ସିବିଆଇ ପରିଚୟ ଦେଇ ଲୁଟ୍‌ : ବୃଦ୍ଧ ଦମ୍ପତିଙ୍କ ଠାରୁ ଗହଣା ଲୁଟି କାଠଗୁଣ୍ଡ ପୁଡ଼ିଆ ଧରାଇଲେ

ବ୍ରହ୍ମପୁର : ବ୍ରହ୍ମପୁର ସହରରେ ଆଜି ଲୁଟେରାଙ୍କ ଟାର୍ଗେଟରେ ବରିଷ୍ଠ ନାଗରିକ। ଦିନ ଦ୍ବିପ୍ରହରେ ସିବିଆଇ ପରିଚୟ ଦେଇ ଏକ ବୃଦ୍ଧ ଦମ୍ପତ୍ତିଙ୍କ ଠାରୁ ୩ଟି ସୁନା ଚେନ୍ ଏବଂ ଗୋଟିଏ ମୁଦି (ମୋଟ ପ୍ରାୟ ୭୦ଗ୍ରାମ ଓଜନ)କୁ ଲୁଟି ନେଇଛନ୍ତି ଦୁର୍ବୃତ୍ତ।

ଲୁଟ୍‌ର ଶିକାର ହୋଇଥିବା ଦମ୍ପତି ହେଉଛନ୍ତି ଭାସ୍କର ପାତ୍ର ଏବଂ ତାଙ୍କ ପତ୍ନୀ ରାଜକୁମାରୀ ପାତ୍ର। ଅଭିଯୋଗ ଅନୁଯାୟୀ, ଏହି ଦମ୍ପତି ଏକ ବାହାଘର ଭୋଜିରେ ଯୋଗଦେବା ପାଇଁ ଭୁବନେଶ୍ବରରୁ ବ୍ରହ୍ମପୁର ଆସିଥିଲେ। ଦିନ ପ୍ରାୟ ସାଢ଼େ ୧୧ଟା ବେଳେ କଲ୍ୟାଣମଣ୍ଡପ ଯାଉଥିବା ସମୟରେ ଦୁଇ ଜଣ ଦୁର୍ବୃତ୍ତ ଏକ କଳା ରଙ୍ଗର ପଲସର୍‌ ବାଇକ୍‌ରେ ଆସି ଦୁହିଁଙ୍କ ପାଖରେ ପହଁଚିଥିଲେ। ନିଜକୁ ସିବିଆଇ ପରିଚୟ ଦେଇ ନକଲି ପରିଚୟପତ୍ର (ଆଇକାର୍ଡ଼) ମଧ୍ୟ ଦେଖାଇଥିଲେ। ଆାଗରେ ଚୋରଙ୍କ ପ୍ରାଦୁର୍ଭାବ ଅଧିକ ଥିବାରୁ ଗହଣା ବାହାରକରି ବ୍ୟାଗ୍‌ରେ ରଖିବାକୁ ପରାମର୍ଶ ଦେଇଥିଲେ। ଏପରିକି, କାଗଜ ପୁଡ଼ିଆରେ ରଖିବାକୁ ପରାମର୍ଶ ଦେଇଥିଲେ।

ସେମାନଙ୍କ କଥା ମାନି ଗହଣା ଗୁଡ଼ିକୁ ପୁଡ଼ିଆ କରି ରଖୁଥିବାବେଳେ ଦୁଇ ଦୁର୍ବୃତ୍ତ ସାହାଯ୍ୟ କରିବା ବାହାନାରେ ସେହି ପୁଡ଼ିଆକୁ ବଦଳେଇ ଦେଇଥିଲେ।

ଭାସ୍କରଙ୍କ ପତ୍ନୀ ରାଜକୁମାରୀଙ୍କ ସାମାନ୍ୟ ସନ୍ଦେହ ହେବାରୁ ସେହି ପୁଡ଼ିଆ ଖୋଲି ଦେଖିବାରୁ ସେଥିରେ କାଠ ଗୁଣ୍ଡ, ବାଲିଗୋଡ଼ି ଆଦି ଥିବା ଦେଖିବାକୁ ପାଇ ପାଟି କରିଥିଲେ। ସେହି ବଦଳ ପୁଡ଼ିଆକୁ ଦୁର୍ବୃତ୍ତଙ୍କ ଉପରକୁ ଫିଙ୍ଗି ଦେଇଥିଲେ। ଏହି ଦୁଇ ଦୁର୍ବୃତ୍ତ ବାଇକ୍‌ରେ ‌ସେଠାରୁ ଫେରାର୍‌ ହୋଇ ଯାଇ ଥିଲେ।

ଖବର ପାଇ ବୈଦ୍ୟନାଥପୁର ଥାନା ପୁଲିସ ଘଟଣାସ୍ଥଳରେ ପହଁଚିଥିଲା। ବ୍ରହ୍ମପୁର ଏସପି ପିନାକ ମିଶ୍ର ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଯଥାଶୀଘ୍ର ଧରିବା ପାଇଁ ପୁଲିସ ପକ୍ଷରୁ ସମସ୍ତ ଉଦ୍ୟମ କରାଯାଉଛି ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର