ଲକ୍ଷ୍ମୀପୁର : ୪ ବର୍ଷର ଶିଶୁ ସହ ଦୁଷ୍କର୍ମ

କୋରାପୁଟ/କାକିରିଗୁମ୍ମା/ଲକ୍ଷ୍ମୀପୁର : ସୀମା ଟପିଛି ଅମାନବିକତା‌। ଜଣେ ୪ ବର୍ଷର ଶିଶୁ କନ୍ୟା ସହ ହୋଇଛି ଦୁଷ୍କର୍ମ। ନାବାଳିକାଙ୍କୁ ନୀଳଗିରି ଜଙ୍ଗଲକୁ ଡାକି ନେଇ ଜଣେ ଯୁବକ କରିଛି ପାଶବିକ ଅତ୍ୟାଚାର। କୋରାପୁଟ ଜିଲ୍ଲା କାକିରିଗୁମ୍ମ‌ା ଅଂଚଳରେ ହୋଇଥିବା ଏହି ଘଟଣାରେ ପୀଡ଼ିତାଙ୍କ ଅବସ୍ଥା ଅତି ଗୁରୁତର ହୋଇ ପଡ଼ିଛି। ତାଙ୍କୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଚିକିତ୍ସା କରାଯାଉଛି। ପୁଲିସ ଅଭିଯୁକ୍ତକୁ ଅଟକ ରଖିଛି।

ଯୁବକ ଜଣଙ୍କ ଟ୍ରାକ୍ଟରରେ ଶ୍ରମିକ ଭାବେ ନିୟମିତ ଏହି ଗାଁକୁ ଯାଉଥିବା‌ରୁ ତାକୁ କେହି ସନ୍ଦେହ କରି ନ ଥିଲେ। ଆଉ ଏହାର ଫାଇଦା ନେଇ ଜଙ୍ଗଲରେ ନାବାଳିକାଙ୍କ ସହ ଦୁଷ୍କର୍ମ କରିଥିଲା। ଶିଶୁ କନ୍ୟାଟି ଅଚେତ ହୋଇ ପଡ଼ିବାରୁ ସେଠାରେ ତାକୁ ସେମିତି ପକାଇ ଦେଇ ଚମ୍ପଟ ମାରିଥିଲା ଅଭିଯୁକ୍ତ ଯୁବକ। ଏପଟେ ଝିଅକୁ ଗାଁ ଦାଣ୍ଡରେ ନପାଇ ପରିବାର ଲୋକ ସମସ୍ତଙ୍କୁ ପଚରାପଚରି କରିଥି‌ଲେ। ଖୋଜାଖୋଜି କରିବାରୁ ଗ୍ରାମ ନିକଟସ୍ଥ ନୀଳଗିରି ଜଙ୍ଗଲରେ ଝିଅ ଅଚେତ ଅବସ୍ଥାରେ ପଡ଼ିଥିବା ଦେଖି ଉଦ୍ଧାର କରିଥିଲେ। ଚିକିତ୍ସା ପାଇଁ ପ୍ରଥମେ ନିକଟସ୍ଥ କାକିରିଗୁମ୍ମା ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ତେବେ ଅବସ୍ଥା ଗୁରୁତର ଥିବା ହେତୁ କୋରାପୁଟ ସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଛି। ଏଠାରେ ଶିଶୁ କନ୍ୟାର ଚିକିତ୍ସା ଚାଲିଛି। ଏବେ ଅବସ୍ଥା ସ୍ଥିର ରହିଛି। ଅପରପକ୍ଷରେ ଶିଶୁର ସମ୍ପର୍କୀୟ କାକିରିଗୁମ୍ମା ଥାନାରେ ଦୁଷ୍କର୍ମ ହୋଇଥିବା ନେଇ ଲିଖିତ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗକୁ ଭିତ୍ତି କରି କାକିରିଗୁମ୍ମା ଥାନାରେ ମାମଲା ରୁଜୁ ହୋଇଛି। କାକିରିଗୁମ୍ମା ଥାନା ଅଧିକାରୀ ଧୀରେନ ପଟ୍ଟନାୟକ ଘଟଣାର ତଦନ୍ତ କରୁଥିଲା ବେଳେ ଲକ୍ଷ୍ମୀପୁର ଏସଡିପିଓ ଅଶ୍ୱିନୀ କୁମାର ନାୟକ ଓ ଲକ୍ଷ୍ମୀପୁର ଥାନା ଅଧିକାରୀ ଗୌରହରି ସାହୁ କୋରାପୁଟ ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳକୁ ଯାଇ ଛାନଭିନ କରିଛନ୍ତି। ଅଭିଯୁକ୍ତ ଯୁବକଙ୍କୁ ଅଟକ ରଖାଯାଇଛି। ଅଧିକ ତଦନ୍ତ ଚାଲିଥିବା ପୁଲିସ କହିଛି।

ସମ୍ବନ୍ଧିତ ଖବର