ନାବାଳିକାର ସାହସ, ବୁଦ୍ଧିକୁ ସାବାସ୍‌! : ଟ୍ରେନ୍ ଚକ ତଳୁ ସାଙ୍ଗକୁ ବଞ୍ଚାଇଲା

ତାଳଚେର : ସ୍କୁଲରୁ ଫେରିବା ବେଳେ ଛିଡ଼ା ହୋଇଥିବା ମାଲବାହୀ ଟ୍ରେନ୍ ତଳେ ଗଳି ରେଳ ଲାଇନ ପାର ହେଉଥିଲେ ଦୁଇ ଛାତ୍ରୀ। ହେଲେ ହଠାତ୍‌ ଟ୍ରେନ୍ ଚାଲିବା ଆରମ୍ଭ କରିଥିଲା। ଜଣେ ସାଙ୍ଗ ଟ୍ରେନ୍ ଚକ ତଳେ ଧକ୍କା ଖାଇ ଖସି ପଡ଼ିଥିଲେ। ଅନ୍ୟଜଣକ ତୁରନ୍ତ ତାଙ୍କ ହାତ ଧରି ଟାଣି ଆଣିଥିଲେ। ଡାହାଣ ପାଦଟି କିନ୍ତୁ ଟ୍ରେନ୍ ଚକ ତଳେ କଟି ଯାଇଥିଲା। ତେବେ ବଞ୍ଚିଯାଇଥିଲା ଜୀବନ । ଏବେ ଏହି ଘଟଣା ସାରା ତାଳଚେର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ସାହସ ଓ ଉପସ୍ଥିତ ବୁଦ୍ଧି ପାଇଁ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ୯ ବର୍ଷର ବାଳିକା ଶ୍ରୀମତୀ ବଦ୍ରା।

ତାଳଚେର ବ୍ଲକ୍ ଘଣ୍ଟପଡା ନୋଡାଲ ଉଚ୍ଚ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀରେ ପଢ଼ନ୍ତି କିଷାନ ବଦ୍ରା ଓ ରଇବାରି ବଦ୍ରାଙ୍କ ଝିଅ ଶ୍ରୀମତୀ ଭଦ୍ରା। ସେହି ସ୍କୁଲ‌େର ଷଷ୍ଠ ଶ୍ରେଣୀର ଛାତ୍ରୀ ପ୍ରମିଳା ମୁଣ୍ତା (୧୧)। ଭିନ୍ନ ଶ୍ରେଣୀରେ ପାଠ ପଢ଼ୁଥିଲେ ମଧୢ ଗୋଟିଏ ବସ୍ତିରେ ରହୁଥିବାରୁ ଉଭ‌ୟଙ୍କ ମଧୢରେ ବନ୍ଧୁତା ଥିଲା। ଉଭୟେ ରହୁଥିବା ଡେରା ମୁଣ୍ତା ବସ୍ତିରୁ ବିଦ୍ୟାଳୟର ଦୂରତ୍ବ ପ୍ରାୟ ଦେଢ଼ କିଲୋମିଟର। ବାଟରେ ପଡ଼େ ଖଣି ଅଞ୍ଚଳକୁ ଯାଇଥିବା ରେଳଲାଇନ୍‌। ଗତ ୬ ତାରିଖ ଦିନ ବିଦ୍ୟାଳୟ ଛୁଟି ପରେ ଉଭୟେ ରେଳ ଲାଇନ୍ ରାସ୍ତା ଦେଇ ଘରକୁ ଫେରୁଥିଲେ। ସେହି ସମୟରେ ରେଳ ଲାଇନ୍ ଉପରେ ଏକ କୋଇଲା ବୋଝେଇ ଟ୍ରେନ୍ ଛିଡ଼ା ହୋଇଥିଲା। ଟ୍ରେନ ତଳେ ଗଳି ଦୁହେଁ ରେଳ ଲାଇନ ଅତିକ୍ରମ କରୁଥିଲେ। ଶ୍ରୀମତୀ ରେଳ ଲାଇନ ପାର ହେବା ପରେ ହଠାତ ଟ୍ରେନ୍ ଚାଲିବା ଆରମ୍ଭ କରିଥିଲା। ଟ୍ରେନ୍ ତଳେ ରହି ଯାଇଥିଲେ ପ୍ରମିଳା। ଏହା ଦେଖି ଶ୍ରୀମତୀ ସଙ୍ଗେ ସଙ୍ଗେ ତାଙ୍କୁ ଦୁଇ ହାତରେ ଧରି ଟାଣି ଆଣିଥିଲେ। ତେବେ ପ୍ରମିଳାଙ୍କ ଡାହାଣ ପାଦ ଟ୍ରେନ୍ ଚକରେ କଟି ଯାଇଥିଲା।

ରକ୍ତ ଜୁଡୁବୁଡୁ ଅବସ୍ଥାରେ ପ୍ରମିଳାଙ୍କୁ ଶ୍ରୀମତୀ କାନ୍ଧେଇ ପ୍ରାୟ ଅଧ କିଲୋମିଟର ରାସ୍ତା ଅତିକ୍ରମ କରି ମୁଣ୍ତାବସ୍ତିରେ ପହଞ୍ଚିଥିଲେ। ଏହାପରେ ବସ୍ତି ବାସିନ୍ଦା ତୁରନ୍ତ ପ୍ରମିଳାଙ୍କୁ ମଣ୍ତାପାଳ ଡାକ୍ତରଖାନା ଆଣି ଚିକିତ୍ସା କରାଇଥିଲେ। ଆଉ ଅଧିକ ରକ୍ତ ପ୍ରବାହ ହୋଇଥିଲେ ଅଘଟଣ ଘଟିଥାନ୍ତା ବୋଲି ଚିକିତ୍ସା କରୁଥିବା ଡାକ୍ତର ପ୍ରକାଶ କରିଥିଲେ। ଗୁରୁତର ପ୍ରମିଳାଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ବଡ଼ ଡାକ୍ତରଖାନା ପଠାଯାଇଥିଲା। ସେଠାରେ ଗତକାଲି ଅସ୍ତ୍ରୋପଚାର ପରେ ପ୍ରମିଳାଙ୍କ ଡାହାଣ ଗୋଡ଼ ଆଣ୍ଠୁ ତଳୁ କଟାଯାଇଥିଲା। ଅନୁଗୁଳ ଜିଲ୍ଲାପାଳ ଅନିଲ ସାମଲ ଏ ସ˚ପର୍କରେ ସୂଚନା ପାଇବା ପରେ ଚିକିତ୍ସା ପାଇଁ ସହଯୋଗର ହାତ ବଢ଼ାଇଛନ୍ତି। ଏବେ ବିଦ୍ୟାଳୟ, ସାହି ବସ୍ତି ସବୁ ସ୍ଥାନରେ ଏହି ଚତୁର୍ଥ ଶ୍ରେଣୀ ଝିଅ ଶ୍ରୀମତୀଙ୍କ ସାହସ ଓ ଉପସ୍ଥିତ ବୁଦ୍ଧିକୁ ନେଇ ଚର୍ଚ୍ଚା ଚାଲିଛି।

ସମ୍ବନ୍ଧିତ ଖବର