ନାବାଳିକାକୁ ବିବାହ ଯୋଜନା ଭଣ୍ଡୁର

ଝାରସୁଗୁଡ଼ା : ଆଜି ଝାରସୁଗୁଡ଼ା ଚାଇଲ୍‌ଡ ଲାଇନ୍ ଜଣେ ନାବାଳିକାର ବିବାହ ଯୋଜନାକୁ ଭଣ୍ଡୁର କରିଛି। ବୟସରେ ପ୍ରାୟ ୧୨ ବର୍ଷ ବଡ଼ ଜଣେ ସଂପର୍କୀୟ ଯୁବକ ସହ ବେଆଇନ ଭାବେ ଜଣେ ନାବାଳିକାକୁ ବିବାହ କରାଇବାର ଉଦ୍ୟମ ଚାଲିଥିବା ସୂଚନା ପାଇ ଚାଇଲ୍‌ଡ ଲାଇନ୍ ପକ୍ଷରୁ ତ୍ବରିତ ପଦକ୍ଷେପ ନିଆଯିବାରୁ ଏହା ସମ୍ଭବ ହୋଇଛି। ବର ପକ୍ଷ ଏବଂ ପରିବାର ବର୍ଗ ଫେରାର ହୋଇ ଯାଇଥିବାବେଳେ ପୁଲିସ୍ ବରର ବଡ଼ଭାଇକୁ ଅଟକ ରଖି ପଚରାଉଚରା କରୁଛି।

ବଲାଙ୍ଗୀର ଜିଲ୍ଲା ଦେଓଗାଁ ଅଞ୍ଚଳର ଏହି ୧୪ ବର୍ଷର ନାବାଳିକାକୁ ତା’ର ମାମୁ ପୁଅ ପ୍ରଦୀପ ଦାଶ (୨୬) ସହ ବିବାହ କରିବାକୁ ଏହି ଯୋଜନା ଚାଲିଥିଲା। ଶନିବାର ସଂଧ୍ୟାରେ ଜଣେ ବ୍ୟକ୍ତିଙ୍କଠାରୁ ୧୦୯୮ ଚାଇଲ୍‌ଡ ଲାଇନ୍‌ ନମ୍ବରକୁ ଫୋନ୍ ଯୋଗେ ଏହି ସୂଚନା ଆସିଥିଲା। ଝାରସୁଗୁଡ଼ା ଚାଇଲ୍‌ଡ ଲାଇନ୍ କେନ୍ଦ୍ର ସଂଯୋଜକ ଆଶିଷ ପଣ୍ଡା ତୁରନ୍ତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ତଥା ବାଲ୍ୟ ବିବାହ ନିରୋଧ ଅଧିକାରୀ, ଜିଲ୍ଲା ସମାଜ ମଂଗଳ ଅଧିକାରୀ, ଶିଶୁ ମଂଗଳ କମିଟି, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଏବଂ ବେଲପାହାଡ଼ ପୁଲିସ୍‌କୁ ଏ ବାବଦରେ ଜଣାଇଥିଲେ। ଫଳରେ ଏକ ମିଳିତ ଟିମ୍ ଗଠନ କରି ରବିବାର ସକାଳ ୯ଟା ସମୟରେ ବେଲପାହାଡ଼ ଜୁନାଡିହି ରାଧାକୃଷ୍ଣ ମନ୍ଦିରରେ ଚାଲିଥିବା ଉକ୍ତ ବିବାହ କାର୍ଯ୍ୟକ୍ରମରେ ଚଢ଼ଉ କରାଯାଇଥିଲା। ହେଲେ ସେଠାରେ ସେଭଳି କୌଣସି କାର୍ଯ୍ୟକ୍ରମ ନଥିଲା। ପରେ ବରପିତାଙ୍କ ମୋବାଇଲ ନଂକୁ ଯୋଗାଯୋଗ କରିବାରୁ ସବୁ କିଛି ଜଣାପଡ଼ିଥିଲା। ବିଟିଏମ ଫାଣ୍ଡି ଅଧିକାରୀ ସୁଚିସ୍ମିତା ମହାନ୍ତି ଏବଂ ତାଙ୍କ ପୁଲିସ୍ ଟିମ ଝ‌ାରସୁଗୁଡ଼ା ଜବାହାର ନବୋଦୟ ବିଦ୍ୟାଳୟ ପାଖ ଏଚ କଟାପାଲି ବଜରଂଗ ପଡ଼ାର ମକରଧ୍ବଜ ସାହୁଙ୍କ ଘରୁ ଉକ୍ତ ନାବାଳିକାକୁ ଉଦ୍ଧାର କରିଥିଲା। ଏହି ଚଢ଼ଉରେ ଶ୍ରୀ ପଣ୍ଡାଙ୍କ ସହ ଡିସିପିଓ ସୁନନ୍ଦ ମହାରଣା, ସିଡବ୍ଲୁସିର ସଭ୍ୟଶ ଅହଲ୍ୟା ନାଏକ, ଲଖନପୁର ସିଡିପିଓ, ଚାଇଲ୍‌ଡ ଲାଇନ୍ ସ୍ବେଚ୍ଛାସେବୀ ଏବଂ ପୁଲିସ୍ ସାମିଲ ଥିଲେ।

ନାବାଳିକା କହିବାନୁସାରେ, ସେ ପାଠ ପଢ଼ିବାକୁ ଚାହୁଁଥିବା ବେଳେ ଜୋରଜବରଦସ୍ତି ବିବାହ ପାଇଁ ଉଦ୍ୟମ ଚାଲିଥିଲା। ନାବାଳିକାକୁ ଏବେ ଶିଶୁ ମଂଗଳ କମିଟି ଆଗରେ ଉପସ୍ଥାପନ କରାଯାଇଥିବା ବେଳେ ଶିଶୁଯତ୍ନ ଅନୁଷ୍ଠାନରେ ସାମୟିକ ଥଇଥାନ କରାଯାଇଛି।

ସମ୍ବନ୍ଧିତ ଖବର