ଭିସୁଟରେ ନିର୍ମାଣ ହେବ କ୍ଷେପଣାସ୍ତ୍ର, ଉଦ୍‌ଘାଟନ ଅପେକ୍ଷାରେ ଇସ୍ରୋର ପ୍ରଥମ ଇନୋଭେସନ ସେଣ୍ଟର

ସମ୍ବଲପୁର : ଆସନ୍ତା ୩୦ ତାରିଖ କେବଳ ସମ୍ବଲପୁର କି ଓଡ଼ିଶା ନୁହେଁ ସମଗ୍ର ଦେଶ ପାଇଁ ଏକ ସ୍ମରଣୀୟ ଦିନ ହୋଇ ରହିବ। ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ) ଏହାର ପ୍ରଥମ ଇନୋଭେସନ ସେଣ୍ଟର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟରେ ଉଦ୍‌ଘାଟନ କରିବାକୁ ଯାଉଛି। ଏହାର ନାମ ରହିଛି ଭିଏସ୍‌ଏସ୍‌ ସ୍ପେସ୍‌ ଇନୋଭେସନ ସେଣ୍ଟର। ଇସ୍ରୋ ନିର୍ଦେଶକ ଡ.କେ.ଶିବନ ନିଜେ ଏହି ଉତ୍ସବ‌‌ରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିଲା। ତେବେ କୌଣସି କାରଣବଶତଃ ଡ.ଶିବନଙ୍କ କାର୍ଯ୍ୟକ୍ରମ ବାତିଲ୍‌ ହୋଇଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଓ କୋଲକାତାସ୍ଥିତ ଇଣ୍ଡିଆନ୍‌ ଆସୋସିଏସନ ଅଫ୍‌ କଳ୍‌ଟିଭେସନ ଅଫ୍‌ ସାଇନ୍ସର ନିର୍ଦେଶକ ପ୍ରଫେସର ଶାନ୍ତନୁ ଭଟ୍ଟାଚାର୍ଯ୍ୟ ଏହାର ଉଦ୍‌ଘାଟନ କରିବେ। ବିଶ୍ବବିଦ୍ୟାଳୟ ପକ୍ଷରୁ ନିର୍ମାଣ କରାଯାଇଥିବା ଇନୋଭେସନ ଓ ଇନ୍‌କ୍ୟୁବେସନ ସେଣ୍ଟରରେ ବିଭିନ୍ନ ମହାକାଶ ସମ୍ପର୍କିତ ଗବେଷଣା କରାଯିବ। ଭିସୁଟ ଇନୋଭେସନ ସେଲ୍‌ ପକ୍ଷରୁ ଇତିମଧ୍ୟରେ ସ୍ବଳ୍ପ ଦୂରଗାମୀ ସାଉଣ୍ଡିଂ କ୍ଷେପଣାସ୍ତ୍ର ନିର୍ମାଣ କରାଯାଇଛି। ଯାହା ସାରା ଦେଶରେ ବେଶ୍‌ ଖ୍ୟାତି ଅର୍ଜନ କରିଥିଲା। ଖୋଦ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ଜୁନ୍‌ ୨୭ ତାରିଖର ମନ୍‌ କୀ ବାତ୍‌ କାର୍ଯ୍ୟକ୍ରମରେ ଏହି ପ୍ରସଙ୍ଗ ଉଠାଇବା ସହ ଭିସୁଟ୍‌ର ଭୁରି ଭୁରି ପ୍ରଶଂସା କରିଥିଲେ।

ଇସ୍ରୋ ଏହି ସେଣ୍ଟରରେ ୩ଟି ଉଚ୍ଚକ୍ଷମତା ସମ୍ପନ୍ନ ଲାବୋରେଟାରି ନିର୍ମାଣ କରିବ। ଏଥିପାଇଁ ଇସ୍ରୋ ୫୦ ଲକ୍ଷ ଟଙ୍କାର ଅନୁଦାନ ମଧ୍ୟ ପ୍ରଦାନ କରୁଛି। ଉଦ୍‌ଘାଟନ ପରେ ଗବେଷଣା ପାଇଁ ଭିସୁଟ ସହ ଇସ୍ରୋର ଏକ ଏମ୍‌ଓୟୁ ମଧ୍ୟ ସ୍ବାକ୍ଷରିତ ହେବାକୁ ଯାଉଛି। ଯେଉଁଥିରେ ଇସ୍ରୋ ଭିସୁଟ ଇନୋଭେସନ ସେଲ୍‌ର ଛାତ୍ରଛାତ୍ରୀଙ୍କୁ ତାଲିମ୍‌ ପ୍ରଦାନ କରିବା ସହ ଏଠାକାର ଛାତ୍ରଛାତ୍ରୀ ବେଙ୍ଗାଲୁରୁ ଯାଇ ବିଭିନ୍ନ ଗବେଷଣା ମଧ୍ୟ କରିବେ। ବିଶେଷ କରି ଇନ୍ଧନ, ପ୍ରୋପରସଲ, ମେକାନିକାଲ ଫେବ୍ରିକେସନ, ଲାଇଟ୍‌ ୱେଟ ମାଟେରିଆଲ ସମ୍ପର୍କିତ ଗବେଷଣା ଏଠାରେ ହେବ। ବର୍ତ୍ତମାନ ସୁଦ୍ଧା ୪ କିମି ଦୂରଗାମୀ କ୍ଷେପଣାସ୍ତ୍ର ନିର୍ମାଣ କରାଯାଇଥିବା ସମୟରେ ଭବି‌ଷ୍ୟତରେ ଦୂରଗାମୀ ହାଲୁକା ‌କ୍ଷେପଣାସ୍ତ୍ର ନିର୍ମାଣ କରାଯିବାର ଯୋଜନା ରହିଛି। ଉକ୍ତ କ୍ଷେପଣାସ୍ତ୍ରଗୁଡ଼ିକୁ ଚାନ୍ଦିପୁରସ୍ଥିତ କ୍ଷେପଣାସ୍ତ୍ର ଘାଟିରୁ ନଚେତ୍‌ ବେଙ୍ଗାଲୁରୁରୁ ଉତ୍‌କ୍ଷେପଣ କରାଯିବ। ଏହି ଇନୋଭେସନ ସେଣ୍ଟରରେ ସେଣ୍ଟ୍ରାଲ ଡିଜାଇନ୍‌ ୟୁନିଟ, ସେଣ୍ଟ୍ରାଲ ଫେବ୍ରିକେସନ ୟୁନିଟ, ଟେଷ୍ଟିଂ ଫେସିଲିଟିସ୍‌ ସେଲ୍‌, ସେଣ୍ଟ୍ରାଲ ଆପ୍‌ ଡେଭଲପ୍‌ମେଣ୍ଟ ସେଲ୍‌ ଆଦି ରହିଛି। ଦେଶର କୌଣସି ସ୍ଥାନରେ ଇସ୍ରୋର ଏଭଳି ଇନୋଭେସନ ସେଣ୍ଟର କରାଯିବା ଏହା ପ୍ରଥମ ଘଟଣା। କିନ୍ତୁ ଦେଶର ୬ଟି ଅନୁଷ୍ଠାନରେ ଇନ୍‌କ୍ୟୁବେସନ ସେଣ୍ଟର ଖୋଲାଯିବା ପାଇଁ ଇସ୍ରୋ ପକ୍ଷରୁ ଘୋଷଣା କରାଯାଇଛି। ଉଲ୍ଳେଖଯୋଗ୍ୟ, ଭିସୁଟର ଏହି ଇନୋଭେସନ ଟିମ୍‌ ଏବେ ୧୮ଟି ପ୍ରକଳ୍ପ ଉପରେ କାର୍ଯ୍ୟ କରୁଛନ୍ତି।

ସମ୍ବନ୍ଧିତ ଖବର