ଗୁଳି କରି ଲୁଟିଲେ ୨୫ ଲକ୍ଷ, କଳା ସ୍କର୍ପିଓରେ ଥିଲେ ୫ ଦୁର୍ବୃତ୍ତ

ଖଲ୍ଲିକୋଟ : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଠାରୁ ମାତ୍ର ୨୦୦ ମିଟର ଦୂରରେ ଆଜି ଏକ ବଡ଼ଧରଣର ଲୁଟ୍‌ ହୋଇଛି। ଦୁର୍ବୃତ୍ତମାନେ ଫାଙ୍କା ଗୁଳିଚାଳନା କରି ଗୁରାପଲ୍ଲୀ ଟୋଲ୍‌ ଗେଟ୍‌ର କର୍ମଚାରୀଙ୍କଠାରୁ ୨୫ ଲକ୍ଷ ଟଙ୍କା ଲୁଟ୍‌ କରିଛନ୍ତି।

ସୂଚନାନୁସାରେ, ଗୁରାପଲ୍ଲୀ ଟୋଲ୍‌ଗେଟ୍‌ର କର୍ମଚାରୀ ଦେବେଶ୍ୱର ସିଂ, ସାଇବାବା ଓ ସ୍କର୍ପିଓ ଚାଳକ ଅରିଫ୍‌ ଖାନ ଗେଟ୍‌ରୁ ସଂଗ୍ରହ ହୋଇଥିବା ୨୫ଲକ୍ଷ ଟଙ୍କା ନେଇ ଖଲ୍ଲିକୋଟ ସହର ମଧ୍ୟରେ ଥିବା ଆକ୍ସିସ୍‌ ବ୍ୟାଙ୍କରେ ଜମା କରିବାକୁ ଯାଉଥିଲେ। ସହର ଠାରୁ ଅନତିଦୂର ଓ ଖଲ୍ଲିକୋଟ ଥାନା ନିକଟସ୍ଥ ହରିଡ଼ାମୂଳ ଛକ ଠାରେ ପୂର୍ବରୁ ୨ଟି ପଲସର ସହ ୫ଜଣ ଛକି ବସିଥିଲେ। ସ୍କର୍ପିଓ ପହଞ୍ଚିବା କ୍ଷଣି ବନ୍ଧୁକରୁ ଫାଙ୍କା ଗୁଳି ଚଳାଇଥିଲେ। ଗୁଳିଶବ୍ଦ ଶୁଣି ଚାଳକ ଗାଡ଼ିର ଗତି ଧିମା କରିଦେଇଥିଲେ। ଏହି ସମୟରେ ୫ଜଣ ଯୁବକ ସେମାନଙ୍କ ସମ୍ମୁଖକୁ ଆସି ଚାଳକଙ୍କ ମୁଣ୍ଡ ଉପରେ ବନ୍ଧୁକ ରଖି ଟଙ୍କା ଭର୍ତ୍ତି ବ୍ୟାଗ୍‌ଟି ଦେବାକୁ କହିଥିଲେ। ପଛସିଟ୍‌ରେ ବସିଥିବା ଦେବେଶ୍ୱର ଓ ସାଇବାବ ଭୟରେ ଥରୁଥିବା ବେଳେ କବାଟ ଖୋଲି ଲୁଟେରା ମାନେ ଟଙ୍କା ଭର୍ତ୍ତି ବ୍ୟାଗ୍‌ ନେଇ ବଡ଼ଘାଟି ଦେଇ ରମ୍ଭା ଅଭିମୁଖେ ଚାଲିଯାଇଥିଲେ।

ଘଟଣାର ସୂଚନା ମିଳିବାର ୨୦-୨୫ ମିନିଟ୍‌ ମଧ୍ୟରେ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିଯାଇଥିଲା। ଏହାର କିଛି ସମୟ ପରେ ଗଞ୍ଜାମ ଏସ୍‌ପି ବୀରଜେଶ କୁମାର ରାଏ ସେଠାରେ ପହଞ୍ଚିଥିଲେ। ପୁଲିସ୍‌ ଘଟଣାସ୍ଥଳରୁ ୯ଏମ୍‌ଏମ୍‌ ଗୁଳିର ଖୋଖା ଜବତ କରିଥିଲା। ଏସ୍‌ପି ଶ୍ରୀ ରାଏଙ୍କ କହିବାନୁସାରେ, ଦୁର୍ବୃତ୍ତଙ୍କୁ ଧରିବା ପାଇଁ ଏକ ଟିମ୍‌ ଗଠନ କରାଯାଇଛି। ଲୁଟେରାଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ। ଏଥିସହିତ, ଏହି ଲୁଟ୍‌ରେ ସମ୍ପୃକ୍ତ କର୍ମଚାରୀଙ୍କ ଭୂମିକା ରହିଛି କି ନାହିଁ, ସେ ସମ୍ପର୍କରେ ମଧ୍ୟ ତଦନ୍ତ କରାଯିବ ବୋଲି ଏସ୍‌ପି ଶ୍ରୀ ରାଏ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର