ରତ୍ନଭଣ୍ଡାର ଚାବିକୁ ନେଇ ରାଜନୀତି : ରତ୍ନଭଣ୍ଡାର ସଂପତ୍ତିର ଯାଞ୍ଚ ଦାବି କଲେ ବିରୋଧୀ

ଠିକ୍‌ ସମୟରେ ସବୁ ଜଣାପଡ଼ିବ: ବିଜେଡି

ଭୁବନେଶ୍ୱର : ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ସରକାର ଗତକାଲି ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ଏହାକୁ ନେଇ ରାଜନୈତିକ ଆରୋପ-ପ୍ରତ୍ୟାରୋପ ଜାରି ରହିଛି। ଚାବି ହଜିବା ଘଟଣାରେ ସରକାରଙ୍କୁ ସହଜରେ ଛାଡ଼ିବାକୁ ପ୍ରସ୍ତୁତ ନାହାନ୍ତି ବିରୋଧୀ। ଆକ୍ରମଣାତ୍ମକ ଢଙ୍ଗରେ ବିରୋଧୀ ଦଳ ସମାଲୋଚନା କରୁଥିଲା ବେଳେ ଶାସକ ଦଳର ଜଣେ ବରିଷ୍ଠ ନେତା ଆଜି ସେଥିରେ ସ୍ୱର ମିଳାଇଛନ୍ତି। କିନ୍ତୁ ଶାସକ ଦଳ ପକ୍ଷରୁ ଏହି ପ୍ରସଙ୍ଗରେ ବେଶ୍‌ ମାପିଚୁପି ବିବୃତି ଦିଆଯାଉଛି।

ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ରତ୍ନଭଣ୍ଡାର ଖୋଲାଯିବାର ଆବଶ୍ୟକତା ରହିଛି। ଏଥିରେ ସମ୍ପତ୍ତି ଠିକ୍‌ ଅଛି କି ନାହିଁ, ତାହା ତୁରନ୍ତ ଯାଞ୍ଚ୍‌ କରାଯାଉ। ପ୍ରସଙ୍ଗଟିକୁ ଚପାଇଦେବା ପାଇଁ ସରକାର ବିଚାର ବିଭାଗୀୟ ତଦନ୍ତର ଆଳ ଦେଖାଇଛନ୍ତି।

ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର କହିଛନ୍ତି, ଚାବି ହଜିବା ଘଟଣା ଓଡ଼ିଶାବାସୀଙ୍କୁ ଯଥେଷ୍ଟ ଆଘାତ ଦେଇଛି। ଏହି ଘଟଣାର ତଦନ୍ତ ହେବା ନିତାନ୍ତ ଆବଶ୍ୟକ। ୧୯୭୮, ୧୯୮୨ ଓ ୧୯୮୫ ମସିହାରେ ତିନି ଥର ରତ୍ନଭଣ୍ଡାର ଖୋଲାଯାଇଛି। ରତ୍ନଭଣ୍ଡାରରେ ଗଚ୍ଛିତ ଥିବା ଅଳଙ୍କାରର ତାଲିକା ବି ହୋଇଛି। ୧୯୮୫ ମସିହା ପର ଠାରୁ ୩୩ ବର୍ଷ ହେଲା ରତ୍ନଭଣ୍ଡାର ଖୋଲାଯାଇନି। ବର୍ତ୍ତମାନ ଯେହେତୁ ସନ୍ଦେହ ଉପୁଜୁଛି, ତେଣୁ ରତ୍ନଭଣ୍ଡାର ଖୋଲାଯାଇ ଅଳଙ୍କାର ଗଣା ହେବାର ଆବଶ୍ୟକତା ରହିଛି। ସରକାର ପ୍ରମୁଖ ବ୍ୟକ୍ତିବିଶେଷଙ୍କୁ ନେଇ କମିଟି ଗଠନ କରନ୍ତୁ। ସେହି କମିଟି ଉପସ୍ଥିତିରେ ସିସିଟିଭି ଲଗାଯାଇ ରତ୍ନଭଣ୍ଡାରରେ ଥିବା ଅଳଙ୍କାରର ଗଣତି ହେବା ଆବଶ୍ୟକ।

ବରିଷ୍ଠ ବିଜେଡି ନେତା ଦାମୋଦର ରାଉତ କହିଛନ୍ତି, ଚାବି ସରକାରୀ ଟ୍ରେଜେରିରେ ରହିବା କଥା। କୌଣସି ବ୍ୟକ୍ତି ପାଖରେ ରହିବା କଥା ନୁହେଁ। ଯଦି ଟ୍ରେଜେରିରେ ଥିଲା, ତେବେ ଗଲା କୁଆଡ଼େ? ପୁଣି କିଏ କହୁଛି ୩ ଜଣଙ୍କ ପାଖରେ ଚାବି ଥିଲା। ଏମିତି ହୋଇଥିଲେ ତ ଜଣେ ଚାହିଁଲେ ଚାବି ଖୋଲି ନେଇଯାଇପାରିବ। ସେହି ୩ ଜଣଙ୍କ ଭିତରେ ଜଣେ ହେଲେ ଗଜପତି। ଗଜପତିଙ୍କ ପାଖରେ ଚାବି ଥାଇପାରେ ବୋଲି କୁହାଯାଉଛି। କିନ୍ତୁ ଗଜପତି ଏ ପର୍ଯ୍ୟନ୍ତ ପାଟି ଫିଟାଇ ନାହାନ୍ତି। ରତ୍ନଭଣ୍ଡାରରେ କୋଟି କୋଟି ଟଙ୍କାର ସମ୍ପତ୍ତି ଥିବ। ତେଣୁ ତୁରନ୍ତ ତାହାକୁ ଗଣତି କରାଯାଇ ଲୋକଙ୍କ ସନ୍ଦେହ ଦୂର କରିବାକୁ ପଡ଼ିବ। ବିରୋଧୀ ଦଳଙ୍କ ଦୃଷ୍ଟି ଏଡ଼ାଇବାକୁ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ପୂର୍ବରୁ ବିଭିନ୍ନ ଘଟଣାରେ ତଦନ୍ତ କମିସନ୍‌ ଗଠନ ହୋଇଥିଲେ ବି କିଛି ସୁଫଳ ମିଳି ନାହିଁ।

ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ଆଇନ୍‌ ମନ୍ତ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ରତ୍ନଭଣ୍ଡାର ଯାଞ୍ଚ୍‌ ହେବାର ନିହାତି ଆବଶ୍ୟକତା ରହିଛି। ଯାଞ୍ଚ୍‌ କରା ନ ଯାଇ ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଉଛି ଯେ ରତ୍ନଭଣ୍ଡାରରେ ସବୁ ଜିନିଷ ଠିକ୍‌ ଅଛି। ଯାଞ୍ଚ୍‌ ନ କରି ଏପରି କହିବା ଦୁର୍ଭାଗ୍ୟଜନକ। ଲୋକଙ୍କ ନଜର ହଟାଇବା ପାଇଁ ପ୍ରଶାସନ ଅଯଥା କଥା କହୁଛି।

ବିଜେଡି ପକ୍ଷରୁ ବିଧାୟକ ଦେବାଶିଷ ସାମନନ୍ତରାୟ କହିଛନ୍ତି, ଶ୍ରୀଜଗନ୍ନାଥଙ୍କ ମନ୍ଦିର ହେଉଛି ଆମର ପରିଚୟ। ଶ୍ରୀଜଗନ୍ନାଥଙ୍କ କୌଣସି ପ୍ରସଙ୍ଗକୁ କେହି ହାଲ୍‌କା ଭାବେ ନେଇପାରିବେ ନାହିଁ। ବିଚାର ବିଭରଗୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। କମିସନ୍‌ ତଦନ୍ତ କରନ୍ତୁ ଓ ତାଙ୍କୁ ସମୟ ଦିଆଯାଉ। ସମସ୍ତେ ଧୈର୍ଯ୍ୟ ଧରନ୍ତୁ। ଠିକ୍‌ ସମୟରେ ସବୁ ଜଣାପଡ଼ିବ। ନିର୍ଦ୍ଧାରିତ ସମୟ ଭିତରେ ନିଶ୍ଚିତ ତଦନ୍ତ ସରିବ।

ଅନ୍ୟପକ୍ଷରେ ସୂଚନା ଅଧିକାର କର୍ମୀ ହେମନ୍ତ କୁମାର ପଣ୍ଡା କହିଛନ୍ତି ଯେ ରତ୍ନଭଣ୍ଡାର ଯାଞ୍ଚ ପାଇଁ ଶ୍ରୀମନ୍ଦିର ପ୍ରଶାସନ ୨୦୧୪ରୁ ନିଷ୍ପତ୍ତି ନେଇଥିଲା। ଏହାସତ୍ତ୍ୱେ ସାଢେ ତିନି ବର୍ଷ ଧରି ଏହାକୁ କାହିଁକି କାର୍ଯ୍ୟକାରୀ କରାଗଲା ନାହିଁ ବୋଲି ପ୍ରଶ୍ନ ଉଠାଇଛନ୍ତି। ପ୍ରଶାସନ ଏହି ନିଷ୍ପତ୍ତି ନେବା ସମୟରେ ରତ୍ନଭଣ୍ଡାର ଚାବି ଥିଲା ନା ନାହିଁ ତାହା ସ୍ପଷ୍ଟ କରାଯିବା ଉଚିତ।

ସମ୍ବନ୍ଧିତ ଖବର