ମୂଳ ଚାବି ପାଇଁ ତନାଘନା : ଟ୍ରେଜେରିରେ ରହିବା ଚାବି ରେକର୍ଡ ରୁମ୍‌କୁ ଆସିଲା କେମିତି?

ପୁରୀ/ଭୁବନେଶ୍ୱର : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭିତର ରତ୍ନଭଣ୍ଡାର ଚାବି (ଡୁପ୍ଲିକେଟ୍‌) ମିଳିବା ନେଇ ଗତକାଲି ଅର୍ଥାତ୍‌ ବୁଧବାର ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରଓ୍ଵାଲ ସୂଚନା ଦେବା ପରେ ଏହାକୁ ନେଇ ରାଜନୈତିକ ବୟାନବାଜି ଆରମ୍ଭ ହୋଇଯାଇଛି। ଜିଲ୍ଲାପାଳ ଓ ରାଜ୍ୟ ସରକାରଙ୍କୁ ବିଭିନ୍ନ ରାଜନୈତିକ ଦଳ ଘେରିବା ଆରମ୍ଭ କରିଛନ୍ତି।

ଶ୍ରୀଜଗନ୍ନାଥପ୍ରେମୀ କିନ୍ତୁ ସାମାନ୍ୟ ଆଶ୍ୱସ୍ତ। ଏହି ମହଲରେ ଆଶା ସୃଷ୍ଟି ହୋଇଛି ଯେ ଯଦି ଡୁପ୍ଲିକେଟ୍‌ ଚାବି ମିଳିଲା, ତେବେ ମୂଳ ଚାବି ନିଶ୍ଚିତ କେଉଁଠାରେ ଥିବ। କେବଳ ସେତିକି ନୁହେଁ, ବୁଦ୍ଧିଜୀବୀ ଓ ଶ୍ରୀଜଗନ୍ନାଥପ୍ରେମୀଙ୍କ ମନରେ ଏ ପ୍ରଶ୍ନ ବି ଉଙ୍କି ମାରୁଛି ଯେ ଟ୍ରେଜେରିରେ ରହିବା ଚାବି ରେକର୍ଡ ରୁମ୍‌କୁ ଆସିଲା କେମିତି? କେଉଁ ଜିଲ୍ଲାପାଳ ଏଭଳି କାଣ୍ଡ ଭିଆଇଲେ? ଯଦି ରେକର୍ଡ ରୁମ୍‌ରେ ଚାବି ରଖାଗଲା, ତେବେ ସେ ସଂକ୍ରାନ୍ତରେ ଶ୍ରୀମନ୍ଦିର କାର୍ଯ୍ୟାଳୟକୁ ଅବଗତ କରାଗଲା ନାହିଁ କାହିଁକି?  ଡୁପ୍ଲିକେଟ୍‌ ଚାବି ଓ ମୂଳ ଚାବି ଅଲଗା ଅଲଗା ସ୍ଥାନରେ ରଖିବା ପଛରେ ଉଦ୍ଦେଶ୍ୟ କ’ଣ?

ଅନ୍ୟପଟରେ ଗତକାଲି ଗୋଟିଏ ଚାବି ଲେନ୍ଥା ମିଳିବା ପରେ ଜିଲ୍ଲା ପ୍ରଶାସନ ମଧ୍ୟ ତତ୍ପରତା ଦେଖାଇଛି। ଭିତର ରତ୍ନଭଣ୍ଡାରର ମୂଳ ଚାବି ସମ୍ଭବତଃ ରେକର୍ଡ ରୁମ୍‌ରେ ରହିଥାଇପାରେ ବୋଲି ସନ୍ଦେହ କରି ଆଜି ଜିଲ୍ଲାପାଳ ତନାଘନା ଆରମ୍ଭ କରିଛନ୍ତି। ରେକର୍ଡ ରୁମ୍‌ରେ ଥିବା ସମସ୍ତ ରେକର୍ଡ, ନଥିପତ୍ର, ଆଲମାରୀ ଆଦି ତନ୍ନ ତନ୍ନ ଯାଞ୍ଚ କରିବା ଲାଗି କୁହାଯାଇଛି।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଗତକାଲି ଯେଉଁ ରେଜିଷ୍ଟରରୁ ଭିତର ରତ୍ନଭଣ୍ଡାରର ଏହି ଚାବି ମିଳିଲା, ସେହି ରେଜିଷ୍ଟର ୧୯୨୪ ମସିହାରେ ଖୋଲା ଯାଇଥିଲା। ଶ୍ରୀମନ୍ଦିର ରତ୍ନଭଣ୍ଡାର ସହିତ ଏହି ରେଜିଷ୍ଟରର ପ୍ରତ୍ୟକ୍ଷ ସଂପୃକ୍ତି ମଧ୍ୟ ନାହିଁ। ମାତ୍ର ଯାଞ୍ଚ ବେଳେ ତାର ସୂଚୀପତ୍ରରେ ଏହି ଚାବି ରଖାଯାଇଥିବା ଉଲ୍ଲେଖ ରହିଥିଲା। ୧୯୭୮ ମସିହାରେ ଏହି ଚାବି ରଖାଯାଇଥିବା ଏଥିରୁ ପ୍ରଶାସନକୁ ସୂଚନା ମିଳିଛି। ଉଲ୍ଳେଖଥାଉକି, ସେହିବର୍ଷ ଭିତର ରତ୍ନଭଣ୍ଡାର ଖୋଲାଯାଇ ସମସ୍ତ ରତ୍ନ ଅଳଙ୍କାରର ଗଣତି ହୋଇଥିଲା।

ଜଣେ ଅଧିକାରୀ କହିଛନ୍ତି, ରତ୍ନଭଣ୍ଡାର ଗଣତି ପରେ ସେହି ବର୍ଷ ଏହି ଚାବିକୁ ରଖାଯାଇ ରେଜିଷ୍ଟରରେ ରେକର୍ଡ କରାଯାଇଛି। ସେଠାରେ ମୂଳ ଚାବି ଏଇଥିପାଇଁ ନାହିଁ,  କାରଣ ତାହା ପରବର୍ତ୍ତୀ ସମୟରେ ନିଆଯାଇଛି ଓ  ୧୯୮୩ ଓ ୧୯୮୫ ମସିହାରେ ଭିତର ରତ୍ନଭଣ୍ଡାର ଖୋଲାଯାଇଥିଲା। ସେବେଠାରୁ ମୂଳ ଚାବି ଯାଇଛି ଓ ତାହାକୁ ଅନ୍ୟ କେଉଁଠାରେ ରଖାଯାଇଥାଇପାରେ। ଏବେ ସମୁଦାୟ ଫାଇଲକୁ ଘାଣ୍ଟିଲେ, ଏ ନେଇ କିଛି ସୁରାକ ମିଳିବାର ସମ୍ଭାବନା ରହିଛି। ସଂପୃକ୍ତ ଅଧିକାରୀ କହିଛନ୍ତି, ରେକର୍ଡ ରୁମ୍‌ରେ ହଜାର ହଜାର ଫାଇଲ ରହିଛି। ଏହାକୁ ତତ୍କାଳ ଖୋଜି କିଛି ନିଷ୍କର୍ଶରେ ପହଞ୍ଚିହେବ ନାହିଁ। କିଛି ସମୟ ଲାଗିପାରେ।

ତେବେ କେଉଁ ପରିସ୍ଥିତିରେ ମୂଳ ଚାବି ଟ୍ରେଜେରି ବାହାରେ ରହିଲା, ତାହା ଏବେ ରହସ୍ୟକୁ ବଢାଇଛି। କେବଳ ସେତିକି ନୁହେଁ, ୧୯୭୮ମସିହାରେ ବି ତତ୍କାଳୀନ ପ୍ରଶାସନ ଟ୍ରେଜେରିରେ ଚାବି ରଖିବା ପରିବର୍ତେ କାହିଁକି ରେକର୍ଡ ରୁମ୍‌ରେ ରଖିବା ଲାଗି ଆଗ୍ରହ ପ୍ରକଟ କଲେ, ଟ୍ରେଜେରି ସୁରକ୍ଷିତ ନଥିଲା କି? ଏମିତି ଅନେକ ପ୍ରଶ୍ନର ଉତ୍ତର ମିଳୁନାହିଁ।  ଗତ ୪ ଦଶନ୍ଧି ଭିତରେ ଅନେକ ଜିଲ୍ଲାପାଳ ବଦଳି ହୋଇଛନ୍ତି ଓ ସେ ସମୟର କର୍ମଚାରୀ ବି ଆଉ ନାହାନ୍ତି। ଏଣୁ ପ୍ରଶାସନ ଠୋସ୍‌ କୌଣସି ନିଷ୍ପତ୍ତିରେ ପହଞ୍ଚିପାରୁନାହିଁ ବା ଏଭଳି ପ୍ରଶ୍ନର ଉତ୍ତର ଦେବା ସ୍ଥିତିରେ ନାହିଁ ବୋଲି ଜିଲ୍ଲା ପ୍ରଶାସନ ସୂଚନା ଦେଇଛି।

ଶ୍ରୀମନ୍ଦିର ସ୍ୱତ୍ଵଲିପି ଅନୁସାରେ, ଭିତର ଭଣ୍ଡାର ଚାବି ଜିଲ୍ଲା ଟ୍ରେଜେରିରେ ରୁହେ। ଯେବେଠୁ ସରକାର ଶ୍ରୀମନ୍ଦିର ଦାୟିତ୍ଵ ନିଜ ହାତକୁ ନେଇଛନ୍ତି ସେବେଠୁ ଏହି ଚାବି ଟେଜ୍ରେରିରେ ରଖାଯାଇଛି ବୋଲି କୁହାଯାଇଥିଲା। ଏଥର ରତ୍ନଭଣ୍ଡାର ଖୋଲାଯିବା ସଂପର୍କରେ ତନାଘନା ହୋଇନଥିଲେ, ସମ୍ଭବତଃ ଏଭଳି ଏକ ବିଶ୍ୱାସ ପୁଣି କିଛି ବର୍ଷ ପାଇଁ ରହିଥାନ୍ତା।

‘ସମ୍ବାଦ’କୁ ମିଳିଥିବା ତଥ୍ୟ ସୂଚାଉଛି ଯେ  ଗତ ଏପ୍ରିଲ୍‌ ୪ରେ ରତ୍ନଭଣ୍ଡାର ଖୋଲାଯିବା ସଂକ୍ରାନ୍ତ ନିଷ୍ପତ୍ତି ପରେ ଶ୍ରୀମନ୍ଦିର ପ୍ରଶାସନ ଜିଲ୍ଲାପାଳଙ୍କୁ ଏକ ଚିଠି (ନଂ-୩୩୧୯/୨.୪.୧୮) କରିଥିଲା। ଯେଉଁଥିରେ ଜିଲ୍ଲା କୋଷାଗାରରେ ଥିବା ଚାବିକୁ ଖୋଜି ବାହାର କରିବାକୁ ଶ୍ରୀମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଜିଲ୍ଲାପାଳଙ୍କୁ ଚିଠି କରିଥିଲେ। ଗତ ଏପ୍ରିଲ ୩ରେ ଜିଲ୍ଲାପାଳ ଏନେଇ ଜିଲ୍ଲା କୋଷାଗାର ଅଧିକାରୀଙ୍କୁ ଚାବି ଖୋଜି ବାହାର କରିବା ପାଇଁ ନିର୍ଦେଶ ( ଚିଠି ନଂ ୫୮୮/୩.୪.୧୮) ଦେଇଥିଲେ। ଜିଲ୍ଲା କୋଷାଗାର ଅଧିକାରୀ ଅନୁଧ୍ୟାନ କରି ଜିଲ୍ଲାପାଳଙ୍କୁ ପୁଣି ଏକ ଚିଠି କରିଛନ୍ତି। ଯେଉଁଥିରେ ୧୯୭୦ ମସିହାରୁ ଜିଲ୍ଲା କୋଷାଗାରରେ ରତ୍ନଭଣ୍ଡାର ଚାବି ନଥିବା (ଚିଠି ନଂ-୪.୪.୧୮) ଉଲ୍ଲେଖ କରାଯାଇଥିଲା। ଏ ସଂପର୍କରେ ଜିଲ୍ଲାପାଳ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଜିଲ୍ଲା କୋଷାଗାରରେ ଚାବି ନଥିବା  ସଂପର୍କରେ (ଚିଠି ନଂ-୫୯୫/୪.୪.୧୮) ଜଣାଇଥିଲେ। ପରବର୍ତୀ ସମୟରେ ଶ୍ରୀମନ୍ଦିର ପ୍ରଶାସନ ରେକର୍ଡ ରୁମ୍‌ ଖୋଜିବା ଲାଗି ନିର୍ଦେଶ ଦେବା ପରେ ଜିଲ୍ଲାପାଳ କମିଟି କରି ତନାଘନା କରିଥିଲେ ଓ ଗତକାଲି ଗୋଟିଏ ପେନ୍ଥା ଚାବି ମିଳିଛି।

ଶ୍ରୀମନ୍ଦିର ସହିତ ସଂଶ୍ଳିଷ୍ଟ ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ କହିବା କଥା ହେଉଛି, ରାଜ୍ୟ ସରକାର ତଦନ୍ତ କମିସନ ବସାଇ ଘଟଣାର ତନାଘନା କରିବାରେ ଅସୁବିଧା ନାହିଁ। କିନ୍ତୁ ମୂଳ ଚାବି ଖୋଜିବା ଦିଗରେ ଅଧିକ ଗୁରୁତ୍ୱ ଦେବା ଦରକାର। ଯେହେତୁ ଦୀର୍ଘ ୩୩ ବର୍ଷ ତଳେ ଚାବି ଖୋଲାଯାଇଥିଲା ଓ ସେ ସମୟର କର୍ମଚାରୀ ଆଉ ନାହାନ୍ତି ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଟେଜେରି ବାହାରକୁ ଚାବି ଆସିଛି, ଏଣୁ ଘଟଣାକୁ ଗମ୍ଭୀରତାର ସହିତ ନେବାର ଆବଶ୍ୟକତା ରହିଛି। ରେକର୍ଡ ରୁମ୍‌ ହେଉ ବା ନିଜାରତ ଖାନା ସବୁ ପାଇଁ ପୃଥକ୍‌ ପୃଥକ୍‌ କମିଟି କରି ଖୋଳତାଡ କଲେ ହୁଏତ ମୂଳ ଚାବିର ସନ୍ଧାନ ମିଳିପାରେ।

ମନ୍ଦିର ପରିଚାଳନା ଅନୁଧ୍ୟାନ ପାଇଁ ତିନିଜଣିଆ କମିଟି

ଭୁବନେଶ୍ୱର : ଶ୍ରୀମନ୍ଦିରରେ ଶୃଙ୍ଖଳାର ପାଠ ପଢ଼ାଇବା ଲାଗି ସୁପ୍ରିମକୋର୍ଟ ଯେଉଁ ନିର୍ଦେଶନାମା ଜାରି କରିଥିଲେ, ତାକୁ କାର୍ଯ୍ୟକାରୀ କରିବା ଲାଗି ସରକାରୀ ପ୍ରକ୍ରିୟା ଆରମ୍ଭ ହୋଇଛି। ଦେଶର ବିଭିନ୍ନ ପ୍ରମୁଖ ମନ୍ଦିରର ପରିଚାଳନା ଶୈଳୀ ଅନୁଧ୍ୟାନ କରିବା ଲାଗି ରାଜ୍ୟ ସରକାର ଏକ ତିନିଜଣିଆ ବିଶେଷଜ୍ଞ କମିଟି ଗଠନ କରିଛନ୍ତି। ଆଇନ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି। ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ଦାୟିତ୍ୱରେ ଥିବା ଅତିରିକ୍ତ ମୁଖ୍ୟଶାସନ ସଚିବ ପାହ୍ୟାର ଅଫିସର ସୁରେଶ ଚନ୍ଦ୍ର ମହାପାତ୍ର ଏହି ବିଶେଷଜ୍ଞ କମିଟିର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ। କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ଶ୍ରୀମନ୍ଦିରର ପୂର୍ବତନ ପ୍ରଶାସକ ତଥା ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସଦସ୍ୟ ମହୀମୋହନ ତ୍ରିପାଠୀଙ୍କୁ ବିଶେଷଜ୍ଞ କମିଟିରେ ନିଆଯାଇଛି।  ଏହି କମିଟି ବୈଷ୍ଣୋଦେବୀ, ସୋମନାଥ ମନ୍ଦିର, ପଞ୍ଜାବର ସ୍ୱର୍ଣ୍ଣମନ୍ଦିର, ତିରୁପତି ମନ୍ଦିର, କର୍ଣ୍ଣାଟକର ଧର୍ମସ୍ଥଳ ଆଦି ମନ୍ଦିର ବୁଲି ସେଠାରେ ପରିଚାଳନା ବ୍ୟବସ୍ଥା ଅନୁଧ୍ୟାନ କରିବେ ଓ ଶ୍ରୀଜଗନ୍ନାଥ ମନ୍ଦିର ବ୍ୟବସ୍ଥାରେ ନିର୍ଦିଷ୍ଟ କି ପରିବର୍ତ୍ତନ ଅଣାଯାଇପାରିବ ସେ ଦିଗରେ ପରାମର୍ଶ ଦେବେ। ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅନୁସାରେ, ଆସନ୍ତା ଜୁନ୍‌ ୩୦ ତାରିଖ ସୁଦ୍ଧା ଏହି କମିଟିକୁ ଅନ୍ତରୀଣ ରିପୋର୍ଟ ଦେବାକୁ କୁହାଯାଇଛି।

ଗତ ୮ ତାରିଖ ଦିନ ସୁପ୍ରିମକୋର୍ଟ ଶ୍ରୀମନ୍ଦିର ଅବ୍ୟବସ୍ଥା ସଂପର୍କିତ ଏକ ଜନସ୍ୱାର୍ଥ ମାମଲା ଶୁଣାଣି କରିବା ସମୟରେ ଯେଉଁ ନିର୍ଦେଶନାମା ଜାରି କରିଥିଲେ, ସେଥିରେ ଏଭଳି କମିଟି ଗଠନ କରିବା ଲାଗି କୁହାଯାଇଥିଲା। ରାଜ୍ୟ ସରକାର ପ୍ରସଙ୍ଗର ଗୁରୁତ୍ୱକୁ ଉପଲବ୍ଧି କରି ବିଭିନ୍ନ ସମୟରେ ଶ୍ରୀମନ୍ଦିର ବ୍ୟବସ୍ଥାକୁ ଅତି ପାଖରୁ ନିରେଖି ଦେଖିଥିବା ତିନିଜଣ ଅଧିକାରୀଙ୍କୁ ଏହି ଗୁରୁ ଦାୟିତ୍ୱ ଦେଇଛନ୍ତି। ଶ୍ରୀ ମହାପାତ୍ର ପୂର୍ବରୁ କେବଳ ପୁରୀ ଜିଲ୍ଲାପାଳ ଥିଲେ ତା ନୁହେଁ, ଏକାଧିକ ବାର ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ ଭାବେ କାର୍ଯ୍ୟ କରିଛନ୍ତି। ସେ ୧୯୯୬ ଓ ୨୦୧୫ ନବକଳେବର ଦାୟିତ୍ୱ ମଧ୍ୟ ତୁଲାଇଥିଲେ। ସେହିପରି ଶ୍ରୀ ପ୍ରିୟଦର୍ଶୀ ପୁରୀ ଏସ୍‌ପି ଭାବେ କାର୍ଯ୍ୟ କରିବା ସହିତ ଶ୍ରୀମନ୍ଦିର ସହିତ ତାଙ୍କର ନିବିଡ଼଼ତା ରହିଛି। ବିଶେଷଜ୍ଞ କମିଟିର ଅନ୍ୟତମ ସଦସ୍ୟ ଶ୍ରୀ ତ୍ରିପାଠୀ ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସକ ଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି।

ଆଜିଠୁ ତଦନ୍ତ

ଭୁବନେଶ୍ୱର : ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଚାବି ହଜିବା ଘଟଣା ନୂଆ ମୋଡ଼ ନେଇଛି। ଗତକାଲି ଅର୍ଥାତ୍‌ ବୁଧବାର ରାତିରେ ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରଓ୍ଵାଲ ହଜିଯାଇଥିବା ରତ୍ନଭଣ୍ଡାରରର ଡୁପ୍ଲିକେଟ୍‌ ଚାବି ମିଳିଥିବା ଜଣାଇଛନ୍ତି। ଏପଟେ କେଉଁ କେଉଁ ପ୍ରସଙ୍ଗ ଉପରେ ଜଷ୍ଟିସ ରଘୁବୀର ଦାସ କମିସନ ତଦନ୍ତ କରିବେ ସେ ସଂକ୍ରାନ୍ତ ଗେଜେଟ୍‌ ବିଜ୍ଞପ୍ତି ପ୍ରକାଶ ପାଇଛି। ନିର୍ଦିଷ୍ଟ କେଉଁ ସବୁ କାରଣ ଯୋଗୁଁ ତଥା କେଉଁ ପରିସ୍ଥିିତିରେ ଭିତର ରତ୍ନଭଣ୍ଡାର ଚାବି ହଜିଲା, ସେ ନେଇ ତଦନ୍ତ କରିବା ଲାଗି ଲାଗି ରାଜ୍ୟ ସରକାର କମିସନଙ୍କୁ କହିଛନ୍ତି। କେବଳ ସେତିକି ନୁହେଁ, ଚାବି ହଜିବା ଘଟଣାରେ ନିର୍ଦିଷ୍ଟ କୌଣସି ବ୍ୟକ୍ତିବିଶେଷ, ଗୋଷ୍ଠୀ କିମ୍ବା କୌଣସି ଅନୁଷ୍ଠାନର ଭୂମିକା ଅଛି ନା ନାହିଁ, ସେ ନେଇ ଅନୁଧ୍ୟାନ କରିବା ଲାଗି ସରକାର କମିସନଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କରିଛନ୍ତି। ଏଥିସହିତ ଭବିଷ୍ୟତରେ ଏଭଳି ଘଟଣାର ଯେଭଳି ପୁନରାବୃତ୍ତି ନ ହୁଏ, ସେଥିପ୍ରତି ନିର୍ଦିଷ୍ଟ କି କି ପଦକ୍ଷେପ ନେବାର ଆବଶ୍ୟକତା ରହିଛି, ସେ ସଂକ୍ରାନ୍ତରେ ମଧ୍ୟ ରିପୋର୍ଟ ଦେବା ଲାଗି କମିସନଙ୍କୁ କୁହାଯାଇଛି।

କମିସନ ଅଫ୍‌ ଇନକ୍ୱାରି ଆକ୍ଟ, ୧୯୫୨ ଆଧାରରେ ଏହି ତଦନ୍ତ କରାଯିବ। ଏଥିଲାଗି କମିସନଙ୍କ କାର୍ଯ୍ୟାଳୟ ଭୁବନେଶ୍ୱରରେ ହିଁ ସ୍ଥିର କରାଯାଇଛି। ତେବେ ଏହି ଅନୁଧ୍ୟାନ ପାଇଁ କମିସନ ପୁରୀ କିମ୍ବା ଅନ୍ୟ କୌଣସି ସ୍ଥାନକୁ ଚାହିଁଲେ ଯାଇପାରିବେ।

ଏପଟେ ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ନ୍ୟାୟିକ ତଦନ୍ତ କମିସନ ଅଧ୍ୟକ୍ଷ ରଘୁବୀର ଦାସ କହିଛନ୍ତି, ଘଟଣାର ପୂର୍ବବର୍ତୀ ସମୟକୁ ମଧ୍ୟ ଅନୁଧ୍ୟାନ କରାଯିବ। ଯେଉଁମାନେ ଘଟଣା ସହିତ ଜଡିତ  ସେ ସଂସ୍ଥା ଓ ବିଶେଷଙ୍କ ଠାରୁ ତଥ୍ୟ ମଗାଯିବ। ସତ୍ୟପାଠ ଜରିଆରେ ସେମାନଙ୍କ ମତାମତ ମଗାଯିବ। ଆସନ୍ତାକାଲି ଠାରୁ କମିସନ ତାଙ୍କ ତଦନ୍ତ ଆରମ୍ଭ କରିବେ। ତେବେ କଟକରେ କମିସନଙ୍କ କାର୍ଯ୍ୟାଳୟ କରିବା ଲାଗି ସରକାରଙ୍କୁ ଅନୁରୋଧ କରାଯାଇଛି। ସେହିପରି ଯଦି ତଦନ୍ତ ଶେଷ ହୋଇନପାରିଲା, ତେବେ ରାଜ୍ୟ ସରକାରଙ୍କୁ ଅଧିକ ସମୟ ମଗାଯିବ।

ଏଠାରେ ଉଲ୍ଲେଖଥାଉକି, ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରର ଡୁପ୍ଲିକେଟ୍‌ ଚାବି ମିଳିବା ଘଟଣା ପରେ ବି ତଦନ୍ତ ବନ୍ଦ ହେବାର ପ୍ରଶ୍ନ ଉଠୁନାହିଁ ବୋଲି ଆଜି ଆଇନମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି। ଯଦିଓ ଏ ସଂକ୍ରାନ୍ତରେ ଟର୍ମସ୍‌ ଅଫ୍‌ ରେଫରେନ୍‌ସରେ କିଛି ବି ଉଲ୍ଲେଖନାହିଁ, ତଥାପି ରେକର୍ଡ ରୁମ୍‌ରୁ ଚାବି ମିଳିବା ଘଟଣା ମଧ୍ୟ କମିସନ ଅନୁଧ୍ୟାନ କରିବେ। ସେପଟେ ଆଜି ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରଓ୍ଵାଲ କହିଛନ୍ତି, ଚାବି ସେଭଳି ବନ୍ଦ ଲଫାଫାରେ ରହିଛି। କମିସନ ଅନୁଧ୍ୟାନ ପାଇଁ ଆସିଲେ, ତାଙ୍କୁ ଏହା ହସ୍ତାନ୍ତର କରାଯିବ।

ସମ୍ବନ୍ଧିତ ଖବର