ମୁମୂର୍ଷୁ ଅବସ୍ଥାରେ ଲଟାବୁଦାକୁ ଧରି ୨୪ ଘଣ୍ଟା, ବଂଶଧାରାରେ ନିଖୋଜ ବୃଦ୍ଧା ଉଦ୍ଧାର

କାଶୀନଗର : ରଖେ ହରି ମାରେ କିଏ ? ଗଜପତି ଜିଲ୍ଲା କାଶୀନଗର ବଂଶଧାରା ନଦୀରେ ଗତକାଲିଠାରୁ ନିଖୋଜ ଥିବା ଜଣେ ବୃଦ୍ଧା ଦୀର୍ଘ ୨୪ ଘଣ୍ଟା ପରେ ଆଶ୍ଚର୍ଯ୍ୟଜନକ ଭାବେ ଜୀବିତ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି। କାଶୀନଗର ବାସିନ୍ଦା ପନ୍ଦରା ସାହିର ରତନ ପାତ୍ର(୬୦) ଶୁକ୍ରବାର ହନୁମାନ ମନ୍ଦିର ନିକଟ ବଂଶଧାରା ନଦୀକୁ ସ୍ନାନ କରିବାକୁ ଯାଇଥିଲେ। ତେବେ ଗାଧେଇଲାବେଳେ ସେ ଗଭୀର ସ୍ରୋତରେ ପଡ଼ି ଯାଇ ନଦୀରେ ଭାସି ଯାଇଥିଲେ। ଗ୍ରାମବାସୀ ଓ ଦମକଳ ବାହିନୀ ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଜିଥିଲେ ମଧ୍ୟ ତାଙ୍କର କୌଣସି ଖୋଜ ଖବର ମିଳି ନଥିଲା। ଆଜି ପୂର୍ବାହ୍ନରେ ପୁଣି ଖୋଜାଖୋଜି ଆରମ୍ଭ ହୋଇଥିଲା। ତେବେ ଅପରାହ୍ନ ପ୍ରାୟ ୫ ଟାରେ ନୂଆ କାଶୀନଗର ନିକଟ ଏକ ଲଟାବୁଦାକୁ ଧରି ଗଭୀର ସ୍ରୋତ ମଧ୍ୟରେ ସେ ରାତି ତମାମ ସେମିତି ରହି ଯାଇଥିଲେ । ଖୋଜାଖୋଜି କରୁଥିବା ଗ୍ରାମବାସୀ ଏହା ଦେଖିପାରି ଦମକଳ ବାହିନୀକୁ ଖବର ଦେଇଥିଲେ। ଗ୍ରାମବାସୀଙ୍କ ସହାୟତାରେ ଦମକଳ କର୍ମଚାରୀମାନେ ଅତି ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍‌ ରହିଥିବା ଡାକ୍ତର ସୂଚନା ଦେଇଛନ୍ତି। ସୁସ୍ଥ ହେବା ପରେ ଏବେ ସେ ଘରକୁ ଫେରିଛନ୍ତି। ତେବେ ୨୪ ଘଣ୍ଟା ପର୍ଯ୍ୟନ୍ତ ସେ ଭୋକ ଉପାସରେ ପାଣି ମଧ୍ୟରେ କିପରି ରହିଥିଲେ ସମସ୍ତଙ୍କୁ ଚକିତ କରି ଦେଇଛି। ତାଙ୍କୁ ଦେଖିବା ପାଇଁ ମେଡିକାଲ ପରିସରରେ ଗହଳି ଲାଗି ରହିଥିଲା।

ସମ୍ବନ୍ଧିତ ଖବର

Comments are closed.