ବାଲେଶ୍ୱରରୁ ନିଖୋଜ ଶିଶୁ କଟକରୁ ଉଦ୍ଧାର

କଟକ/ନୀଳଗିରି : ମା’ ଛେଉଣ୍ଡ ଦିବ୍ୟାଙ୍ଗ ସାନ ପୁଅ ଦିନେ ଘରୁ ଗାଏବ ହେଇଗଲା। ଗେଲ ବସରରେ ପୁଅକୁ ବଢ଼ାଇଥିବା ବାପା ଚଣ୍ଡି ମନ୍ଦିରରେ ମାନସିକ କରି ଦାଢ଼ି ଛାଡ଼ିଲେ। ଶେଷରେ ଠାକୁରାଣୀ ଡାକ ଶୁଣିଛନ୍ତି। ପାଖାପାଖି ୬ମାସ ପରେ ନିଖୋଜ ନାବାଳକ ଆଜି ତାଙ୍କ କୋଳକୁ ଫେରିଛି। କେହି ଅଜଣା ବ୍ୟକ୍ତି ତାକୁ ଅପହରଣ ପରେ ଆଖୁ ପେଡ଼େଇବା କାମରେ ଲଗାଇଥିଲା। କଥା ନମାନିଲେ ନିର୍ଘାତ ମାଡ଼ମାରୁଥିଲା। ମୁହଁରେ ନୁହେଁ, ଠାରି ଠାରି ଏକଥା ତା’ ବାପାଙ୍କୁ କହିଛି ନାବାଳକ। ତା’ ଦେହସାରା ମାଡ଼ ଓ କଟା ଚିହ୍ନ ଭର୍ତି। ସିଡବ୍ଲୁସିରେ ଲେଖାପଢ଼ା ପରେ ତାଙ୍କୁ ଆଜି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

ନୀଳଗିରି ଅନ୍ତର୍ଗତ ବରହମପୁର ଥାନାର ନରଣପୁର ଗାଁରେ ନାବାଳକର ଘର। ବାପା ରାଜେନ୍ଦ୍ର ମଲ୍ଲିକ ଚାଷ କରି ପରିବାର ଚଳାନ୍ତି। କିଛିମାସ ତଳେ ରାଜେନ୍ଦ୍ରଙ୍କ ପତ୍ନୀ କୁନିଙ୍କ ମୃତ୍ୟୁ ଘଟିଥିଲା। ପତ୍ନୀଙ୍କ ମୃତ୍ୟୁର ମାତ୍ର ୨୦ ଦିନ ପରେ ଜୁନ ୧୫ରେ ନାବାଳକ ଦିବ୍ୟାଙ୍ଗ ପୁଅ ନିଖୋଜ ହୋଇଯାଇଥିଲେ। ରାଜେନ୍ଦ୍ର ଏନେଇ ବ୍ରହ୍ମପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ନଭେମ୍ବର ୧୧ରେ କିଛି ଲୋକ କିଶନନଗର ଅଞ୍ଚଳରୁ ନାବାଳକକୁ ଉଦ୍ଧାର କରି ଥାନାରେ ଜିମା ଦେବା ପରେ ପୁଲିସ ଜିଲ୍ଲା ଶିଶୁ ମଙ୍ଗଳ କମିଟି(ସିଡବ୍ଲୁସି) ନିକଟରେ ହାଜର କରିଥିଲା। ହେଲେ ଦିବ୍ୟାଙ୍ଗ (ମୂକ ଓ ବଧିର) ହୋଇଥିବାରୁ ତାଙ୍କୁ ନୂଆପଡ଼ାସ୍ଥିତ ମୂକ ବଧିର ଆବାସିକ ସ୍କୁଲରେ ରଖାଯାଇଥିଲା। ନିକଟରେ ଏ ସମ୍ପର୍କରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ (ଡିସିପିଓ) ଗଣମାଧ୍ୟମରେ ନିଖୋଜ ସଂକ୍ରାନ୍ତ ବିଜ୍ଞାପନ ପ୍ରକାଶ କରିଥିଲେ। ଏ ଖବର ଜାଣିପାରି ପରିବାର ଲୋକେ ଆଜି ସିଡବ୍ଲୁସିଙ୍କ କାର୍ଯ୍ୟାଳୟରେ ପହଞ୍ଚିିଥିଲେ।

ସମ୍ବନ୍ଧିତ ଖବର