାବାଳିକା ଘର ଲୋକଙ୍କୁ ସବୁ ଘଟଣା କହିବା ପରେ ଏନେଇ ଥାନାରେ ଅଭିଯୋଗ ଦିଆଯାଇଥିଲା। ପରେ ପୁଲିସ୍ ବସ୍ତିରେ ପହଞ୍ଚି ଜଟିଆକୁ ଗିରଫ କରି ଥାନାକୁ ଆଣିଥିବାବେଳେ ପୀଡ଼ିତା ନାବାଳିକାକୁ ଡାକ୍ତରୀ ପରୀକ୍ଷା ପାଇଁ ହସ୍ପିଟାଲ୍‌କୁ ପଠାଇଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ କଟକ ସହରର ବାଦାମବାଡ଼ି ଥାନା ଅଞ୍ଚଳରେ ଜଣେ ୫ ବର୍ଷର ଶିଶୁକନ୍ୟାକୁ ଖାନନଗରର କାଳୀ ମନ୍ଦିର ସାମ୍ନାରେ ଦୁଷ୍କର୍ମ ଉଦ୍ୟମ ହୋଇଛି। ନାବାଳିକାକୁ ଏକୁଟିଆ ପାଇ ଏଭଳି କାଣ୍ତ ଘଟାଇଥିବା ନାବଳକକୁ ସ୍ଥାନୀୟ ଲୋକେ କାବୁ କରି ନିସ୍ତୁକ ମାଡ଼ ମାରିଛନ୍ତି। ଘଟଣା ସମ୍ପର୍କରେ ବାଦାମବାଡ଼ି ଥାନା ପୁଲିସ ଖବର ପାଇ ପହଞ୍ଚିବା ସହିତ ପୀଡ଼ିତା ନାବାଳିକାକୁ ଉଦ୍ଧାର କରିଛି। ଅଭିଯୁକ୍ତକୁ ଗିରଫ କରାଯାଇଛି।

ସୂଚନା ଅନୁଯାୟୀ, ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅଞ୍ଚଳର ଜଣେ ୧୬ ବର୍ଷର ନାବାଳକ ତାର ମା’ଙ୍କ ସହିତ ଖାନନଗର କାଳୀ ମନ୍ଦିର ପିଣ୍ତାରେ ଦୀର୍ଘ ଦିନ ହେବ ରହିଆସୁଥିଲା। ସେହି ସ୍ଥାନରେ ପାରାଦୀପର ଜଣେ ମହିଳା ମଧ୍ୟ ତାଙ୍କ ୫ ବର୍ଷର ଝିଅ ସହିତ ରୁହନ୍ତି। ଆଜି ଅପରାହ୍ନ ପ୍ରାୟ ୩ଟା ୩୦ ବେଳେ ନାବାଳିକା ଜଣକ କାଳୀ ମନ୍ଦିର ସାମ୍‌ନାରେ ବୁଲୁଥିବା ବେଳେ ନାବାଳକଟି ତାକୁ ଦୁଷ୍କର୍ମ ଉଦ୍ୟମ କରିଥିଲା। ଅଭିଯୁକ୍ତ ନାବାଳକକୁ ଗିରଫ କରାଯାଇଥିବା ବେଳେ ଆସନ୍ତାକାଲି ତାକୁ ଜୁଭେନାଇଲ୍‌ ଜଷ୍ଟିସ୍‌ ବୋର୍ଡରେ ହାଜର କରାଯାଇ ଅନୁଗୁଳସ୍ଥିତ ସୁଧାର ଗୃହକୁ ପଠାଯିବ। ଅଭିଯୁକ୍ତ ବିରୋଧରେ ପୋକ୍‌ସ ଆଇନର ଧାରା ୪ ଓ ୬ରେ ଏକ ମାମଲା(କେସ୍‌ ନ˚ ୨୮୮) ରୁଜୁ କରାଯାଇଥିବା ଥାନା ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର